ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁରୀରେ ପହଞ୍ଚିଛନ୍ତି। ସେ ଆଜି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପୁରୀ ଗସ୍ତ ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ବିଶ୍ବ ଶର୍ମା ସିଂହଦ୍ଵାରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ଶ୍ରୀ ବିଶ୍ବ ଶର୍ମା ସପରିବାର ସହିତ ମନ୍ଦରି ଭିତରକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ନେଇଥିଲେ। ଶ୍ରୀମନ୍ଦିର ଭିତରେ ବହାରକାଠ ନିକଟରେ ମୁଖ୍ୟମନ୍ତ୍ରୀ ଦର୍ଶନ କରିବା ସହିତ ଭାବବିହ୍ଵଳ ହୋଇପଡ଼ିଥିଲେ। ଆସାମବାସୀଙ୍କ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ବଟଗଣେଶ ଓ କଳ୍ପବଟରେ ମାନସିକ ସୂତ୍ର ବାନ୍ଧିଥିଲେ।

Advertisment

ଏହି ଅବସରରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ ଆଉ ଆସାମ ସରକାର ହେଉଛି ଦୁର୍ନୀତିମୁକ୍ତ ସରକାର। ଯିଏ ଦୁର୍ନୀତି କରିବ ତାଙ୍କର ଆସାମରେ ସ୍ଥାନ ନାହିଁ।ତେଣୁ ଏବେ ୩୧ଜଣ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୨ଜଣ ଗିରଫ ହୋଇଛନ୍ତି। ପୁଲିସ ଡିଜିପିବି କହିଛନ୍ତି ଯିଏ ଯେମିତି କରିବ ସେମିତି ପାଇବ। ଆଉ ସ୍ୱଚ୍ଛ ସରକାର ପାଇଁ ଆମର ସର୍ବଦା ପ୍ରୟାସ ରହିବ। ତେବେ ସେ ଆଗରୁ ଦର୍ଶନ ପାଇଁ ଆସିଥିଲେ ହେଲେ ଆଜି ମୁଖ୍ୟମନ୍ତ୍ରୀ ଭାବେ ସପରିବାର ଆସି ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେବା ଓ ଆଶାମବାସୀଙ୍କ ପାଇଁ ଶ୍ରୀକ୍ଷେତ୍ରରେ ଏକ ଯାତ୍ରୀ ନିବାସ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ଆସାମ କୌଳିକ ପଣ୍ଡା।

ଆସାମ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ଅବସରରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଖଣ୍ଡୁଆ ଦେଇ ଶ୍ରୀ ବିଶ୍ବ ଶର୍ମାଙ୍କୁ ସ୍ୱାଗତ କରିଥିଲେ। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ସହିତ ଅନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ।