ସମ୍ବଲପୁର ସଦର ଦ୍ବୈତ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୯୪୬ ମସିହା (୧୯୪୬-୫୨)ରେ ନିର୍ବାଚିତ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ବୋଧରାମ ଦୁବେ। ସ୍ବାଧୀନତା ପରେ ହୀରାକୁଦ ବନ୍ଧ ନିର୍ମାଣକୁ ବିରୋଧ କରି ୧୯୪୯ ମସିହାରେ ସଭ୍ୟ ପଦରୁ ଇସ୍ତଫା ଦେଲେ ଏଣୁ ଉପ-ନିର୍ବାଚନ ଅନୁଷ୍ଠିତ ହେଲା। କଂଗ୍ରେସ ଦଳ ତରଫରୁ ଭଲଭାବରେ କହିବୁଝି ପାରୁନଥିବା ଲକ୍ଷପତି କେନ୍ଦୁପତ୍ର ବ୍ୟବସାୟୀ ଝାରସୁଗୁଡ଼ାର ଶିଓମଙ୍ଗଳ ଅଗସ୍ତିଙ୍କୁ ପ୍ରାର୍ଥୀ କରାଗଲା। କଂଗ୍ରେସ ନେତା ଶ୍ରଦ୍ଧାକର ସୂପକାରଙ୍କୁ ଟିକେଟ୍ ନମିଳିବାରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢ଼ିଲେ। ସେ ସମୟରେ ସାବାଳକ ଭୋଟ ପ୍ରଚଳନ ନଥିଲା। ଯେଉଁମାନେ ଏକ ନ୍ୟୁନତମ ଖଜଣା (ଚୌକିଦାର ଖଜଣା) ଦେଉଥିଲେ ବା ଏକ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଥିଲା ସେମାନେ ଭୋଟ ଦେଉଥିଲେ। ମହିଳା ଭୋଟରଙ୍କ ସଂଖ୍ୟା ଅତି ଅଳ୍ପ ଥିଲା। ଗୋଟିଏ ଗୋଟିଏ ଥାନାରେ ଭୋଟର ସଂଖ୍ୟା ଥିଲା ପ୍ରାୟ ଦୁଇତିନି ହଜାର। ସ୍ବାଧୀନ ପ୍ରାର୍ଥୀ ଶ୍ରଦ୍ଧାକର ସୂପକାର ପ୍ରାୟ ୩ ଶହ ଭୋଟରେ ଜୟଯୁକ୍ତ ହୋଇ ଉପନିର୍ବାଚନ ଜିଣି ୧୯୪୯ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ବିଧାନସଭା ବଜେଟ୍ ଅଧିବେଶନରେ ଶପଥ ଗ୍ରହଣ କଲେ।
୧୯୫୧-୧୯୫୨ ବିଧାନସଭା ନିର୍ବାଚନରେ ପଦ୍ମପୁର ଦୈତ ଆସନରୁ ନିର୍ବାଚିତ ହୋଇଥିଲେ ଲାଲରଂଜିତ ସିଂବରିହା। ମାନସିକ ବ୍ୟାଧି ରୋଗରେ ରାଂଚିରେ ୧୯୫୪ରେ ପରଲୋକ ଗମନ କଲେ, ତେଣୁ ଉପନିର୍ବାଚନ ଅନୁଷ୍ଠିତ ହେଲା ଏବଂ କଂଗ୍ରେସ ପ୍ରାର୍ଥୀ ବୀର ବିକ୍ରମାଦିତ୍ୟ ସିଂବରିହା ୧୭୨୪୩ ଖଣ୍ଡ ଭୋଟ ପାଇ ୧୦୩୨୨ ଭୋଟ ପାଇଥିବା ଲାଲ ମିତ୍ରୋଦୟ ସିଂବରିହା (ଗ.ପ.)ଙ୍କୁ ପରାସ୍ତ କଲେ।
୧୯୬୧ ନିର୍ବାଚନରେ ଝାରସୁଗୁଡ଼ାରୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ ବିନୋଦ ବିହାରୀ ବରିହା। ମାତ୍ର ସେ ସମୟରେ ତାଙ୍କୁ ୨୫ ବର୍ଷ ହୋଇନଥିଲା ବୋଲି ସ୍କୁଲ ପ୍ରବେଶିକା ପରୀକ୍ଷା ରେଜିଷ୍ଟାରରୁ ଜଣାପଡ଼ିଲା। ଏଣୁ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ମନୋହର ନାୟକ ଏକ ନିର୍ବାଚନ ମକଦ୍ଦମା ସମ୍ବଲପୁର ଡିଷ୍ଟିକ ଜଜ୍ ଅଦାଲତରେ ଦାଖଲ କଲେ। ଶ୍ରୀ ବରିହା ବିଧବା ମାତା ତଥା ଜଣେ ଜ୍ୟୋତିଷଙ୍କୁ ସାକ୍ଷୀ ଦେଇ ଏକ ଜାତକ ପେଶ କଲେ। ମାତ୍ର ବରିହାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ହେଲା। ସେ ଅପିଲ୍ରେ ମଧ୍ୟ ହାରିଗଲେ ଏଣୁ ଉପନିର୍ବାଚନ ଅନୁଷ୍ଠିତ ହେଲା। ଉପନିର୍ବାଚନ ସମୟରେ ବରିହାଙ୍କ ବୟସ ୨୫ରୁ ଊର୍ଦ୍ଧ୍ବ ହୋଇ ସାରିଥିବା ଯୋଗୁଁ ପୁଣି କଂଗ୍ରେସ ପ୍ରାର୍ଥୀ ହେଲେ ଏବଂ ଉପନିର୍ବାଚନରେ ଜୟଯୁକ୍ତ ହେଲେ।
୧୯୫୧-୫୨ ନିର୍ବାଚନରେ ଦେବଗଡ଼ ଦ୍ବୈତ ନିର୍ବାଚନ ମଣ୍ଡଳୀରୁ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ହରପ୍ରସାଦ ଦେବ ଜିଣିଥିଲେ। ମାତ୍ର ସେ ଦଳତ୍ୟାଗ କରି କଂଗ୍ରେସରେ ଯୋଗଦେବା ସହିତ ବିଧାୟକ ପଦରୁ ଇସ୍ତଫା ଦେଇ ଓଡ଼ିଶା ପ୍ରଶାସନିକ ସେବା ଆୟୋଗର ସଭ୍ୟ ଭାବରେ ନିଯୁକ୍ତି ପାଇଲେ। ଏଣୁ ଉପନିର୍ବାଚନ ଅନୁଷ୍ଠିତ ହେଲା ତଥା ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଇନ୍ଦୁଭୂଷଣ ମହାନ୍ତି ୧୦୯୩୭ ଖଣ୍ଡ ଭୋଟ ପାଇ ୯୮୫୧ ଭୋଟ ପାଇଥିବା ସ୍ବାଧୀନ ପ୍ରାର୍ଥୀ ବଡ଼କୁମାର ପ୍ରତାପ ଗଙ୍ଗଦେବ ଏବଂ ୯୩୩୦ ଭୋଟ ପାଇଥିବା କଂଗ୍ରେସ ପ୍ରାର୍ଥୀ ଜି. ଗୋନ୍ତିଙ୍କୁ ପରାସ୍ତ କଲେ।
୧୯୯୦ ନିର୍ବାଚନରେ ବିଜେପୁରରୁ ଜିଣିଥିଲେ ଜନତା ଦଳ ପ୍ରାର୍ଥୀ ନିକୁଞ୍ଜ ବିହାରୀ ସିଂ। ତାଙ୍କ ପରଲୋକ ପରେ ସେଠାରେ ଉପ-ନିର୍ବାଚନ ହେଲା ୧୯୯୧ ମସିହାରେ। ମୋଟ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଲେ ତଥା ଜନତା ଦଳ ପ୍ରାର୍ଥିନୀ ମୃତ ବିଧାୟକଙ୍କ ବିଧବା ପତ୍ନୀ କିଶୋରୀମଣି ସିଂ ୪୪୭୫୬ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ମୋହନ ନାଗ (କଂଗ୍ରେସ)ଙ୍କୁ ୨୦୪୯୨ ଖଣ୍ଡ ଭୋଟରେ ପରାସ୍ତ କଲେ।
ସୁବଳ ସାହୁ (କଂଗ୍ରେସ) ନିର୍ବାଚିତ ହୋଇଥିଲେ ସେହି ବିଜେପୁରରୁ ୨୦୧୪ ନିର୍ବାଚନରେ। ମାତ୍ର କର୍କଟ ରୋଗରେ ତାଙ୍କ ଅକାଳ ବିୟୋଗ ହେବାରୁ ଉପ-ନିର୍ବାଚନ ହେଲା ତଥା ତାଙ୍କ ପତ୍ନୀ ରୀତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ ବହୁ ଭୋଟରେ ଜୟଯୁକ୍ତ ହୋଇଥିଲେ।
ବରଗଡ଼ ବିଧାନସଭାରୁ ୧୯୯୫ରେ ପ୍ରସନ୍ନ ଆଚାର୍ଯ୍ୟ (ଜନତା ଦଳ) ନିର୍ବାଚିତ ହୋଇଥିଲେ। ମାତ୍ର ସେ ଲୋକସଭାକୁ ନିର୍ବାଚିତ ହୋଇ ବିଧାୟକ ପଦ ଛାଡ଼ିବା କାରଣରୁ ଉପନିର୍ବାଚନ ହେଲା ତଥା ତାଙ୍କ ବଡ଼ଭାଇ ଆନନ୍ଦ ଆଚାର୍ଯ୍ୟ (ବିଜେଡି) ୪୧୬୬୭ ଖଣ୍ଡ ଭୋଟ ପାଇ କଂଗ୍ରେସର ସୁରେଶ୍ବର ଶତପଥୀ (୩୪୩୦୪ ଭୋଟ)ଙ୍କୁ ପରାସ୍ତ କରିଥିଲେ। ସେ ନିର୍ବାଚନ ତା୫.୬.୯୮ରେ ଅନୁଷ୍ଠିତ ହୋଇଥିଲା ଏବଂ ମୋଟ ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସ୍ବର୍ଗତ ଯଦୁମଣି ପଧାନ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢ଼ି ୭୦୯୫ ଖଣ୍ଡ ଭୋଟ ପାଇଥିଲେ। ସୂଚନାଯୋଗ୍ୟ, ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟ ହୋଇଥିଲେ ଓଡ଼ିଶାର ପ୍ରଥମ ବିଜେଡି ବିଧାୟକ।
ବିଶିଷ୍ଟ କମ୍ୟୁନିଷ୍ଟ ନେତା ପ୍ରସନ୍ନ ପଣ୍ଡା ୧୯୯୫ ମସିହାରେ ବ୍ରଜରାଜନଗର ବିଧାନସଭାରୁ ନିର୍ବାଚିତ ହୋଇଥିଲେ ଏବଂ କାର୍ଯ୍ୟକାଳ ମଧ୍ୟରେ ତା.୨୬.୧୨.୧୯୯୭ରେ ତାଙ୍କ ପରଲୋକ ହେଲା। ଶ୍ରୀ ପଣ୍ଡା ପିଲାଦିନରୁ ମହିମା ଧର୍ମ ପ୍ରତି ଆକୃଷ୍ଟ ଥିଲେ। ପରେ ଚିତ୍ରକଳା ଓ ଚାରୁକଳା ଶିକ୍ଷା ପାଇଁ କଲିକତା ଆର୍ଟ ସ୍କୁଲରେ ୧୯୩୯ରେ ନାମ ଲେଖାଇ ୧୯୪୬ ପର୍ଯ୍ୟନ୍ତ କଲିକତାରେ ରହିଥିଲେ; ତାଙ୍କ ସହପାଠୀ ଥିଲେ ବିଖ୍ୟାତ ଚିତ୍ରଶିଳ୍ପୀ ମୁରଲୀଧର ଟାଲି। ଏହି ମହାନ ଚିତ୍ରଶିଳ୍ପୀ ତଥା ଜନସେବୀଙ୍କ ପରଲୋକ ପରେ ବ୍ରଜରାଜନଗର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଲା। ୨୨.୨.୯୮ରେ ଅନୁଷ୍ଠିତ ଏହି ଉପନିର୍ବାଚନରେ ମୋଟ ୧୬୬୦୬୨ ଭୋଟ ମଧ୍ୟରୁ ୯୪୯୩୫ ଖଣ୍ଡ ମତଦାନ ହୋଇଥିଲା। ମୋଟ ୭ ଜଣ ପ୍ରାର୍ଥୀ ଥିଲେ ଏବଂ କଂଗ୍ରେସର କେଶବ ସାହୁ ୨୮୪୭୬ ଖଣ୍ଡ ଭୋଟ ପାଇ ବିଜୁ ଜନତା ଦଳ ପ୍ରାର୍ଥିନୀ ରାଧାରାଣୀ ପଣ୍ଡା (୨୭୯୫୪ ଭୋଟ)ଙ୍କୁ ପରାସ୍ତ କରିଥିଲେ।
ରେଢ଼ାଖୋଲ ବିଧାୟକ ଦୁେର୍ଯ୍ୟାଧନ ସୋହେଲା (ବିଜେଡି)ଙ୍କ ୪.୮.୨୦୦୧ରେ ପରଲୋକ ଯୋଗୁଁ ୨୦.୯.୨୦୦୧ ଦିନ ଉପନିର୍ବାଚନ ହେଲା ଏବଂ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କଲେ। ବିେଜେଡି ସନାତନ ବିଶି ୪୫୯୨୫ ଭୋଟ ପାଇ କଂଗ୍ରେସର ଅଶୋକ ବେରିହା (୩୧୩୪୪ ଭୋଟ)ଙ୍କୁ ପରାସ୍ତ କଲେ। ଅନୁସୂଚିତ ଜାତି ସଂରକ୍ଷିତ ଏହି ନିର୍ବାଚନରେ ୯୦୯୭୭ ଖଣ୍ଡ ମତଦାନ ହୋଇଥିଲା।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ପାଇଁ ମଧ୍ୟ ୧୯୫୨-୧୯୫୭ ମଧ୍ୟରେ ଉପନିର୍ବାଚନ ହୋଇଥିଲା ଏବଂ କଂଗ୍ରେସ ପ୍ରାର୍ଥୀ ରାଜା କିଶୋର ଦେବ ଗ.ପ.ର ଏସ୍. ସାହୁ ଓ ସ୍ବାଧୀନ ପ୍ରାର୍ଥୀ ଦୁତିଆ ରାଉଳଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ଏଠାରେ ଗ.ପ. ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ।
ସୁନ୍ଦରଗଡ଼ ଜିଲ୍ଲା ତଲସରା ବିଧାୟକ ଗଜାଧର ମାଝିଙ୍କ ୨୧.୫.୨୦୦୬ ଦିନ ପରଲୋକ ପରେ ଉପନିର୍ବାଚନ ହୋଇ ମୋଟ ୧୦ ଜଣ ପ୍ରାର୍ଥୀ ମଧ୍ୟରୁ କଂଗ୍ରେସର ଡା. ପ୍ରଫୁଲ୍ଲ ମାଝୀ ମୋଟ ୪୪୩୯୧ ଖଣ୍ଡ ଭୋଟ ପାଇ ବିଜେପିର ସହଦେବ ଖାଖା (୪୧୮୧୭ ଭୋଟ)ଙ୍କୁ ପରାସ୍ତ କରିଥିଲେ।
ସୁନ୍ଦରଗଡ଼ ସଦର ବିଧାୟକ ପରଲୋକ ପାଇଁ ମଧ୍ୟ ୨୧.୪.୨୦୦୫ରେ ଉପନିର୍ବାଚନ ହୋଇ ବିଜେପିର ସୁଷମା ପଟେଲ କଂଗ୍ରେସର କିଶୋର ପଟେଲଙ୍କୁ ପରାସ୍ତ କରିଥିଲେ। ମୋଟ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ନିର୍ବାଚିତ ପ୍ରାର୍ଥୀ ୫୩୬୪୧ ଖଣ୍ଡ ଭୋଟ ପାଇଥିଲେ।
ମୁଖ୍ୟମନ୍ତ୍ରୀ ପଦରେ ଥାଇ ରାଉରକେଲାରୁ ଉପନିର୍ବାଚନ ଲଢ଼ିଥିଲେ ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାଶ। ୧୯୭୧ ନିର୍ବାଚନ ପରେ ବିଶ୍ବନାଥ ଦାଶଙ୍କ ମିଳିତ ସାମ୍ମୁଖ୍ୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମନୋନୀତ କରାଯାଇଥିଲେ ମଧ୍ୟ ସେ ବିଧାନସଭାକୁ ନିର୍ବାଚିତ ହୋଇନଥିଲେ। ରାଉରକେଲାରୁ ନିର୍ବାଚିତ ବାଲେଶ୍ବରର ଲୋକସଭା ସାଂସଦ ଶ୍ୟାମସୁନ୍ଦର ମହାପାତ୍ର (କଂ) ନିର୍ବାଚିତ ହୋଇଥିଲେ। ମାତ୍ର ସେ ଇସ୍ତଫା ଦେଲେ, ତେଣୁ ଉପନିର୍ବାଚନ ଅନୁଷ୍ଠିତ ହେଲା। ମୋଟ ୭ ଜଣ ଲଢ଼ିଥିଲେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ବିଶ୍ବନାଥ ଦାଶ ଓ କଂଗ୍ରେସ ପ୍ରାର୍ଥୀ ବିନାୟକ ଆଚାର୍ଯ୍ୟଙ୍କ ମଧ୍ୟରେ ଲଢ଼େଇ େହଲା। ୨୧୩୦୮ ଖଣ୍ଡ ଭୋଟ ପାଇ ବିଶ୍ବନାଥ ଦାଶ ୧୯୪୫୬ ଖଣ୍ଡ ଭୋଟ ପାଇଥିବା ବିନାୟକ ଆଚାର୍ଯ୍ୟଙ୍କୁ ପରାସ୍ତ କଲେ।
ବଣେଇଁ ବିଧାୟକ ଜୁଏଲ ଓରାମ (ବିଜେପି) ୧୯୯୮ରେ ଲୋକସଭାକୁ ନିର୍ବାଚିତ ହେବାରୁ ବିଧାୟକ ପଦ ଛାଡ଼ିଲେ। ତେଣୁ ୩.୬.୯୮ ଦିନ ଉପନିର୍ବାଚନ ହୋଇ ୫.୬.୯୮ରେ ଗଣତି ଫଳ ପ୍ରକାଶ ପାଇଲା। ମୋଟ ୧୨୯୫୨୬ ଭୋଟ ମଧ୍ୟରୁ ୭୨୫୨୨ ମତଦାନ ହେଲା ଏବଂ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ୩୫୫୩୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହେଲେ। ଅନ୍ୟ ପ୍ରାର୍ଥୀ ଦୟାନିଧି କିଶାନ, ଲକ୍ଷ୍ମଣ ମୁଣ୍ଡା ଓ ହିମାଦ୍ରୀ କିଶାନ ପରାସ୍ତ ହେଲେ।
ବଲାଙ୍ଗୀର ବିଧାୟକ ଥିଲେ ନନ୍ଦକିଶୋର ମିଶ୍ର (ଗ.ପ.)। ୧୯୫୧-୫୨ ନିର୍ବାଚନରେ ସେ କଂଗ୍ରେସର କପିଳେଶ୍ବର ପ୍ରସାଦ ନନ୍ଦଙ୍କୁ ପରାସ୍ତ କରିଥିଲେ। ସରକାରଙ୍କ ଜଙ୍ଗଲ ନୀତିକୁ ସେ ବିଧାନସଭାରେ ବିରୋଧ କରି ସୁଫଳ ନ ପାଇବାରୁ ପ୍ରତିବାଦ ସ୍ବରୂପ ୧୯୫୬ରେ ବିଧାୟକ ପଦରୁ ଇସ୍ତଫା ଦେଇଦେଲେ। ଉପନିର୍ବାଚନ ଅନୁଷ୍ଠିତ ହେଲା ଏବଂ ବିରୋଧୀ କୌଣସି ପ୍ରାର୍ଥୀ ଦେଇନପାରିବାରୁ ସେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହେଲେ।
୨୦୦୦ ନିର୍ବାଚନରେ ନିର୍ବାଚିତ ବିଜେଡି ପ୍ରାର୍ଥୀ ବୈଷ୍ଣବ ପ୍ରଧାନଙ୍କ ପରଲୋକ ଯୋଗୁଁ ବୀରମହାରାଜପୁରରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେପ୍ଟେମ୍ବର ମାସ ୨୦୦୩ ମସିହାରେ। ମୋଟ ୪ ଜଣ ପ୍ରାର୍ଥୀ ସଂଜୀବ ସାହୁ ବିଜେଡି (୫୬୪୨୮), ପୁଷ୍ପାଞ୍ଜଳି ପଧାନ ସ୍ବାଧୀନ (୨୯୨୮୭), ଅଶୋକ ପୁରୋହିତ କଂଗ୍ରେସ (୧୫୧୦୪) ଓ ଘନଶ୍ୟାମ ଭୋଇ ଆରପିଆଇ (୪୪୨୫) ନିର୍ବାଚନ ଲଢ଼ି ବିଜେଡ଼ି ପ୍ରାର୍ଥୀ ଜୟଯୁକ୍ତ ହେଲେ।
କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ୧୯୫୭ ନିର୍ବାଚନରେ ଉଭୟ କଳାହାଣ୍ଡି ଲୋକସଭା ଓ ଭବାନୀପାଟଣା ବିଧାନସଭାରୁ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଭାବରେ ନିର୍ବାଚିତ ହେବା ଯୋଗୁଁ ବିଧାନସଭା ଆସନ ଛାଡ଼ିଥିଲେ। ତେଣୁ ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ତଥା ସିଧାସଳଖ ଲଢ଼େଇରେ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଚନ୍ଦ୍ରଶେଖର ପଧାନ ୧୯୧୧୮ ଖଣ୍ଡ ଭୋଟ ପାଇ ୫୬୪୮ ଭୋଟ ପାଇଥିବା କଂଗ୍ରେସ ପ୍ରାର୍ଥୀ ଯୋଗେଶ ଚନ୍ଦ୍ର ସିଂହଦେଓଙ୍କୁ ପରାସ୍ତ କରିଥିଲେ।
୧୯୭୧ ନିର୍ବାଚନରେ କୋକସରାରୁ ନିର୍ବାଚିତ ହୋଇଥିଲେ ସ୍ବତନ୍ତ୍ର ଦଳର ବୀର କେଶରୀ ଦେଓ। ତାଙ୍କ ପରଲୋକ ଯୋଗୁଁ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେ ଉପନିର୍ବାଚନରେ ରଘୁନାଥ ପ୍ରହରାଜ ସ୍ବତନ୍ତ୍ର (୧୬୯୫୮), ଜି. ଆର୍. ନାୟକ କଂଗ୍ରେସ (୭୭୪୭) ଓ ଜେ.କେ. ସିଂ ସ୍ବାଧୀନ (୨୫୮୩) ନିର୍ବାଚନ ଲଢ଼ି ସ୍ବତନ୍ତ୍ର ଦଳ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ।
ଜୁନାଗଡ଼ ବିଧାୟକ ବିକ୍ରମ କେଶରୀ ଦେଓ (ବିଜେପି) ୧୯୯୮ ଲୋକସଭା ନିର୍ବାଚନ ଜିଣିବା ଯୋଗୁଁ ବିଧାୟକ ପଦ ଛାଡ଼ିଲେ। ତେଣୁ ଉପ ନିର୍ବାଚନ ଅନୁଷ୍ଠିତ ହେଲା। ୫.୬.୯୮ରେ ଫଳାଫଳ ଜଣାପଡିଥିବା ଏହି ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ଲଢ଼ିଥିଲେ ମଧ୍ୟ ମୁଖ୍ୟ ଲଢ଼େଇ ବିଜେପି ଓ କଂଗ୍ରେସ ମଧ୍ୟରେ ଥିଲା। ବିଜେପି ପ୍ରାର୍ଥୀ ହିମାଂଶୁ ମେହେର ୨୭୨୩୦ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଅଭିମନ୍ୟୁ ପଣ୍ଡା ୨୫୫୮୧ ଖଣ୍ଡ ଭୋଟ ପାଇଥିଲେ। ବିଜେପି ପ୍ରାର୍ଥୀ ଜିଣିଥିଲେ।
ଘାସିରାମ ମାଝୀ ଜନତା ଦଳଙ୍କ ବିଧାୟକ ଥାଇ ୨୩.୪୯୭ରେ ପରଲୋକ ହେଲା। ତେଣୁ ୨୯.୫.୯୭ରେ ଭୋଟ ଗ୍ରହଣ ହୋଇ ୩୧.୫.୯୭ରେ ଗଣତି ହେଲା। ମୋଟ ୧୩୭୬୩୩ ଭୋଟର ମଧ୍ୟରୁ ୮୩୬୭୮ ଭୋଟ ଦେଲେ। ବିଜୟୀ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକ ୩୧୪୨୫ ଖଣ୍ଡ ଭୋଟ ପାଇଲେ ଏବଂ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ୨୫୧୦୭ ଓ ଜନତା ଦଳ ପ୍ରାର୍ଥୀ ସୂର୍ଯ୍ୟ ମାଝୀ ୨୫୦୭୯ ଖଣ୍ଡ ଭୋଟ ପାଇଲେ। ପ୍ରତିଶ୍ରୁତି ଅନୁସାରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଜଗନ୍ନାଥଙ୍କୁ ସାମିଲ କରାଯାଇ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ବିଭାଗର ଦାୟିତ୍ବ ଦିଆଯାଇଥିଲା।
- ରାଜେଶ ଅଗ୍ରୱାଲ,
ଅତାବିରା, ଜି:ବରଗଡ଼, ଫୋନ-୯୪୩୮୨୧୪୮୭୮