ଭୁବନେଶ୍ବର: ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଧରି ଏକଛତ୍ରବାଦ ଚଳାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍‌ଙ୍କ ଅଖଣ୍ଡ କ୍ଷମତା ଉପରେ ପ୍ରହାର ହୋଇଛି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ପଦବିରୁ ତାଙ୍କୁ ହଟାଇ ଦିଆଯାଇଛି। ପୂର୍ବ ପରି ବିଭାଗୀୟ ମନ୍ତ୍ରୀ ଅଧ୍ୟକ୍ଷ ରହିବେ ବୋଲି ସରକାର ନି‌ର୍ଦ୍ଦେଶ ଦେଇଛନ୍ତି। ଏହା ସହ ମାଥିଭାଥନନ୍‌ଙ୍କ ଦୁଇ ବିଶ୍ବସ୍ତ ଅଧିକାରୀଙ୍କୁ ଅବସର ଦିଆଯାଇଛି। ସେମାନଙ୍କୁ ଅବସର ପରେ ନିଯୁକ୍ତି ଦେବାକୁ ଚାଲିଥିବା ଯୋଜନା ଫଳପ୍ରଦ ହୋଇପାରି ନାହିଁ। ବିଜେଡି ସରକାର ସମୟରେ ବେଶ୍‌ କ୍ଷମତାଶାଳୀ ଥିବା ମାଥିଭାଥନନ୍‌ଙ୍କ ଡେଣା କଟାଯିବା ଘଟଣା କ୍ଷମତା କରିଡର୍‌ରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଖୁବ୍‌ଶୀଘ୍ର ତାଙ୍କର ସେଠାରୁ ବଦଳି ହେବ ବୋଲି ଆଲୋଚନା ଚାଲିଛି।

Advertisment

ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି ଆକ୍ଟ(ଓଡିଏ)-୧୯୮୨ ଅନୁସାରେ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ(ଡେଭଲପ୍‌ମେଣ୍ଟ ଅଥରିଟି)ର ଉପାଧ୍ୟକ୍ଷ ଆଇଏଏସ୍‌ ଅଧିକାରୀ ରହିବେ। ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ରହିବେ। ଅଥରିଟି ବୈଠକରେ ଅଧ୍ୟକ୍ଷତା କରିବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ। ଏଥି‌ରେ ନିଆଯାଉଥିବା ନିଷ୍ପତ୍ତିକୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ବୋଲି ଧରିବାକୁ ପଡ଼ିବ। କୌଣସି ନିଷ୍ପତ୍ତିକୁ ନେଇ ଯଦି କାହାର କିଛି ଆପତ୍ତି ଥାଏ ତେବେ ଅଧ୍ୟକ୍ଷ ତଥା ମନ୍ତ୍ରୀଙ୍କ ନିକଟରେ ଅପିଲ କରିବେ ଓ ଅଧ୍ୟକ୍ଷ ତାହାର ଶୁଣାଣି କରିବେ। ସେଥିପାଇଁ ମନ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇଥାଏ, ସଚିବଙ୍କୁ ନୁହେଁ। ସେହି ଅନୁଯାୟୀ ବିଭିନ୍ନ ସମୟରେ ନଗର ଉନ୍ନୟନ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀମାନେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ରହିଛନ୍ତି। କିନ୍ତୁ ବିଜେଡି ସରକାର ଓଡିଏ ଆକ୍ଟର ଉଲ୍ଲଂଘନ କରି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଅଧ୍ୟକ୍ଷ ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ନିଯୁକ୍ତ ଦେଇଥିଲେ। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସଚିବ ଜି ମାଥିଭାଥନନ୍‌ ଅଥରିଟି ବୈଠକରେ ଅଧ୍ୟକ୍ଷତା କରୁଥିଲେ ଓ ଅଧ୍ୟକ୍ଷ ହୋଇ ଅପିଲ୍‌ ଶୁଣୁଥିଲେ। ଫଳରେ ଅଭିଯୋଗକାରୀକୁ ନ୍ୟାୟ ମିଳୁ ନଥିବା‌ ଅଭିଯୋଗ ହୋଇ ଆସୁଥିଲା। ଆଜି ସରକାର ଏହି ନିଷ୍ପତ୍ତିକୁ ବଦଳାଇ ଦେଇ ମନ୍ତ୍ରୀଙ୍କୁ ପୁନର୍ବାର ଅଧ୍ୟକ୍ଷ କରିଛନ୍ତି। ସେହିପରି ଆଉ କିଛି ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ପୂର୍ବ ସରକାର ରାଜନୈତିକ ବ୍ୟକ୍ତି ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ। ସେମାନେ ମଧ୍ୟ ଏବେ ପଦ ହରାଇବେ ଓ ନଗର ଉନ୍ନୟନ ମନ୍ତ୍ରୀ ସେଠାରେ ଦାୟିତ୍ବରେ ରହିବେ। ଏ ନେଇ ଆଜି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଦୀର୍ଘ କାଳ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ରହିଥିବା ଦୁଇ ଅଧିକାରୀ ସଂଗ୍ରାମଜିତ ନାୟକ ଓ ସାରଦା ପ୍ରସାଦ ପଣ୍ଡା ଦାୟିତ୍ବମୁକ୍ତ ହୋଇଛନ୍ତି। ବିଭାଗର ଅତିରିକ୍ତ ଶାସନ ସଚିବ ତଥା ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପଣ୍ଡାଙ୍କୁ ଅବସର ପରେ ନିଯୁକ୍ତି ଦିଆଯାଇନାହିଁ। ଅବସର ପରେ ନିଯୁକ୍ତି ପାଇଥିବା ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କର ଅବଧି ମଧ୍ୟ ନବୀକରଣ କରାଯାଇ ନାହିଁ। ସାରଦା ପଣ୍ଡାଙ୍କ ଜାଗାରେ ଏହି ବିଭାଗର ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ବ ‌ନେଇଥିବା ବେଳେ ସଂଗ୍ରାମଙ୍କ ଜାଗାରେ ପୌର ପ୍ରଶାସନ ନିର୍ଦ୍ଦେଶକ ଭାବରେ ଦେବାଶିଷ ସିଂହଙ୍କୁ ଦାୟିତ୍ବ ମିଳିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ଦୁଇ ଅଧିକାରୀ ନିଜ ଦାୟିତ୍ବ ସହ ଏହି ଅତିରିକ୍ତ ଦାୟିତ୍ବ ତୁଲାଇବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଉଭୟ ପୁଣି ଥରେ ଏଠାରେ ଗାଦି ମାଡ଼ି ବସିପଡ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମାଥିଭାଥନନ୍‌ ନିଜେ ଏହି ବିଭାଗରେ ୧୦ ବର୍ଷ ଧରି ରହିଲେଣି। ନିଜ ପସନ୍ଦର ଅଧିକାରୀଙ୍କୁ ବି ଏଠାରେ ଲମ୍ବା ସମୟ ଧରି ରଖିଛନ୍ତି। ସେହି ଅଧିକାରୀଙ୍କ ମାଧ୍ୟମରେ ନିଜ ଇଚ୍ଛା ମୁତାବକ ସବୁ କାମ କରାଇ ପାରୁଥିଲେ। ଫଳରେ ଏହି ବିଶ୍ବସ୍ତ ଅଧିକାରୀମାନଙ୍କର ବଦଳି ହେଉ ନଥିଲା। ସଂଗ୍ରାମଜିତ୍‌ ନାୟକ ଏହି ବିଭାଗରେ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ରହିଆସିଥିଲେ। ଦୁଇ ବର୍ଷ ତଳେ ଅବସର ଗ୍ରହଣ କରିବା ପରେ ପୁଣି ସେଠାରେ ଥଇଥାନ ହୋଇଥିଲେ। ସେହିଭଳି ସାରଦା ପଣ୍ଡା ମଧ୍ୟ ଏହି ବିଭାଗ‌ରେ ବହୁ ଦିନ ରହିଥିଲେ। ଉଭୟଙ୍କୁ ପୁଣି ଥଇଥାନ କରିବା ପାଇଁ ଉଦ୍ୟମ ଆରମ୍ଭ ହେବାରୁ ବିଭିନ୍ନ ସ୍ତରରୁ ସରକାରଙ୍କ ନିକଟରେ ପିଟିସନ ପହଞ୍ଚିଥିଲା।