ଭୁବନେଶ୍ବର: ବିଧାନସଭାର ବଜେଟ୍‌ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ଏହି ୬ ଦିନ ଭିତରେ ଆଉ ୪ଟି କାର୍ଯ୍ୟ ଦିବସ ଥିଲା।  ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ମୋଟ ୨୩ଟି କାର୍ଯ୍ୟ ଦିବସ ଚାଲିଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଏହି ଅଧିବେଶନରେ ପାରିତ ହୋଇଥିଲା । ରାଜ୍ୟ ସରକାର ଗୃହରେ ଉପସ୍ଥାପନ କରିଥିବା ତିନୋଟି ବିଲ୍‌କୁ ପ୍ରତ୍ୟାହାର କରି ନେଇଥିଲେ।

Advertisment

ତେବେ ଏହି ଅଧିବେଶନ ଆରମ୍ଭରୁ ଶେଷ ଯାଏଁ ବେଶ ସରଗରମ ରହିଥିଲା। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ,  ୫-ଟି ରୂପାନ୍ତରଣ ପ୍ରସଙ୍ଗ, ଅଫିସର ରାଜ୍, ସୀମା ବିବାଦ, ମହାନଦୀ ଜଳବିବାଦ, ଜାଲ ସାର୍ଟିଫିକେଟ ଭଳି ପ୍ରସଙ୍ଗକୁ ବିରୋଧୀ ଦଳ ମୁଖ୍ୟ ମୁଦ୍ଦା କରିଥିଲେ। ତେବେ ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜେ ଗ୍ରହଣ କରି ପାରି ନଥିଲେ ବିରୋଧୀ। ଉଭୟ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିବା ବେଳେ ବିଜେପି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲା। ବିଭିନ୍ନ ପ୍ରସଙ୍ଗରେ ସରକାର ଉତ୍ତର ଦେଇ ପାରୁ ନଥିବାରୁ ପଳାୟନପନ୍ଥୀ ସାଜିଥିବା ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା। କଂଗ୍ରେସ ବି ଏହାକୁ ନିନ୍ଦା କରିବା ସହ ଅଗଣତାନ୍ତ୍ରିକ ବୋଲି କହିଛି। ସେପଟେ ବିଜେଡି କହିଛି ଗୃହର ସେପରି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଅଧିବେଶନକୁ ସମାପ୍ତ କରାଯାଉଛି।