ରାଇରଙ୍ଗପୁର: ସହରାଂଚଳର ନାଗରିକମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସେବା ଓ ସହାୟତା ଯୋଗାଇ ଦେବା ପାଇଁ ମିସନ୍ ଶକ୍ତି ଗ୍ରୁପମାନଙ୍କ ଦ୍ୱାରା ଚୟନ କରାଯାଇଥିବା ୱାର୍ଡ଼ କ୍ୱାର୍ଡ଼ିନେଟର ମାନଙ୍କୁ ପ୍ରାୟ ଏକ ବର୍ଷରୁ ଅଧିକ ହେବ ବିଧିବଦ୍ଧ ଭାବେ କାର୍ଯ୍ୟରେ ନିୟୋଜନ କରାଯାଉନି କିମ୍ବା ଦରମା ଦିଆଯାଉନି ବୋଲି ଅଭିଯୋଗ କରି ୱାର୍ଡ଼ କ୍ୱର୍ଡ଼ିନେଟର ମାନେ ପ୍ରତିବାଦ କରିଛନ୍ତି। ନିଖିଳ ଓଡ଼ିଶା ପୌର ୱାର୍ଡ଼ କ୍ୱର୍ଡ଼ିନେଟର ୟୁନିଅନ୍ର ଡ଼କରାରେ ସମସ୍ତ ଜିଲ୍ଲାରେ ୱାର୍ଡ଼ କ୍ୱଡ଼ିନେଟରମାନେ ବିଭିନ୍ନ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ସମ୍ମୁଖରେ ବିକ୍ଷୋଭ କରିବା ସହ ତିନି ଦଫା ଦାବି ନେଇ ନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି।
ରାଇରଙ୍ଗପୁର ନିର୍ବାହୀ ଅଧିକାରୀ ପିତାମ୍ବର ନାଏକଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶରେ ସହରାଂଚଳର ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇବାକୁ ଚୟନ ହେବା ପରେ ୱାର୍ଡ଼ କ୍ୱର୍ଡ଼ିନେଟର ମାନେ ପ୍ରାୟ ଏକ ବର୍ଷ ଧରି ଅନିଶ୍ଚିତତା ଓ ମାନସିକ ଚିନ୍ତା ମଧ୍ୟରେ ରହିଛନ୍ତି। ବିଧିବଦ୍ଧ ଭାବେ ଭାବେ କାର୍ଯ୍ୟରେ ନିୟୋଜିତ କରିନଥିଲେ ମଧ୍ୟ ରାଜ୍ୟର ଅନେକ ୟୁଏଲ୍ବିରେ ସେମାନଙ୍କୁ ବିଭିନ୍ନ ସରକାରୀ କାମରେ ଅନଔପଚାରିକ ଭାବେ ବିନା ଦରମାରେ ମାସ ମାସ ଧରି ନିୟୋଜିତ କରିଛନ୍ତି। ୟୁଏଲ୍ବି ପକ୍ଷରୁ ହୋଲଡ଼ିଂ ଟିକସ ଆଦାୟଠାରୁ ଆରମ୍ଭ କରି ନୂତନ ଭୋଟର ପରିଚୟ ପତ୍ର ଓ ରାସନ କାର୍ଡ଼ ପ୍ରସ୍ତୁତି, ଟ୍ରେଡ଼୍ ଲାଇସେନ୍ସ୍,ମାସିକ ଭତ୍ତା ବଣ୍ଟନ, ନୂତନ ଏସ୍ଏଚ୍ଜି ଗଠନ, ଏସ୍ଏଚ୍ଜି ଗ୍ରୁପରମହିଳାମାନଙ୍କ ମାନଙ୍କର ଡ଼ାଟା ଏଂଟ୍ରି, ପରିମଳ ଅନୁଧ୍ୟାନ, ଷ୍ଟ୍ରିଟ୍ ଲାଇଟ୍ ଅନୁଧ୍ୟାନ, ଗ୍ରେ ୱାଟର ନୋଟିସ୍ ବଂଟନ, ପିଏଚ୍ଡ଼ି ପାଣି ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ, ଆଇଏଚ୍ଏଲ୍ ସର୍ଭେ ଆଦି ବିଭିନ୍ନ ପ୍ରକାର ସରକାରୀ ସେବାରେ ନିୟୋଜିତ କରାଯାଉଥିଲେ ସେମାନଙ୍କୁ ପ୍ରତିମାସରେ ନିଜର ନିର୍ଦ୍ଧାରିତ ଦରମା ଦିଆଯାଉନି। ୟୁଏଲବିର ନିର୍ବାହୀ ଅଧିକାରୀମାନେ ତାଙ୍କ ଦରମା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ବା ଚିଠି ଆସିନି ବୋଲି କହି ଏଡ଼େଇ ଚାଲିଛନ୍ତି।
ଏଭଳି ପରିସ୍ଥିତିରେ ୱାର୍ଡ଼ କ୍ୱର୍ଡ଼ିନେଟର ଭାବେ ନିୟୋଜିତ ରାଜ୍ୟର ସହସ୍ରାଧିକ ଶିକ୍ଷିତ ଯୁବତୀ ନିଜର ୟୁନିଅନ୍ ମାଧ୍ୟମରେ ଗତମାସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି। ଏହି ପରିପ୍ରେକ୍ଷୀରେ ସେମାନେ ନିଜର ନ୍ୟାୟସଙ୍ଗତ ଦାବିକୁ ପୁଣିଥରେ ରାଜ୍ୟ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଚଳିତ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ଅର୍ଥାତ୍ ୨୯ ଜୁଲାଇ ଦିନ “ବିଧାନସଭା ଚାଲ” ଅଭିଯାନର ଡ଼ାକରା ଦେବାକୁ ବାଧ୍ୟ ହୋଇଛନ୍ତି । ଦାବୀ ଗୁଡ଼ିକ ହେଲା:- ରାଜ୍ୟର ସମସ୍ତ ୟୁଏଲ୍ବିର ୱାର୍ଡ଼ କ୍ୱର୍ଡ଼ିନେଟର ମାନଙ୍କୁ ତୁରନ୍ତ ବିଧିବଦ୍ଧ ଭାବେ ନିର୍ଦ୍ଧାରିତ କାମରେ ନିୟୋଜିତ କରାଯାଉ, ୱାର୍ଡ଼ କ୍ୱର୍ଡ଼ିନେଟର ମାନଙ୍କ ଦରମା ସମ୍ପର୍କରେ ରହିଥିବା ସମସ୍ତ ଅସ୍ପଷ୍ଟତାକୁ ଦୂର କରି ପ୍ରତିମାସରେ ଆମର ନିର୍ଦ୍ଧାରିତ ଦରମାକୁ ନିୟମିତ ଭାବେ ପ୍ରଦାନ କରାଯାଉ,ଯେଉଁ ୟୁଏଲବି ମାନେ ପୂର୍ବରୁ ୱାର୍ଡ଼ କର୍ଡିନେଟର ମାନଙ୍କୁ କାମରେ ନିୟୋଜିତ କରି କୌଣସି ପାରଶ୍ରମିକ ବା ଦରମା ଦେଇନାହାନ୍ତି, ସେମାନଙ୍କୁ ତୁରନ୍ତ ନିଜସ୍ୱ ପାଣ୍ଠିରୁ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଉ।