୨୫ରୁ ବିଧାନସଭାର ବଜେଟ୍‌ ଅଧିବେଶନ, ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ବିଳମ୍ବ

କୋଭିଡ୍ ଟେଷ୍ଟ୍ ଆରମ୍ଭ , ୩୦ରେ ବଜେଟ୍

ଭୁବନେଶ୍ବର : ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ଆଜି ପୌର ନିର୍ବାଚନ ପାଇଁ ମତଦାନ ହେଉଥିବାରୁ କୌଣସି ରାଜନୈତିକ ଦଳ ତାଙ୍କ ରଣନୀତି ପ୍ରସ୍ତୁତ କରିପାରି ନାହାନ୍ତି। ଅଧିବେଶନର ପ୍ରଥମ ଦିନ ହିଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିବା ନେଇ ଆପାତତଃ ସ୍ଥିର ହୋଇଛି। ବିଜେଡି ବୈଠକ ସେହିଦିନ ସକାଳ ୧୦ଟା ୩୦ରେ ବସିବ। କଂଗ୍ରେସ ବୈଠକ ୨୫ ତାରିଖରେ ବିଧାନସଭା ପରିସରରେ ହେବ। ବିଜେପି ପକ୍ଷରୁ ୨୪ ତାରିଖ ସନ୍ଧ୍ୟାରେ ବୈଠକ ଡାକିବା ପାଇଁ ପ୍ରସ୍ତୁତି ଚାଲିଛି। ନିର୍ବାଚନ ପାଇଁ ତାହା ସମ୍ଭବ ନ ହେଲେ ୨୫ ତାରିଖ ସକାଳୁ ବୈଠକ ବସିବ।

ବିଧାନସଭାର ଗତ ଶୀତ ଅଧିବେଶନ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା। ଗୋଟିଏ ଦିନ ବି ଗୃହ ସୁରୁଖୁରୁରେ ଚାଲିପାରି ନ ଥିଲା। ତେଣୁ ବିରୋଧୀ ଦଳ ଏଥର ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ କି ରଣନୀତି ପ୍ରସ୍ତୁତ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହା ମଧ୍ୟରେ ଦୁଇ ଦୁଇଟି ନିର୍ବାଚନ ସରିଛି। ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ପୁଣି ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଅର୍ଥାତ ୨୬ ତାରିଖରେ ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ତେଣୁ ଅଧିବେଶନରେ ତାହାର ପ୍ରଭାବ ରହିବ। ଯଦିଓ ଏହି ଅଧିବେଶନର ଅବଧି ସ୍ବଳ୍ପ, ତେବେ ଘଟଣାବହୁଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଏଥର ବିଧାନସଭା ଅଧିବେଶନ କୋଭିଡ୍ କଟକଣା ମଧ୍ୟରେ ହେବ। ଆଜିଠାରୁ ବିଧାନସଭା ପରିସରରେ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜର କୋଭିଡ୍ ଟେଷ୍ଟ କରାଇଥିଲେ। ସବୁ ମନ୍ତ୍ରୀ, ବିଧାୟକ, ବିଧାୟିକା, ବିଧାନସଭା କର୍ମଚାରୀ, ଅଫିସର, ଗଣମାଧ୍ୟମ ପ୍ରତିନିଧିଙ୍କର ଆରଟିପିସିଆର, ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି। ପୌର ନିର୍ବାଚନ ପାଇଁ ଏବେ ବିଧାୟକମାନେ ନିର୍ବାଚନୀ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେଣୁ ସେମାନେ ଚାହିଁଲେ ଜିଲ୍ଲା ସ୍ତରରେ କୋଭିଡ୍ ଟେଷ୍ଟ କରି ରିପୋର୍ଟ ଦେଇପାରିବେ। ଏଥି ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ବିଧାନସଭାର କାର୍ଯ୍ୟସୂଚୀ ଅନୁଯାୟୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୬ଟି କାର୍ଯ୍ୟଦିବସ ରହିଛି। ୨୫ ତାରିଖ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିବେ। ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳ ଏବଂ ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ। ଏହା ପରେ ଗୃହ ମୁଲତବୀ ରହି ପୁଣି ୪ଟାରେ ଆରମ୍ଭ ହେବ। ପରଦିନ ଠାରୁ ଗୃହ କାର୍ଯ୍ୟ ଦିନ ୧୦.୩୦ରୁ ୧.୩୦ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ୪ ରୁ ୬ଟା ଏପରି ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟାଚାଲିବ। ୨୭ ତାରିଖ ରବିବାର ଦିନ ଗୃହ କାର୍ଯ୍ୟ ବନ୍ଦ ରହିବ। ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ।

ସମ୍ବନ୍ଧିତ ଖବର