ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ ହେଲା ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି, ପୂର୍ବତନ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ବିଧାୟକ ରବି ଦାଶ ଓ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନ୍ସ ହାବିଲ୍ଦାର ସରୋଜ କୁମାର ଦାସ ଓ ପୂର୍ବତନ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ସିଆଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ(ଏମ୍) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଆଲୋଚନାରେ ଭାଗ ନେଇ ଦିବଂଗତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୂର୍ବତନ ବାଚସ୍ପତି ସ୍ବର୍ଗତ ମହାନ୍ତି ବାଚସ୍ପତି ଥିଲା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ରୁଲିଂ ଦେବା ସହ ଗୃହ ପରିଚାଳନାରେ ଉଦାହରଣ ଛାଡ଼ି ଯାଇଛନ୍ତି ବୋଲି ସେମାନେ କହିଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ପରେ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଦିବଂଗତ ବ୍ୟକ୍ତିମାନଙ୍କ ସମ୍ମାନାର୍ଥେ ଆଜି ଗୃହରେ କୌଣସି କାର୍ଯ୍ୟ ହେବ ନାହିଁ ବୋଲି ବାଚସ୍ପତି ଘୋଷଣା କରିବା ସହ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/1647368094_1644603585_odisha-legislative-assembly.jpg)