ଦି’ ଦିନ ବରବାଦ୍‌ କରିଦେଲେ

ଗର୍ଜିଲେ ବିରୋଧୀ, କକ୍ଷତ୍ୟାଗ

ବାହାରେ ବାହାସ୍ଫୋଟ, ଭିତରେ ପଳାୟନପନ୍ଥୀ: ନରସିଂହ
ବିଜେପି ଅସନ୍ତୁଷ୍ଟ, ବିରୋଧୀଙ୍କୁ ଦାୟୀ କଲା ବିଜେଡି

ଭୁବନେଶ୍ୱର : ବିରୋଧୀ ଦଳ ଚାଷୀ ପ୍ରସଙ୍ଗରେ ଦେଇଥିବା ମୋସନକୁ ବାଚସ୍ପତି ଗ୍ରହଣ କରୁନାହାନ୍ତି କି ମୁତଲବୀ ନୋଟିସ। ସରକାର ବି ନିଜ ତରଫରୁ ମୋସନ ଆଣୁନାହାନ୍ତି। ପରିଣାମ ହେଲା ବିରୋଧୀ ଦଳ ଆଜି ବିଧାନସଭାରେ ସକାଳେ ହଟ୍ଟଗୋଳ କଲେ, ଉପରବେଳା ଅଭିଯୋଗ ପ୍ରତି ଅଭିଯୋଗ ଚାଲିଲା। ଆଉ ବିଜେଡି ବିଧାୟକମାନେ ପୂର୍ବାହ୍ନରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲେ ଏବଂ ଅପରାହ୍ନରେ ବିରୋଧୀଙ୍କୁ କରିଥିଲେ ଆକ୍ଷେପ। ଚାଷୀ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିିକ ଦଳ ଏଭଳି କାନ୍ଦୁ କାନ୍ଦୁ ବିଧାନସଭାର ଅତି ଗୁରୁତ୍ୱପୂର୍ଣ୍ଣ ଦୁଇଦିନ ବରବାଦ ହୋଇଯାଇଛି। ସକାଳେ କିଛି ସେକେଣ୍ଡ ପାଇଁ ବୈଠକ ସମ୍ଭବ ହୋଇଥିଲା, ଆଉ ଅପରାହ୍ନରେ ଭିଡି ଓଟାରି ୨୪ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା ଗୃହ। ଆଜି ବି ଚାଷୀଙ୍କୁ ବିଧାନସଭା ନିରାଶ କରିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ଅପରାହ୍ନରେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ବିଧାନସଭା ଆରମ୍ଭ ହେବା ପୂର୍ବରୁ ସରକାର କହୁଛନ୍ତି, ବିରୋଧୀ ଦଳ ଯାହା ଆଣିବେ, ତାହା ଉପରେ ଆଲୋଚନା କରିବୁ।

ଆଉ ବିଧାନସଭାରେ ସରକାର ପଳାୟନପନ୍ଥୀ ସାଜୁଛନ୍ତି। ଅପରାହ୍ନରେ ଗୃହ ଆରମ୍ଭ ହେବା ମାତ୍ରେ ଶ୍ରୀ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଗୃହ ସରକାରୀ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। କିନ୍ତୁ ଦୁଇଦିନ ହେଲା କୌଣସି ସରକାରୀ କାର୍ଯ୍ୟ ହେଉନାହିଁ। କାର୍ଯ୍ୟସୂଚୀରେ ସରକାରୀ କାର୍ଯ୍ୟର ତାଲିକା ଥାଇ ଦୁଇଦିନ ଧରି କୌଣସି ଗୃହରେ କାର୍ଯ୍ୟ ନ ହେବା ବିଧାନସଭା ଇତିହାସରେ ବିରଳ ଘଟଣା ହେବ।

ବର୍ତମାନ ରାଜ୍ୟରେ ଚାଷୀର ସମସ୍ୟା ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି ବୋଲି ଦର୍ଶାଇ ବିରୋଧୀ ଦଳ ନେତା କହିଥିଲେ, ଗତ ଦୁଇମାସ ହେଲା ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଚାଲିଛି। ଏଥିପାଇଁ ସେ ଏହି ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ନିମନ୍ତେ ମୋସନ ଏବଂ ମୁଲତବୀ ପ୍ରସ୍ତାବ ଆଣିଥିଲେ। ଚାଷୀଙ୍କ ସଂପର୍କରେ ଆଲୋଚନା ହେବା କ’ଣ ରାଜ୍ୟ ସ୍ୱାର୍ଥ ନୁହେଁ ନା ସରକାରୀ କାର୍ଯ୍ୟ ନୁହେଁ? ଯଦି ଗୃହର ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ନ ଥିଲା, ଚାଷୀ ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବ ଉପରେ ଆଲୋଚନା ନିମନ୍ତେ ବାଚସ୍ପତି ଅନୁମତି ଦେଇପାରିଥାନ୍ତେ ବୋଲି ସେ କହିଥିଲେ।

ବାଚସ୍ପତି ତାଙ୍କୁ କହିବାକୁ ଦେଉନାହାନ୍ତି କିମ୍ବା ମୁଲତବୀ ପ୍ରସ୍ତାବକୁ ବି ଆଲୋଚନା ପାଇଁ ଗ୍ରହଣ କରୁନାହାନ୍ତି। ଅଥଚ, ଶାସକ ଦଳ ସଦସ୍ୟମାନେ ଗୃହ କାର୍ଯ୍ୟ ବର୍ଜନ କରି ରାଜଭବନ ଯାଇ ସ୍ମାରକପତ୍ର ପ୍ରଦାନ କରୁଛନ୍ତି। ଏ ନେଇ ରାଜ୍ୟପାଳଙ୍କ ସାକ୍ଷାତ ପାଇଁ ପୂର୍ବରୁ ନିଶ୍ଚିତ ଅନୁମତି ନିଆଯାଇଥିଲା। ଅର୍ଥାତ୍‌ ଏହା ପୂର୍ବ ପରିକଳ୍ପିତ ଯୋଜନା। ଯଦି ଗୃହରେ ସରକାରୀ କାର୍ଯ୍ୟ ନ ଚାଲେ, ତେବେ କାହିଁକି ସରକାରୀ ଅର୍ଥ ଖର୍ଚ ହେବ ଶ୍ରୀ ମିଶ୍ର କ୍ଷୋଭ ପ୍ରକଟ କରିଥିଲେ। ଏ ସଂପର୍କରେ ପ୍ରଥମେ ସିଦ୍ଧାନ୍ତ ନିଆଯାଉ, ନହେଲେ ବିରୋଧୀ ଦଳ ଗୃହ କାର୍ଯ୍ୟରେ ଯୋଗଦେବ ନାହିଁ କହି ଦଳର ସଦସ୍ୟମାନଙ୍କ ସହିତ କକ୍ଷତ୍ୟାଗ କରିଥିଲେ।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଗୃହରେ ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ ଚାଷୀ ଆତ୍ମହତ୍ୟା ଭଳି ସଙ୍ଗିନ ଘଟଣା ଉପରେ ଶାସକ ଦଳ ଆଲୋଚନା କରୁନାହାନ୍ତି। ବରଂ ରାଜ୍ୟପାଳଙ୍କ ସହିତ ପୂର୍ବରୁ ସାକ୍ଷାତ ସମୟ ଧାର୍ଯ୍ୟ ହୋଇଥିବାରୁ ସରକାରୀ ଦଳ ପକ୍ଷରୁ ଗୃହକୁ ମୁଲତବୀ କରାଯାଇଥିଲା ଏଥିସହିତ ବିଜେପି ବିଧାୟକମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ।

ସରକାରୀ ଦଳର ବରିଷ୍ଠ ବିଧାୟକ ମହେଶ ସାହୁ ଉଭୟ କଂଗ୍ରେସ ଏବଂ ବିଜେପି ବିରୋଧରେ ଅସନ୍ତୋଷ ଅଜାଡିଥିଲେ। କହିଥିଲେ, ବାରଣ ସତ୍ତ୍ୱେ ସେମାନେ ଗୃହକୁ ପ୍ଲାକାର୍ଡ, ଧାନକେଣ୍ଡା ଆଣୁଛନ୍ତି। ଚିତ୍ରବିଚିତ୍ର ପରିଧାନ କରି ଗୃହ କାର୍ଯ୍ୟରେ ବାଧା ଉପୁଜାଉଛନ୍ତି। ଏହାପରେ ବାଚସ୍ପତିଙ୍କ ନିର୍ଦେଶରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭିନ୍ନ ବିଜ୍ଞପ୍ତି, ସଂଶୋଧନ ପ୍ରସ୍ତାବ, ନିୟମାବଳୀର ବିଜ୍ଞପ୍ତି ଆଦି ଉପସ୍ଥାପନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ ଆରମ୍ଭ ହେଲା ମାତ୍ରେ ବିରୋଧୀ କଂଗ୍ରେସ ଦଳର ବିଧାୟକମାନେ ବ୍ୟାନର ପିନ୍ଧି ହଟ୍ଟଗୋଳ କରିଥିଲେ। ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି କୀଟନାଶକ ନମୁନା ପ୍ରଦର୍ଶନ କରିଥିଲେ। କେଇ ସେକେଣ୍ଡ ମଧ୍ୟରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ଶାସକ ଦଳର ମନ୍ତ୍ରୀ, ବିଧାୟକ ସମସ୍ତେ ରାଜଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସ୍ମାରକପତ୍ର ଦେଇଥିଲେ।

ଚାଷୀ ଆତ୍ମହତ୍ୟା : ପୁଣି ଫାଙ୍କିଦେଲେ ସରକାର

ଭୁବନେଶ୍ୱର : ଗତ ଜୁନ୍‌ ୭ ତାରିଖରେ ଗଞ୍ଜାମ ଜରଡାରେ ଚାଷୀ ହରିଶ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁର କାରଣ ଚାଷଜନିତ କ୍ଷତି କିମ୍ବା ଋଣ ନୁହେଁ। ବରଗଡ଼ର କଳାପାଣି ଅଞ୍ଚଳରେ ଚାଷୀ ବୃନ୍ଦାବନ ସାହୁ ନଭେମ୍ବର ପହିଲାରେ କରିଥିବା ଆତ୍ମହତ୍ୟା କାରଣ ଋଣ ଚାପ ଜନିତ ହୋଇନପାରେ। ଏହା ତଦନ୍ତାଧୀନ ରହିଛି। ଢେଙ୍କାନାଳ ନଭେମ୍ବର ୩ ତାରିଖରେ କାମାକ୍ଷାନଗର ଚାଷୀ ବାସୁ ହେମ୍ବ୍ରମ୍‌ ନା ଫସଲ କ୍ଷତି ଯୋଗୁଁ ଆତ୍ମହତ୍ୟା କରିଛନ୍ତି ନା କୌଣସି କୃଷିଭିତ୍ତିକ ଋଣ ଏହା ପଛର କାରଣ ହୋଇପାରେ। ପାରିବାରିକ ବିବାଦ କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି।

ଏକଥା ଆମେ କହୁନାହୁଁ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ଯୁଗ୍ମ ତଦନ୍ତ ରିପୋର୍ଟରେ ଏଭଳି ତଥ୍ୟ ଦିଆଯାଇଛି। ଆଉ ଏହି ରିପୋର୍ଟକୁ ଆଖିବୁଜା ଗ୍ରହଣ କରି ଆଜି ବିଧାନସଭାରେ କୃଷି ମନ୍ତ୍ରୀ ୨୦୧୬ ଓ ୨୦୧୭ରେ ହୋଇଥିବା ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ଯଦିଓ ଆତ୍ମହତ୍ୟା ଅଭିଯୋଗର ସଂଖ୍ୟା ଏହାଠାରୁ ଢେର୍‌ ବେଶୀ, କିନ୍ତୁ ସରକାରଙ୍କ ତଥ୍ୟ ୧୮ଟି ଆତ୍ମହତ୍ୟା ଅଭିଯୋଗର ରିପୋର୍ଟ ଉପରେ ପର୍ଯ୍ୟବେସିତ, ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଚାଷୀ ଆତ୍ମହତ୍ୟା କୃଷିଜନିତ କାରଣରୁ ହୋଇନାହିଁ।

ମନ୍ତ୍ରୀ କହିଛନ୍ତି, ଗତ ନଭେମ୍ବର ୫ ତାରିଖରେ ସୋହେଲା ବିଜାପାଲିରେ ଭକ୍ତ ଭୁଏ ଆତ୍ମହତ୍ୟା ପଛ କାରଣ କିଛି ଅଲଗା, ଫସଲ କ୍ଷତି କିମ୍ବା ଋଣ ଜନିତ ନୁହେଁ। ନଭେମ୍ବର ୪ ତାରିଖରେ ଆତ୍ମହତ୍ୟା କରିଥିବା ଅତାବିରାର ଆଳୟ ଜେନା, ୫ ତାରିଖରେ ଆତ୍ମହତ୍ୟା କରିଥିବା ବରଗଡ଼ ଅତାବିରାର ପି. ନବୀନ କୁମାର, ନଭେମ୍ବର ୧୮ ତାରିଖରେ ଆତ୍ମହତ୍ୟା କରିଥିବା ଗଞ୍ଜାମ କୁକୁଡାଖଣ୍ଡିର ଚାଷୀ ରାଜେନ୍ଦ୍ର ଭୂୟାଁର ମୃତ୍ୟୁର କାରଣ ମଧ୍ୟ କିଛି ଅଲଗା, ଚାଷ ସଂପର୍କିତ ଆଦୌ ନୁହେଁ ବୋଲି କୁହାଯାଇଛି। ୨୦୧୬ ମସିହାର୧୧ଟି ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ବି ସରକାର ତାଙ୍କ ତଦନ୍ତ ରିପୋର୍ଟରେ ଗିଳି ଦେଇଛନ୍ତି।

ତେବେ ସରକାର ଚାଷୀ ଆତ୍ମହତ୍ୟାକୁ ଫାଙ୍କିଦେବା ଘଟଣାକୁ ନା ଚାଷୀ ମହଲ ଗ୍ରହଣ କରିପାରୁଛନ୍ତି ନା ଚାଷୀ ସଂଗଠନ ବା ବୁଦ୍ଧିଜୀବୀ ମହଲ। ଏମାନଙ୍କର କହିବା କଥା ହେଉଛି, ସରକାର ପ୍ରଶାସନିକ ଅଧିକାରୀଙ୍କୁ ଆୟୁଧ କରି ଏଭଳି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁସାରେ, ୨୦୦୭ରେ ୨୪୦ ଜଣ କୃଷି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ଅର୍ଥାତ୍‌ ଚାଷୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦୮ରେ ୨୬୦, ୨୦୦୯ରେ ୧୫୪, ୨୦୧୦ ମସିହାରେ ୧୬୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୧୧ରେ ଏହି ସଂଖ୍ୟା ୧୪୪ ଥିଲା। ୨୦୧୨ରେ ୧୪୬. ୨୦୧୩ରେ ୧୫୦, ୨୦୧୪ରେ ୧୦୨ ଓ ୨୦୧୫ରେ ୫୦ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଏହି ରିପୋର୍ଟ ଦର୍ଶାଇଛି।

