ଭୁବନେଶ୍ୱର: ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ଆଜି ବିଧାନସଭାରେ ତାତି ପରିଲକ୍ଷିତ ହୋଇଛି। ଦଳମତ ନିର୍ବିଶେଷରେ ବିଧାୟକମାନେ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ଏପରିକି ବିରୋଧୀ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୁଝାସୁଝା କରି କଂଗ୍ରେସ ବିଧାୟକଙ୍କୁ ଆସନରେ ବସାଇଥିଲେ। ଆଜି ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନକୁ ନେଇ ହଠାତ୍‌ ଗୃହରେ ଆଲୋଚନା ସରଗରମ ହୋଇଥିଲା। ରାଜ୍ୟରେ ଉତ୍ପାଦିତ ଶକ୍ତି ପରିମାଣ ସଂପର୍କରେ ପ୍ରଶ୍ନ ପଚାରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ଜଳ ବିଦ୍ୟୁତ କ୍ଷେତ୍ରରୁ ହାରାହାରି ୬୪୫ ମେଗାଓ୍ଵାଟ୍‌ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଓପିଜିସି, ଟିଟିପିଏସ୍‌ ଓ ଆଇପିପି ଦ୍ୱାରା ୮୭୦ ମେଗାଓ୍ଵାଟ୍‌, ନୂତନ ଓ ନବୀକରଣ ଯୋଗ୍ୟ ବିଦ୍ୟୁତ ଶକ୍ତି ୭୦ ମେଗାଓ୍ଵାଟ୍‌, ନିଜସ୍ୱ ବିଦ୍ୟୁତ କେନ୍ଦ୍ରରୁ ୨୬୫ ମେଗାଓ୍ଵାଟ୍‌ ଏହିଭଳି ୧୮୫୦ ମେଗାଓ୍ଵାଟ୍‌ ମିଳୁଛି। ଏହାବାଦ୍‌ କେନ୍ଦ୍ରୀୟ ଅଂଶରୁ ୧୧୦୦ ମେଗାଓ୍ଵାଟ୍‌ ଆସୁଛି। ତେବେ ରାଜ୍ୟରେ ସର୍ବୋଚ୍ଚ ଉପଲବ୍ଧ ବିଦ୍ୟୁତ ଶକ୍ତି ହେଉଛି ୩୯୦୦ ମେଗାଓ୍ଵାଟ୍‌।

Advertisment

ବିଧାୟକମାନେ କିନ୍ତୁ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଘେରିବା ଆରମ୍ଭ କରିଥିଲେ। ଅଭିଯୋଗ କରିଥିଲେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ୍‌ ହେଉଛି। କେଉଁଠି ତାର ଝିଣ୍ଡି ପଡୁଛି, ବିଦ୍ୟୁତ ଯାଉନି। କେଉଁଠି ଖୁଣ୍ଟ ଯାଇଛି, ତାର ନାହିଁ।ଗ୍ରୀଡ୍‌ ଅଧାପନ୍ତରିଆ ଭାବେ ପଡିରହିଛି। ବିପିଏଲ୍‌ ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ସ୍ଥିତି ମଧ୍ୟ ଦୟନୀୟ ଅବସ୍ଥାରେ ରହିଛି। ଯଦି ରାଜ୍ୟରେ ଏତେ ବିଦ୍ୟୁତ ଉତ୍ପାଦନ ହେଉଛି, ତେବେ କାହିଁକି ବାରମ୍ବାର ବିଦ୍ୟୁତ କାଟ୍‌ ହେଉଛି ବୋଲି ବିଧାୟକମାନେ ଘେରିଥିଲେ। ବିଜେଡି ବିଧାୟକ କିଶୋର ତରାଇ ଏହି ଅବସରରେ କେନ୍ଦ୍ରାପଡାରେ କାର୍ଯ୍ୟକରୁଥିବା ଏନ୍‌ଜେନ୍‌ ସଂସ୍ଥାକୁ ବିଦା କରିବା ଲାଗି ଦାବି କରିଥିଲେ। କହିଥିଲେ, ସେବା ମିଳୁନି, କେବଳ ବିଦ୍ୟୁତ ବିଲ୍‌ ଆଦାୟରେ ସଂସ୍ଥା ବ୍ୟସ୍ତ। ମନ୍ତ୍ରୀ କିନ୍ତୁ ବିଧାୟକମାନଙ୍କୁ ସନ୍ତୁଷ୍ଟ କରିବା ଭଳି ଉତ୍ତର ଦେଇପାରନଥିଲେ। ବିଧାୟକ ଚନ୍ଦ୍ରଶେଖର ମାଝୀ, ଅନୁଭବ ପଟ୍ଟନାୟକ, ସୁବ୍ରତ ତରାଇ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସେଠୀ, ରାଧାରାଣୀ ପଣ୍ଡା ପ୍ରମୁଖ ବିଧାୟକମାନେ ଏହି ଆଲୋଚନାରେ ଭାଗ ନେଇଥିଲେ।