ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବ ଆରମ୍ଭ

୨୦୦୦ ମସିହା ନିର୍ବାଚନରେ ବିଜେଡି ଓ ବିଜେପି ମେଣ୍ଟଦଳ ବିଜୟ ହାସଲ କରିବା ସହିତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ। ସରକାର ଅମଳରେ ୬ ଜଣ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବା ଥିଲା ଏକ ଉଲ୍ଲେଖନୀୟ ଘଟଣା। ୫ ବର୍ଷ ପୂରଣ ହେବା ପୂର୍ବରୁ ବିଧାନସଭା ଭଙ୍ଗ ସହ ଆଗୁଆ ନିର୍ବାଚନ ହେଲା।

ଦ୍ବାଦଶ ବିଧାନସଭା କେ‌େତକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭାବେ ବିବେଚିତ ହୋଇଥିଲା। ପ୍ରଥମତଃ, ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠିତ ନୂତନ ରାଜନୈତିକ ଶକ୍ତି ‘ବିଜୁ ଜନତା ଦଳ (ବିଜେଡି)’ ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରିଥିଲା। ଦ୍ବିତୀୟତଃ, ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ବୁଝାମଣା ହୋଇଥିଲା ଏବଂ ଦୁଇ ଦଳ ଏକାଠି ମେଣ୍ଟ ସରକାର ଗଠନ କରିଥିଲେ। ତୃତୀୟତଃ, ବିଜେପି ଗତ ନିର୍ବାଚନରେ ୯ଟି ଆସନରେ ବିଜୟ ହାସଲ କରିଥିବାବେଳେ ଏହି ନିର୍ବାଚନରେ ୩୮ଟି ଆସନ ଅକ୍ତିଆର କରିଥିଲା। ଚତୁର୍ଥତଃ, ନବୀନ ପଟ୍ଟନାୟକଙ୍କ ଶାସନ ଆରମ୍ଭ ହୋଇଥିଲା।

ନିର୍ବାଚନରେ ଦୁଇ ମେଣ୍ଟ ଦଳ ବିଜେଡି-ବିଜେପି ନିର୍ବାଚନରେ ବିଜୟ ହାସଲ କରିବା ସହିତ ସରକାର ଗଠନ ପାଇଁ ସକ୍ଷମ ହୋଇଥିଲେ। ବୁଝାମଣା ଅନୁଯାୟୀ ବିଜେଡି ୮୪ଟି ଓ ବିଜେପି ୬୩ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ମାତ୍ର, ଦୁଇ ଦଳ ଯଥାକ୍ରମେ ୬୮ ଓ ୩୮ଟି ଆସନରେ ବିଜୟ ହାସଲ କରିଥ‌ିଲେ। ବିଜେଡିର ଭୋଟହାର ୨୯.୪୦ ପ୍ରତିଶତ ଥିଲାବେଳେ ବିଜେପିର ‌େଭାଟହାର ଥିଲା ୧୮.୨୦ ପ୍ରତିଶତ। ଅପରପକ୍ଷେ, କଂଗ୍ରେସ ମାତ୍ର ୨୬ଟି ଆସନରେ ବିଜୟ ଲାଭ କରିବା ପାଇଁ ସକ୍ଷମ ହୋଇଥିଲା। ମାତ୍ର, ଏହି ଦଳର ଭୋଟହାର ସର୍ବାଧିକ ୩୩.୭୮ ପ୍ରତିଶତ ରହିଥିଲା।

୨୦୦୫ ମସିହା ମାର୍ଚ୍ଚ ୫ ତାରିଖ ଦିନ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଉଭୟ ବିଜେଡି ଓ ବିଜେପି ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ କରିଥିଲେ। ବିଜେଡି-ବିଜେପି ପ୍ରଥମ ମେଣ୍ଟ ସରକାର ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୬ ଜଣଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ସେମାନେ ହେଲେ, ନଳିନୀକାନ୍ତ ମହାନ୍ତି, ପ୍ରଶାନ୍ତ ନନ୍ଦ, କମଳା ଦାସ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର ଓ ଅଦ୍ବୈତ ପ୍ରସାଦ ସିଂହ। ରାମକୃଷ୍ଣ ପଟ୍ଟନାୟକଙ୍କୁ ବାଦ୍‌ ଦିଆଯାଇନଥିଲେ ମଧ୍ୟ ତାଙ୍କର ବିଭାଗରେ ପରିବର୍ତ୍ତନ ହେବାରୁ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ପରେ ଦଳରୁ ବହିଷ୍କୃତ ହୋଇଥିଲେ।

ଏହି ସରକାର ୫ ବର୍ଷ ପୂରଣ ନକରି ୨୦୦୪ ମସିହା ମେ ୨୧ ତାରିଖ ଦିନ ବିଧାନସଭା ଭଙ୍ଗ ଘୋଷଣା କରିଥିଲେ। ‌ଲୋକସଭା ସହିତ ଏକାଠି ନିର୍ବାଚନ କରିବା ଉଦ୍ଦେଶ୍ୟରେ ଏହିଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ।

ଏହି ବିଧାନସଭା ଅମଳରେ ରାମକୃଷ୍ଣ ମିଶ୍ର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ଶରତକୁମାର କର ଓ ରାମଚନ୍ଦ୍ର ପଣ୍ଡା ଯଥାକ୍ରମେ ବାଚସ୍ପତି ଓ ଉପବାସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ନିର୍ବାଚନ ଫଳାଫଳ ଏହିଭଳି:
ଦ୍ବାଦଶ ବିଧାନସଭା(୨୦୦୦-୦୫)
ଦଳ           ଆସନ    ଭୋଟହାର
ବିଜେଡି         ୬୮    ୨୯.୪୦%
ବିଜେପି        ୩୮     ୧୮.୨୦%
କଂଗ୍ରେସ      ୨୬     ୩୩.୭୮%
ଜେଏମ୍‌ଏମ୍‌    ୦୩    ୨.୧୪%
ସିପିଆଇ       ୦୧    ୧.୨୨%
ଜେଡିଏସ୍‌     ୦୧     ୦.୮୪%
ତୃଣମୂଳକଂଗ୍ରେସ ୦୧  ୦.୭୮%
ସିପିଏମ୍‌        ୦୧    ୦.୭୭%
ସ୍ବାଧୀନ        ୦୮    ୧୦.୬୬%
ଅନ୍ୟାନ୍ୟ      ୦୦    ୨.୨୧%
ସମୁଦାୟ    ୧୪୭    ୧୦୦%

ସମ୍ବନ୍ଧିତ ଖବର