‘ଅଗଣତାନ୍ତ୍ରିକ ଉପାୟରେ ବିଧାନସଭା ବନ୍ଦ କରାଯାଇଛି’

ଭୁବନେଶ୍ୱର : ୪ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ ବନ୍ଦ ହୋଇଯିବା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ମିଶ୍ର ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କାର୍ଯ୍ୟ ଦିବସ ନିର୍ଘଣ୍ଟ ହୋଇଥିଲା। କିନ୍ତୁ ହଠାତ୍ ଅଗଣତାନ୍ତ୍ରିକ ଉପାୟରେ ଗତକାଲି ଅଧିବେଶନ ବନ୍ଦ କରାଯାଇଛି। ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରେ ବିନା ଆଲୋଚନାରେ ରାଜ୍ୟ ସରକାର କାହିଁକି ହଠାତ୍ ବିଧାନସଭା ବନ୍ଦ କରିଦେଲେ ଏହାର ଉତ୍ତର ରଖନ୍ତୁ।

ଶ୍ରୀ ମିଶ୍ର କହିଛନ୍ତି ଯେ ଏ ସରକାର ହେଉଛି ପଳାୟନପନ୍ଥୀ। ବିଧାନସଭାରେ ୭ଟି ବିଲ୍ ପାରିତ ହେବାର ଥିଲା। କିନ୍ତୁ ସରକାର ବିଧାନସଭା ଛାଡ଼ି ପଳାଇଲେ। ଓବିସି କମିସନ ସଂଶୋଧନ ବିଲ୍ ୨୦୨୩, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌, ଜମି ଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ସଂଶୋଧନ ବିଲ୍ ସମେତ ଅନେକ ଗୁରୁତ୍ୱପୁର୍ଣ୍ଣ ବିଲ୍ ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ସ୍ଥିର ହୋଇଥିଲା। ହେଲେ ସରକାର ହଠାତ୍ ବିଧାନସଭାକୁ ବନ୍ଦ କରିଦେଇଥିଲେ। ଓବିସିମାନଙ୍କ ପାଇଁ ଧାରାବାହିକ ଭାବେ ପ୍ରତାରଣା କରିଚାଲିଥିବା ରାଜ୍ୟ ସରକାରଙ୍କର ଏହା ଆଉ ଏକ ଚରମ ବିଶ୍ୱାସଘାତକତା ।

ମୁଖ୍ୟମନ୍ତ୍ରୀ କହୁଛନ୍ତି, ‘ଆଇନ ତା ବାଟରେ ଯାଉଛି’। କିନ୍ତୁ ବାସ୍ତବରେ କ’ଣ ଆଇନ ତା’ବାଟରେ ଯାଉଛି? ବିଜେପି ବିଧାନସଭାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇଥିଲା। ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା ହେବାର ୬୦ ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ଓ ଷଡ଼ଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ସେହିପରି ଝାରସୁଗୁଡ଼ାରେ ଜଣେ ଛୋଟ ପିଲାକୁ ଅପହରଣ କରି ହତ୍ୟା କରାଯାଇଛି। ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରି କହିଛନ୍ତି ଯେ ରାଜ୍ୟରେ ବର୍ଷକୁ ୧୩୭୯ ହତ୍ୟା, ୩୧୮୪ ଧର୍ଷଣ ହେଉଛି । ବିଗତ ୫ବର୍ଷରେ ୨୭୦୦ ପିଲା ଚୋରି ହୋଇଛି। ସେ ପିଲାମାନଙ୍କୁ କିଏ ଚୋରି କରୁଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ଏକ ନକଲି ସରକାର ଚାଲିଛି। ସାର୍ଟିଫିକେଟ ନକଲି, ଔଷଧ ନକଲି, ରତ୍ନଭଣ୍ଡାର ଚାବି ନକଲି, ୫-ଟି ବିଭାଗ ନକଲି। ଆଗାମୀଦିନରେ ଓଡ଼ିଶାର ଜନତା ଏହାର ବିଚାର କରି ଉଚିତ୍ ଜବାବ ଦେବେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ବୁଧାନ ମୁର୍ମୁ, ଭବାନୀ ଭୋଇ, ପ୍ରକାଶ ସୋରେନ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର