ଚାଲିପାରିଲାନି ବିଧାନସଭା, ଖଣି ଦୁର୍ନୀତି ଆଲୋଚନା ନ ହେବାରୁ ବିରୋଧୀଙ୍କ ହଙ୍ଗାମା

ଦିନତମାମ ବାଚସ୍ପତିଙ୍କୁ ଘେରିଲେ, ଗୃହକୁ ଛାଡ଼ିଲେନି, ବି‌ନା ବିରୋଧୀରେ ୪ ବିଲ୍‌ ଗୃହୀତ

ଭୁବନେଶ୍ବର : ପୂର୍ବାହ୍ନରେ ଗୋଟିଏ ମିନିଟ୍‌ ଗୃହ ଚାଲିଲା। ଅପରାହ୍ନରେ ମାତ୍ର ୩୫ ମିନିଟ୍‌ରେ ୮ଟି ରିପୋର୍ଟ ଉପସ୍ଥାପନ ହେବା ସହ ୪ଟି ବିଲ୍‌ ପାରିତ ହେଲା। ପୁଣି ବିରୋଧୀ ଦଳଙ୍କ ଅନୁପସ୍ଥିତିରେ। ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଗ୍ରହଣ ନ ହେବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀ ସଦସ୍ୟ ଉତ୍‌କ୍ଷିପ୍ତ ହୋଇ ହୋହଲ୍ଲା କରିଥିଲେ। ଏପରିକି ଗୃହ ବାହାରେ ବାଚସ୍ପତିଙ୍କୁ ତାଙ୍କ ପ୍ରକୋଷ୍ଠରୁ ବା‌ହାରିବାକୁ ଦେଇ ନ ଥିଲେ। ଫଳରେ ଉପବାଚସ୍ପତି ଗୃହ ପରିଚାଳନା କରିଥିଲେ। ବୁଧବାର ବିଧାନସଭାରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।

କଂଗ୍ରେସ ଦଳ ପକ୍ଷରୁ ବୁଧବାର ଖଣି ଦୁର୍ନୀତି ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାହାକୁ ଗ୍ରହଣ କରି ନ ଥିଲେ। ଫଳରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଭ୍ୟମାନେ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହ ସ୍ବର ମିଳାଇଥିଲା। ବାଚସ୍ପତି କାହିଁକି ମୁଲତବୀ ପ୍ରସ୍ତାବ ଗ୍ରହଣ କଲେନି ବୋଲି ଉଭୟ ଦଳର ସଭ୍ୟମାନେ ପଚାରିଥିଲେ। ବାଚସ୍ପତି ସେମାନଙ୍କ କଥା ନ ଶୁଣି ପ୍ରଶ୍ନକାଳ ଆରମ୍ଭ କରିବାକୁ ଘୋଷଣା କଲେ। ଏହି ସମୟରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ‌ହୋହଲ୍ଲା କଲେ। ଖଣି ଦୁର୍ନୀତି ଆଲୋଚନାକୁ ରାଜ୍ୟ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କଲେ। ଗୋଟିଏ ମିନିଟ୍‌ରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ‌ରଖିଲେ।

ମୁଲତବୀ ପରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କୁ ତାଙ୍କ ପ୍ରକୋଷ୍ଠ ବାହାରେ ଘେରାଉ କରିଥିଲେ। ମୁଲତବୀ ପ୍ରସ୍ତାବ ଗ୍ରହଣ ନ କଲା ଯାଏ ବାଚସ୍ପତିଙ୍କୁ ଗୃହରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ଦେବେନି ବୋଲି କହିଥିଲେ। ବିରୋଧୀ ସଭ୍ୟମାନେ ପ୍ରକୋଷ୍ଠ ବାହାରେ ଘେରାଉ କରି ବସିଥିବାରୁ ବାଚସ୍ପତି ୧୧ଟା ୩୦ରେ ଗୃହକୁ ଯାଇପାରିଲେ ନାହିଁ। ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ପ୍ରବେଶ କରି ସଙ୍ଗେ ସଙ୍ଗେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ।

ବାଚସ୍ପତିଙ୍କ ପ୍ରକୋଷ୍ଠ ସାମ୍ନାରେ ବିରୋଧୀ ସଦସ୍ୟମାନେ ସେମିତି ବସି ରହିଲେ। ମଧ୍ୟାହ୍ନରେ ବାଚସ୍ପତି ତାଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଧାନସଭା ବାହାରକୁ ଯିବାକୁ ବାହାରିଲା ବେଳେ ସେମାନେ ତାଙ୍କୁ ଛାଡ଼ି ଦେଇଥିଲେ। ପୁଣି ଅପରାହ୍ନରେ ବାଚସ୍ପତି ତାଙ୍କ ପ୍ରକୋଷ୍ଠକୁ ଫେରିଲା ପରେ ବି‌ରୋଧୀ ଦଳ ବିଧାୟକମାନେ ବାଚସ୍ପତିଙ୍କ ପ୍ରକୋଷ୍ଠକୁ ପୁଣି ଘେରିଲେ। ଫଳରେ ଅପରାହ୍ନ ୪ଟାରେ ପୁଣି ଉପବାଚସ୍ପତି ଗୃହକୁ ଯାଇ ଅଧ୍ୟକ୍ଷତା କଲେ। କିଛି ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ୍‌କୁ ଚଢ଼ିବାକୁ ଉଦ୍ୟମ କରୁଥିଲେ। ପୋଡିୟମ୍‌କୁ ସୁରକ୍ଷା କର୍ମୀମାନେ ଘେରି ରହି ସଭ୍ୟମାନଙ୍କୁ ଅଟକାଇଥିଲେ। ଏହି ସମୟରେ ଲୋକାଲ୍‌ ଫଣ୍ଡ୍ ଅଡିଟ୍‌ ରିପୋର୍ଟ ସମେତ ବିଭିନ୍ନ ନିଗମର ବାର୍ଷିକ ରିପୋର୍ଟକୁ ମନ୍ତ୍ରୀମାନେ ଉପସ୍ଥାପନ କରିଥିଲେ। ଏପରିକି ବିରୋଧୀଙ୍କ ହୋହଲ୍ଲା ଭିତରେ ଚାରିଟି ବିଲ୍‌ ଗୃହୀତ ହୋଇଥିଲା। ପ୍ରତି ବିଲ୍‌ରେ ଶାସକ ଦଳର ଜଣେ ଜଣେ ସଭ୍ୟ ଆଲୋଚନାରେ ଭାଗ ନେଇଥିଲେ। ଓଡ଼ିଶା ପଞ୍ଚାୟତ ଆଇନ(ସଂଶୋଧନ)- ୨୦୨୧, ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍-୨୦୨୧, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ୍-୨୦୨୧ ଓ ଓଡ଼ିଶା ହାଉସିଂ ବୋର୍ଡ ସଂଶୋଧନ ବିଲ୍‌- ୨୦୨୧ ପାରିତ ହୋଇଥିଲା। ଶାସକ ଦଳ ପକ୍ଷରୁ ପ୍ରମୋଦ ମଲ୍ଲିକ, ଭୂପିନ୍ଦର ସିଂହ, ଧ୍ରୁବ ଚରଣ ସାହୁ ଓ ଲତିକା ପ୍ରଧାନ ଆଲୋଚନାରେ ଭାଗ ନେଇଥିଲେ। ୪ଟା ୩୫ରେ ଉପବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଶେଷ ପର୍ଯ୍ୟନ୍ତ ବାଚସ୍ପତି ବିରୋଧୀ ଦଳ ସଭ୍ୟମାନଙ୍କୁ ଆଲୋଚନାକୁ ଡାକି ନ ଥିଲେ।

 

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଥିଲେ, ସରକାର ଖଣି ଦୁର୍ନୀତି ଆଲୋଚନାକୁ ଡରୁଛନ୍ତି। ଖଣି ବିଭାଗରେ ମହାଦୁର୍ନୀତି ହୋଇଛି। ଏକ ଶିଳ୍ପ ସଂସ୍ଥାର ଆଭ୍ୟନ୍ତରୀଣ ଇ-ମେଲ୍ ଦିଆନିଆରୁ ଜଣାପଡ଼ିଛି ଯେ ସରକାରୀ ଅଧିକାରୀମାନେ ନିୟମିତ ଲାଞ୍ଚ ନେଉଛନ୍ତି। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେଲା ପରେ ତଦନ୍ତ କରାଯାଇନି କି ଖଣି ବିଭାଗ ଖଣ୍ଡନ କରିନି। ବର୍ତ୍ତମାନ ଖଣି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ପରିବହନର ସୁଯୋଗ ଦିଆଯାଉନି। ଖଣି ମାଲିକଙ୍କ ସଂସ୍ଥାକୁ ହିଁ ପରିବହନ କାର୍ଯ୍ୟ ଦିଆଯାଉଛି। ଶାହ କମିସନ୍ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଥିଲେ ମଧ୍ୟ ସରକାର ତାହାକୁ ଗ୍ରହଣ କଲେନି। ଖଣି ଉତ୍ତୋଳନରେ ମଧ୍ୟ ଅନିୟମିତତା ହେଉଛି। ଏସବୁ ଧରାପଡ଼ିଯିବା ଭୟରେ ସରକାର ଆଲୋଚନାକୁ ଡରିଗଲେ। ସରକାର ସବୁବେଳେ କହୁଛନ୍ତି ଆମେ ସବୁ ଆଲୋଚନାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଏବେ ପ୍ରମାଣିତ ହେଲା ଯେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ନାହାନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, କଂଗ୍ରେସ ତରଫରୁ ଖଣିକୁ ନେଇ ମୁଲତବୀ ପ୍ରସ୍ତାବ ଆସିଥିବା ବେଳେ ବାଚସ୍ପତି ତାହାକୁ କାଟି ଦେଇଥିଲେ। ଗତ ଥର ବି ତାହା କରିଥିଲେ। ତେଣୁ ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣିତ ହେଉଛି। ସେଥିପାଇଁ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କୁ ତାଙ୍କ ପ୍ରକୋଷ୍ଠରେ ଘେରାଉ କରିଥିଲେ। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସମ୍ମତି ପ୍ରକାଶ ନ କରିବାରୁ ତାଙ୍କୁ ଗୃହକୁ ଛଡ଼ାଯାଇ ନ ଥିଲା।

ବିଜେଡି ବରିଷ୍ଠ ବିଧାୟକ ପ୍ରତାପ ଦେବ କହିଥିଲେ ଯେ ଆଜି ବିଧାନସଭା ଗୃହରେ ଯାହା ଘଟିଲା, ତାହା ନିନ୍ଦନୀୟ। ପ୍ରତିଦିନ ବିରୋଧୀ ଗୋଲପୋଷ୍ଟ ପରିବର୍ତନ କରୁଛନ୍ତି। ରାଜ୍ୟରେ ଏବେ ଚାଷୀ ଓ ଚାଷ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କିନ୍ତୁ ବିରୋଧୀ ଚାଷୀଙ୍କୁ ଭୁଲିଗଲେ। ଚାଷୀ ନାଁ ନେଇ ସେମାନେ ରାଜନୀତି କରୁଛନ୍ତି, କିନ୍ତୁ ଏହାର ଗଭୀରତାକୁ ଯାଉ ନାହାନ୍ତି। କାଳେ ନିଜେ ଧରା ପଡ଼ିଯିବେ ସେଥିଲାଗି ପ୍ରସଙ୍ଗ ବଦଳାଉଛନ୍ତି। ବାଚସ୍ପତିଙ୍କୁ ଘେରାଉ କରିବା ରାଜନୈତିକ ନାଟକ। ରାଜ୍ୟ ସରକାର ପଳାୟନପନ୍ଥୀ ନୁହନ୍ତି। ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧିତ ଖବର