ମାଡ଼ ଭୟରେ ଆଶ୍ରମ ଛାଡିଲେ ଛାତ୍ର: ଭୋକ ମେଣ୍ଟାଇବାକୁ ଦୋକାନରୁ କଲେ ଚୋରି

ସୋର: ମାଡ ଭୟରେ ମଲିକା ଅର୍ଜୁନ ସେବା ଶ୍ରମର ୩ ଜଣ ଛାତ୍ର ଲୁଚି ପଳେଇଆସିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ପୁଲିସକୁ ହସ୍ତାନ୍ତର କରିଛନ୍ତି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଆଳଦାସ୍ଥିତ ମଲିକା ଅର୍ଜୁନ ସେବାଶ୍ରମରେ ୬ ବର୍ଷରୁ ଆରମ୍ଭ କରି ୧୮ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପିଲା ରହି ପାଠ ପଢ଼ନ୍ତି। ଏହି ଆଶ୍ରମରେ ପିଲାମାନଙ୍କୁ ଅନେକ ସମୟରେ ମାନସିକ ଶାରୀରିକ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆସୁଥିବା ବେଳେ ଗତ ଶୁକ୍ରବାର ରାତିରେ ଆଶ୍ରମରେ ପଢ଼ୁଥିବା ତିନି ଜଣ ଛାତ୍ରଙ୍କୁ ଘର ସଫା କରିବା ପାଇଁ କହି ମାଡ଼ ମାରିବାରୁ ସେମାନେ ଲୁଚି ପଳେଇଆସିଥିଲେ। ପରେ ଛାତ୍ରମାନେ ଭୋକ ବିକଳରେ ଗୋଟିଏ ଦୋକାନରୁ ଲୁଚାଇ ବିସ୍କୁଟ ଓ ଚକଲେଟ ଖାଇ ବିଲରେ ଶୋଇ ରାତି କଟାଇଥିଲେ।

ଆଜି ମଧ୍ୟାହ୍ନରେ ସେମାନେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ନିକଟରେ ପହଂଚିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ପଚରା ଉଚୁରା କରିବାରୁ ଘଟଣା ବାବଦରେ ଅବଗତ ହୋଇ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ପିଲାମାନଙ୍କୁ ଥାନାକୁ ନେବା ସହିତ ଘଟଣାର ତଦନ୍ତ କରୁଛନ୍ତି। ତେବେ ଉକ୍ତ ଆଶ୍ରମରୁ ଗତ କିଛି ମାସ ତଳେ ପାଚେରୀ ଦେଇ ଜଣେ ଛାତ୍ର ଚାଲିଚାଲି ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଗୋପାଳପୁର ବଜାରରୁ ଉଦ୍ଧାର କରିଥିଲେ। ଉକ୍ତ ଆଶ୍ରମ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର