ବିଧାନସଭା ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାଳୟର ବଦଳିବ ଠିକଣା

ଭୁବନେଶ୍ବର: ଏମ୍‌ଏଲ୍‌ଏ କଲୋନି ପରିସରରେ ଥିବା ଓଡ଼ିଶା ବିଧାନସଭା ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାଳୟର ଠିକଣା ବଦଳିବ। ଏମ୍‌ଏଲ୍‌ଏ କଲୋନିକୁ ଭାଙ୍ଗି ସେଠାରେ ବିଧାୟକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଯୋଜନା ହୋଇଛି। ଏପରିକି ଏବେ କିଛି ଅଂଶ ଭଙ୍ଗା ଆରମ୍ଭ ହୋଇଛି। ତେଣୁ ଆଗକୁ ଏହି ଦୁଇ ଚିକିତ୍ସାଳୟ ଆଉ ସେଠାରେ କାର୍ଯ୍ୟ ନ କରି ପୁରୁଣା ଏମ୍‌ଏଲ୍‌ଏ କ୍ୟାଣ୍ଟିନ୍‌ଠାରେ ଥିବା ନୂଆ ଘରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।

୧୯୯୩ ମସିହାରେ ଏହି ଦୁଇ ଡିସ୍‌ପେନସାରିକୁ ଏମ୍‌ଏଲ୍‌ଏ କଲୋନିରେ ପ୍ରତିଷ୍ଠା କରାଯାଇଥିଲା। ୨୭ବର୍ଷ ପରେ ଦୁଇ ଚିକିତ୍ସାଳୟର ଠିକଣା ବଦଳିବାକୁ ଯାଉଛି। ସୂଚନା ଅନୁସାରେ, ଏମ୍‌ଏଲ୍‌ଏ କଲୋନି ପରିସରରେ ଥିବା ପୁରୁଣା କ୍ୟାଣ୍ଟିନ୍‌ର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବିଲ୍ଡିଂରେ ସିଲିଂ ସମେତ ଚିକିତ୍ସାଳୟ ପାଇଁ ଉଦ୍ଦିଷ୍ଟ ଗୃହ ନିର୍ମାଣ କରାଯାଉଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସେଠାକୁ ଉଭୟ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡିସ୍‌ପେନସାରି ଉଠିଯିବ। ଏହାସହ ସେଠାରେ ଥିବା ପୁଲିସ ଫାଣ୍ଡି ଓ ରେଲୱେ ଟିକେଟ୍ କାଉଣ୍ଟର ମଧ୍ୟ ‌ସେହି ଅଞ୍ଚଳରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ହୋଇଛି। ତେବେ ନୂତନ ୭ ମହଲା ବିଶିଷ୍ଟ କୋଠାରେ ସ୍ବତନ୍ତ୍ର ଭାବେ ଏକ ମେଡିକାଲ କ୍ୟାମ୍ପସ ରହିବ। ଏହି କ୍ୟାମ୍ପସ୍‌ରେ ‌ଆୟୁର୍ବେଦିକ, ହୋମିଓପ୍ୟାଥିକ ଓ ଏଲୋପ୍ୟାଥିକ ଡିସ୍‌ପେନସାରି ଗୋଟିଏ ସ୍ଥାନରେ ରହିବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର