ହାଇଆଲର୍ଟ: ଆସାମ୍‌ ଏନ୍‌ଆର୍‌ସି ଓଡ଼ିଶା ମୁହାଁ!, ୧୮ ତଟବର୍ତ୍ତୀ ଥାନାକୁ ପାଟ୍ରୋଲିଂ ପାଇଁ କଡ଼ା ନିର୍ଦ୍ଦେଶ

କଟକ : ଆସାମ ନାଗରିକ ତାଲିକାରୁ ବାଦ୍‌ ପଡିଥିବା ପ୍ରାୟ ୪୦ ଲକ୍ଷ ଲୋକଙ୍କ ମଧ୍ୟରୁ ଅନେକ ଏବେ ଗିରଫ ଭୟରେ ଓଡ଼ିଶା ମୁହାଁ ହେଉଥିବା ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଗୁଇନ୍ଦାର ଏଭଳି ଏକ ରିପୋର୍ଟ ମିଳିବା ପରେ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ରେଳବାଇ ତଥା ତଟ ସୁରକ୍ଷା ବିଭାଗ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଆଜି ସମସ୍ତ ସମୁଦ୍ର ତଟବର୍ତୀ ଥାନାକୁ  ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ସେମାନେ ଜଳଭାଗରେ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ଅଧିକ ଥିବାରୁ ରାଜ୍ୟର ସମସ୍ତ ସମୁଦ୍ରକୂଳିଆ ଥାନାଗୁଡ଼ିକରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଜାରି ହୋଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। କୌଣସି ସନ୍ଦିଗ୍ଧଙ୍କୁ ଠାବ କରିବା ମାତ୍ରକେ ତାଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ସେମାନଙ୍କ ସଂପର୍କରେ ଠୋସ୍‌ ପ୍ରମାଣ ମିଳିଲେ କୌଣସି ପରିସ୍ଥିତିରେ ବି ଓଡ଼ିଶା ସୀମାକୁ ପ୍ରବେଶ କରାଇ ନଦେବାକୁ ନିର୍ଦେଶ ରହିଛି।

ଅନ୍ୟପକ୍ଷରେ ପୁଲିସ ଡିଜି ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ସତ୍ୟଜିତ ମହାନ୍ତି କିନ୍ତୁ ଅଲଗା କଥା କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ଏଭଳି କୌଣସି ଭୟ ଓଡ଼ିଶା ପ୍ରତି ନାହିଁ କିମ୍ବା ସେ କୌଣସି ସତର୍କ ସୂଚନା ଜାରି କରିନାହାନ୍ତି। ଏଭଳି ସମ୍ଭାବନା କ୍ଷୀଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସାମ ସରକାର ୧୯୫୧ ପରଠାରୁ ପ୍ରଥମଥର ପାଇଁ ଏନ୍‌ଆର୍‌ସି ସଂଶୋଧନ ନିମନ୍ତେ ପଦକ୍ଷେପ ନେଇଥିଲେ। ଏଥିପାଇଁ ରାଜ୍ୟରେ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଥିଲା। ରାଜ୍ୟବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରମାଣ ଦେବା ଲାଗି ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନଗୁଡ଼ିକର ଯାଞ୍ଚ ପରେ ସରକାର ଗତ ୩୦ ତାରିଖ ଦିନ ଚିଠା ରିପୋର୍ଟ ପ୍ରକାଶ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଯଦିଓ ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନିଷ୍ପତ୍ତିରେ ଆପାତତଃ ରୋକ୍‌ ଲଗାଇଛନ୍ତି ତଥାପି ଏନ୍‌ଆର୍‌ସି ତାଲିକାରୁ ବାଦ୍‌ ପଡ଼ିଥିବା ଲୋକମାନେ ଗିରଫ ଭୟରେ ରାଜ୍ୟ ଛାଡୁଥିବା ସୂଚନା ମିଳିଥିଲା। ପଡ଼ୋଶୀ ରାଜ୍ୟ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡକୁ ଚାଲିଯିବାର ଆଶଙ୍କା ଥିବାରୁ ତତ୍କାଳ ସେଠାକାର ସରକାର ସୀମାଗୁଡ଼ିକୁ ସିଲ୍‌ କରିଦେଇଥିଲେ।  ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ହେଲେ ଏବେ ଖବର ମିଳୁଛି ଯେ ଯେହେତୁ ଓଡ଼ିଶାରେ ବାଂଲାଦେଶ ଅନୁପ୍ରବେଶକାରୀ ଆପତତଃ ନିରାପଦରେ ଅଛନ୍ତି, ଏଣୁ ସେମାନେ ଓଡ଼ିଶାକୁ ଆସିବା ଲାଗି ଆଗ୍ରହ ଦେଖାଉଛନ୍ତି। ଏଣୁ ସୁରକ୍ଷା ବ୍ୟବସ୍ଥା ଏଡିଜି ଶ୍ରୀ ଆଚାର୍ଯ୍ୟଙ୍କୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୧୮ଟି ସମୁଦ୍ରକୂଳିଆ ଥାନାରେ ଥିବା ୧୫ଟି ବୋଟ୍‌କୁ ସମୁଦ୍ରରେ ପାଟ୍ରୋଲିଂ କଡ଼ାକଡ଼ା କରିବାରେ ନିୟୋଜନ କରାଯାଇଛି।

ଓଡ଼ିଶାରେ ଏବେ ପ୍ରାୟ ୨୦ ଲକ୍ଷରୁ ଅଧିକ ଅନୁପ୍ରବେଶକାରୀ ଅଛନ୍ତି। ସବୁଠୁ ଅଧିକ ଅନୁପ୍ରବେଶକାରୀ ବାଲେଶ୍ୱର ଜିଲ୍ଲାରେ। ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ଜଗତସିଂହପୁର ଅଞ୍ଚଳରେ ବି ଏମାନେ ଆଡ୍ଡା ଜମାଇଛନ୍ତି। ପୁଲିସ ରିପୋର୍ଟ ଅନୁସାରେ, ଓଡ଼ିଶାର ନୟାଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ଜଗତସିଂହପୁର ଭଳିି ଅଞ୍ଚଳରେ ୨୦ ଲକ୍ଷରୁ ଅଧିକ ବାଲାଂଦେଶୀ ଇତିମଧ୍ୟରେ ପଶିଆସିଲେଣି। କେବଳ ବାଲେଶ୍ୱରରେ ୪ ଲକ୍ଷ ବାଲାଂଦେଶୀ ଥିବା ଆକଳନ କରାଯାଉଛି। ଉକ୍ତ ଜିଲ୍ଲାରେ ଛୋଟ ଛୋଟ ବସ୍ତିରେ ବାଲାଂଦେଶୀ ରହୁଥିବା ସୂଚନା ମିଳିଛି । ସେମାନେ ବିଭିନ୍ନ ଅପରାଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ପୁଲିସ ବିଭିନ୍ନ ସମୟରେ ସୂଚନା ପାଇଛି। ଏଭଳି ପରିସ୍ଥିତିରେ ବାଲେଶ୍ୱରଠାରୁ ଗଞ୍ଜାମ ପର୍ଯ୍ୟନ୍ତ ୪୭୬ କିଲୋମିଟର ଉପକୂଳ ସୀମା ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛି।

ସମ୍ବନ୍ଧିତ ଖବର