ଆଜି ସ୍ୱାଭାବିକ ହେବା ସମ୍ଭାବନା

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଆସନ୍ତାକାଲି ଗୃହକୁ ଫେରିପାରେ। ଆଜି ଅପରାହ୍ନ ୫ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଛି। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ବିଧାନସଭା ଗୃହ କମିଟିକୁ ଭେଟିବାକୁ ଅନୁମତି ଦେଇନଥିବା ସଂପର୍କରେ ଆସନ୍ତାକାଲି ଗୃହକୁ ଅବଗତ କରାଯିବ। ଏଥିଲାଗି କମିଟିର ରିପୋର୍ଟ ଗୃହରେ ଉପସ୍ଥାପିତ ହେବ। ତେବେ ପରବର୍ତୀ ପଦକ୍ଷେପ କଣ ନିଆଯିବ,ସେ ନେଇ ଗୃହରେ ପୁଣି ଥରେ ଆଲୋଚନା ହୋଇପାରେ।

ଆଜି ଗୃହ କମିଟି ବୈଠକ ପରେ ଏମିତି ସୂଚନା ମିଳିଛି। ଦୀର୍ଘ ଘଣ୍ଟାଏ କାଳ ଆଜି ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ପରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ବିଧାନସଭା ୨୮ ତାରିଖରେ ବସୁଥିବା ପରିପ୍ରେକ୍ଷୀରେ ପୂର୍ବ ବୈଠକର ନିଷ୍ପତ୍ତି ମୁତାବକ ଖୋଦ୍‌ ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ତାଙ୍କ କାର୍ଯ୍ୟାଳୟକୁ ସମୟ ମାଗିଥିଲେ। ମାତ୍ର ଏହା ଉପରେ କୌଣସି ପ୍ରତ୍ରିକ୍ରିୟା ଆସିନାହିଁ। ଆଜି ଏ ନେଇ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ଚାଷୀ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ବାଟ ଖୋଲିଛନ୍ତି। ଆଜି ବିଳମ୍ବିତ ରାତିରେ ସରକାରୀ ଦଳ ପକ୍ଷରୁ ବିଧାନସଭା ସଚିବାଳୟକୁ ଏକ ମୋସନ୍‌ ଦିଆଯାଇଥିବା ସୂଚନା ମିଳିଛି। ଯେଉଁଥିରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲହାନି ଓ ସରକାରଙ୍କ ପଦକ୍ଷେପ ତଥା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନ ଘଟିବା ସଂପର୍କରେ କୁହାଯାଇଛି। ତେବେ ବିଧାନସଭା ସଚିବାଳୟ ଏ ନେଇ ମୁହଁ ଖୋଲିନାହିଁ।

ଆଜି ପ୍ରଥମେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କୁ ଚିଠି ଲେଖି ସର୍ବଦଳୀୟ ବୈଠକ ପାଇଁ ଅନୁରୋଧ କରିଥିଲେ। ସେପଟେ ସରକାରଙ୍କ ତରଫରୁ ମଧ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ଶତପଥୀ ଓ ବିଧାୟକ ସଞ୍ଜୟ ଦାସବର୍ମା ବିରୋଧୀ ଦଳ ନେତାଙ୍କୁ ଭେଟି ଗୃହ ସ୍ୱାଭାବିକ କରିବା ସଂପର୍କରେ ଆଲୋଚନା କରିଥିଲେ। ଆସନ୍ତାକାଲି ଅପରାହ୍ନରେ ୨୦୧୭-୧୮ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ନେଇ ବିଧାନସଭାରେ ସର୍ବସମ୍ମତକ୍ରମେ ସଂକଳ୍ପ ପାରିତ ହୋଇଥିଲା। ଏହି ସଂକଳ୍ପ ସଂପର୍କରେ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ନେଇ ତିନିଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)କୁ ଯୋଗାଯୋଗ କରାଯାଇଥିଲା। ପିଏମ୍‌ଓରୁ କୌଣସି ଉତ୍ତର ମିଳିନାହିଁ।

ସମ୍ବନ୍ଧିତ ଖବର