ପୁରୀ: ସ୍ବତନ୍ତ୍ର ଅନୁମତିପତ୍ର ନେଇ ଆସାମରୁ ପୁରୀ ଆସିଥିବା ବସ୍କୁ ଜରିମାନା କରାଯାଇଛି। ଯେଉଁଥିରେ କେବଳ ୪୬ଜଣ ବରିଷ୍ଠନାଗରିକ, ଭକ୍ତ ଥିଲେ। ଏହି ଜରିମାନା ପରେ ବୃଦ୍ଧବୃଦ୍ଧାମାନେ ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି। ପ୍ରଧାନମନ୍ତ୍ରୀ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବି ଅଭିଯୋଗ କରି ନ୍ୟାୟ ମାଗିଛନ୍ତି। ବରିଷ୍ଠ ନାଗରିକଙ୍କୁ ସାଙ୍ଗରେ ନେଇ ଆସିଥିବା ଆସାମର ସୁନିଲ ସିଂହ କହିଛନ୍ତି, ତାଙ୍କ ସହ ୪୬ଜଣ ବୃଦ୍ଧବୃଦ୍ଧା ଓ ଜଣେ ଶିଶୁ ଥିଲେ। ୩ ଦିନର ଯାତ୍ରା ପରେ ଗତ ୧୧ ତାରିଖରେ ସମସ୍ତେ ପୁରୀରେ ପହଞ୍ଚିଥିଲେ। ଯେହେତୁ ଯାତ୍ରୀବାହୀ ବସ ପୁରୀ ସହର ଭିତରକୁ ପ୍ରବେଶରେ କଟକଣା ରହିଛି, ସେମାନେ ମାଳତୀପାଟପୁର ବସଷ୍ଟାଣ୍ଡରେ ଗାଡ଼ି ପାର୍କିଂ କରିଥିଲେ। ୧୧ ତାରିଖରେ ରାତି ହୋଇଯାଇଥିବାରୁ ୧୨ ତାରିଖ ସନ୍ଧ୍ୟାରେ ଆଉ ଏକ ଗାଡ଼ି ଭଡ଼ା କରି ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ଫେରିବା ପରେ ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ବସକୁ ୧୧ହଜାର ୯୨୧ ଟଙ୍କା ଜରିମାନା କରାଯାଇଥିବା ଜାଣିବାକୁ ପାଇଥିଲେ। ଶ୍ରୀ ସିଂହ କହିଛନ୍ତି, ସେମାନେ ଅକ୍ଟୋବର ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନ୍ତଃରାଜ୍ୟ ଯାତ୍ରା ପାଇଁ ଆସାମ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅନୁମତିପତ୍ର ଆଣି ସେମାନେ ଆସିଥିଲେ।
ଅନୁମତିପତ୍ରରେ ବି ଭକ୍ତମାନେ ଯାତ୍ରା କରୁଛନ୍ତି ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଗାଡ଼ିର ଫିଟ୍ନେସ୍, ଟ୍ୟାକ୍ସ, ବୀମା ଆଦି କାଗଜପତ୍ର ଯାଞ୍ଚ ପରେ ଆମକୁ ଏହି ଅନୁମତିପତ୍ର ମିଳିଥିଲା। ୧୧ ତାରିଖରେ ପହଞ୍ଚିବା ପରେ ମାଳତୀପାଟପୁର ବସ୍ଷ୍ଟାଣ୍ଡରେ ଧାର୍ଯ୍ୟ ଦେୟ ଦେଇ ବସ୍ ପାର୍କିଂ କରିଥିଲେ। ଯାହାର ରସିଦ୍ ବି ସେମାନଙ୍କ ପାଖରେ ରହିଛି। ତଥାପି ଗାଡ଼ି ପାର୍କିଂ ହୋଇଥିବା ସମୟରେ ଆସି ଜରିମାନା ଆଦାୟ କରାଯିବା ଗ୍ରହଣଯୋଗ୍ୟ ନୁହେଁ ବୋଲି ଶ୍ରୀ ସିଂହ କହିଛନ୍ତି। ଏସମ୍ପର୍କରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଆସାମ ମୁଖ୍ୟମନ୍ତ୍ରୀ, ଓଡ଼ିଶା ରାଜ୍ୟପାଳଙ୍କୁ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି। ଏ ନେଇ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ପ୍ରବେଶ ପୂର୍ବରୁ ରୋଡ୍ ଟ୍ୟାକ୍ସ ଦେବା କଥା। କିନ୍ତୁ ଏହି ଟ୍ୟାକ୍ସ ସମ୍ପୃକ୍ତ ଗାଡ଼ି ମାଲିକ ଦେଇନାହାନ୍ତି। ଏହି ଟ୍ୟାକ୍ସ ବାବଦରେ ଜରିମାନା ଆଦାୟ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/fine-bus.jpg)
