କୋରାପୁଟ: ‘ଚାକିରି ନାହିଁ ତ ଭୋଟ ନାହିଁ। ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ନାହିଁ ତ ଭୋଟ ନାହିଁ।’ କୋରାପୁଟ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରହୁଥିବା ଛାତ୍ରଛାତ୍ରୀ ଏପରି ମତ ଲେଖି ଭୋଟ ବର୍ଜନ କରିଛନ୍ତି। ଚାକିରି ଆଶା କରି ପାଉ ନ ଥିବାରୁ ଆକ୍ରୋଶ ଝାଡିଛନ୍ତି ଲକ୍ଷ୍ମୀପୁର, ବୋରିଗୁମ୍ମା, କୁନ୍ଦୁରା, କୋରାପୁଟ, ଲମତାପୁଟ, ନନ୍ଦପୁର ଜିଲ୍ଲା ପରିଷଦ ଜୋନ୍ରେ ରହୁଥିବା ଆଶାୟୀ ପ୍ରାଥମିକ ଶିକ୍ଷକ । ଜିଲ୍ଲାର ବିଭିନ୍ନ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ପାଠ୍ୟକ୍ରମ ସାରିଥିବା ଛାତ୍ରଛାତ୍ରୀ ଏପରି ପ୍ରତିବାଦ କରି ସରକାରଙ୍କୁ ବିରୋଧ କରିଛନ୍ତି। ଖାଲି ଜିଲ୍ଲାପରିଷଦ ନୁହେଁ ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡ ମେମ୍ବର ଭୋଟ ବାଲଟ୍ରେ ଏପରି ଲେଖି ପ୍ରତିବାଦ ଜଣାଇଛନ୍ତି କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ।
୨୦୧୬ରେ ସିଟି ପାଠ୍ୟକ୍ରମ ଶେଷ କରିଥିବା ପିଲାଙ୍କ ପାଇଁ ଚାକିରି ସୁଯୋଗ ରହିଥିବାବେଳେ ୨୦୧୭ରେ କାଁ ଭାଁ ପୋଷ୍ଟ ବାହାରିଥିଲା। ୨୦୧୮ରୁ ଏବେ ଯାଏ କୌଣସି ପୋଷ୍ଟ ବାହାରି ନାହିଁ। ଏବେ ଯାଏ ରାଜ୍ୟରେ ୫୦ ହଜାର ପୋଷ୍ଟ ଖାଲି ଥିବାବେଳେ କୋରାପୁଟ ଜିଲ୍ଲାରେ ୯୦୨୭ ପୋଷ୍ଟ ଖାଲି ପଡିଛି। ହେଲେ ନିଯୁକ୍ତି ମିଳୁ ନ ଥିବାରୁ ପାଠ୍ୟକ୍ରମ ଶେଷ କରି ଘରେ ବସିଛନ୍ତି ଅନେକ ଆଶାୟୀ ପ୍ରାଥମିକ ଶିକ୍ଷକ। ଆଶାୟୀ ପ୍ରାଥମିକ ଶିକ୍ଷକମାନେ ବହୁ ସମୟରେ ବିଭିନ୍ନ ଉପାୟରେ ପ୍ରତିବାଦ ଜାରି ରଖିଛନ୍ତି। ଏବେ ନିର୍ବାଚନ ଚାଲିଥିବାବେଳେ ଏହାର ସୁଯୋଗ ନେଇ ସେମାନେ ମତଦାନ କେନ୍ଦ୍ରରେ ବାଲଟ ପେପର୍ରେ ଏପରି ଲେଖି ପ୍ରତିବାଦ କରି ଭୋଟ ବର୍ଜନ କରିଛନ୍ତି।
ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆସୁଥିବାବେଳେ ଲକ୍ଷ୍ମୀପୁର, କୁନ୍ଦୁରା ଓ ନନ୍ଦପୁରରେ ଥିବା ପ୍ରାଥମିକ ଶିକ୍ଷକ ଆଶାୟୀ ଏପରି ଅଭିବନ ପ୍ରତିବାଦ କରିଛନ୍ତି। ରବିବାର କୁନ୍ଦୁରା ସହ ଅନ୍ୟ ଦୁଇ ବ୍ଲକରେ ଏହି ଛାତ୍ରଛାତ୍ରୀମାନେ ଭୋଟ ଦେବା ବେଳେ ବାଲଟ ପେପର୍ରେ ଏପରି ଲେଖି ଭୋଟ ଦେଇଛନ୍ତି। ତେବେ ଭୋଟ ସବୁ ନାକଚ ହେବାକୁ ଥିବାବେଳେ ଏପରି ପ୍ରତିବାଦ ସରକାରଙ୍କୁ ଚେତାଇବ ବୋଲି ସେମାନେ କହିଛନ୍ତି।
ଏନେଇ ଆଶାୟୀ ଶିକ୍ଷକ ପି.ବଳଭଦ୍ର କହିଛନ୍ତି ଯେ, ଉଚ୍ଚ ମାର୍କ ରଖି ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପଢିଲୁ। ଏହାପରେ ବିଭିନ୍ନ ପ୍ରବେଶିକା ପରୀକ୍ଷା କରାଇଲେ, ସେଥିରେ ଆମେ ମାର୍କ ରଖିଥିଲେ ମଧ୍ୟ ଚାକିରିଟିଏ ପାଇବାକୁ ଯୋଗ୍ୟ ହେଲୁନାହିଁ। ୨୦୧୮ରୁ ଏବେ ଯାଏ ଚାକିରି ବାହାରି ନାହିଁ। ପାଠ ପଢି ଆମେ କ’ଣ ଭୁଲ କରି ଦେଲୁ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ଏନେଇ ଆଶାୟୀ ଶିକ୍ଷକ ରାଜଶ୍ବେରୀ ପାଣି କହିଛନ୍ତି ଯେ, ସିଟି ପାଠ୍ୟକ୍ରମ କରି ଆମେ ଭୁଲ କରି ଦେଇଛୁ। ତେଣୁ ଆଜି ମତଦାନ କେନ୍ଦ୍ର ବାଲଟ ପେପ୍ରରେ ଏପରି ଲେଖି ପ୍ରତିବାଦ କରିଛୁ ବୋଲି ସେ କହିଛନ୍ତି।