ସମ୍ବଲପୁର : ଗୌହାଟି ଓ ସମ୍ବଲପୁର ମଧ୍ୟରେ ଟ୍ରେନ୍ ପ୍ରଚଳନ ସକାଶେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପତ୍ର ଲେଖିଛନ୍ତି। ଶ୍ରୀ ବିଶ୍ବଶର୍ମା ଲେଖିଛନ୍ତି ଯେ ଆସାମବାସୀଙ୍କ ହୃଦୟରେ ବିରାଜମାନ କରୁଥିବା ଆଦରଣୀୟ ଲେଖକ ଲକ୍ଷ୍ମୀନାଥ ବେଜ୍‌ବରୁଆ ଆସାମରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ତାଙ୍କ ଜୀବନର ଦୀର୍ଘ ସୃଜନଶୀଳ ସମୟ ସମ୍ବଲପୁରରେ ଅତିବାହିତ କରିଛନ୍ତି। ତାଙ୍କ ଜୀବନର ଶ୍ରେଷ୍ଠତମ ରଚନାବଳୀ ସମ୍ବଲପୁରରେ ସୃଷ୍ଟି କରିଛନ୍ତି। ତେଣୁ, ସମ୍ବଲପୁର ତାଙ୍କର କର୍ମଭୂମି ଅଟେ। ଆସାମବାସୀ ବେଜ୍‌ବରୁଆଙ୍କ କର୍ମଭୂମି ଦେଖିବାକୁ ଚାହାନ୍ତି।

Advertisment

ଓଡିଶା ଏବଂ ଆସାମ ସରକାରଙ୍କ ମିଳିତ ଅନୁଦାନରେ ବେଜ୍‌ବରୁଆଙ୍କ ସମ୍ବଲପୁର ବାସଭବନର ସଂରକ୍ଷଣ କାର୍ଯ୍ୟ ହୋଇଛି। ଏହା ପରେ ସମ୍ବଲପୁର ପରିଦର୍ଶନ ପାଇଁ ଆସାମବାସୀଙ୍କ ଆକାଂକ୍ଷା ବୃଦ୍ଧି ପାଇଛି। ମାତ୍ର, ଆସାମ ଓ ସମ୍ବଲପୁର ମଧ୍ୟରେ ସିଧାସଳଖ ଟ୍ରେନ ସଂର୍ପର୍କ ନଥିବାରୁ ଲୋକେ ବଂଚିତ ହେଉଛନ୍ତି। ତେଣୁ, ଗୌହାଟି ଓ ସମ୍ବଲପୁର ମଧ୍ୟରେ ସପ୍ତାହରେ ତିନି ଦିନ ସକାଶେ ଟ୍ରେନ ବ୍ୟବସ୍ଥା ହେଲେ ଆସାମ ରାଜ୍ୟବାସୀ ଉପକାର ପାଇବେ। ଟ୍ରେନକୁ ‘କର୍ମଭୂମି ଏକ୍ସପ୍ରେସ’ ଭାବରେ ନାମିତ କରିବାପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ଏତ୍‌ଦ୍ବାରା ଆସାମ ରାଜ୍ୟବାସୀ ଭାରତ ସରକାର ଏବଂ ରେଳବାଇକୁ ଧନ୍ୟବାଦ ଜଣାଇବେ ବୋଲି ସେ ରେଳମନ୍ତ୍ରୀ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।