ଦ୍ବିତୀୟବାର ମେଣ୍ଟ ସରକାର

୨୦୦୪ ମସିହାରେ ବିଜେପି ନେତୃତ୍ବାଧୀନ ଏନଡିଏର ପରାଜୟ ରାଜ୍ୟ ଉପରେ କୌଣସି ପ୍ରଭାବ ପକାଇ ପାରିଲାନି। ରାଜ୍ୟରେ ପୁଣିଥରେ ବିଜେଡି- ବିଜେପି ମେଣ୍ଟ ଦଳ ସରକାର ଗଠନ କରିବାକୁ ସମର୍ଥ ହେଲେ। ନବୀନ ପଟ୍ଟନାୟକ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କଲେ। ତେବେ, ସରକାରର ଶେଷ ଆଡ଼କୁ ମେଣ୍ଟରେ ଫାଟ ଦେଖାଦେଲା। ଉଭୟ ବିଜେଡି ଓ ବିଜେପିର ରାଜନୈତିକ ରାସ୍ତା ଅଲଗା ହୋଇଗଲା।

୨୦୦୪ ମସିହା ଏପ୍ରିଲ ମାସରେ ତ୍ରୟୋଦଶ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ଲୋକସଭା ପାଇଁ ବି ଭୋଟଗ୍ରହଣ କରାଯାଇଥିଲା। ତେବେ, କେନ୍ଦ୍ରରେ ଭାରତ ଉଦୟ ବା ଇଣ୍ଡିଆ ସାଇନିଂ ପ୍ରଚାର ମାଧ୍ୟମରେ ପୁଣିଥରେ ସରକାର ଗଠନ ପ୍ରୟାସରେ ଥିବା ଅଟଳବିହାରୀଙ୍କ ନେତୃତ୍ୱାଧୀନ ସରକାରକୁ ପରାଜିତ ହେବାକୁ ପଡିଥିଲା। ମାତ୍ର, ଓଡ଼ିଶାରେ ଥିଲା ଏହାର ବ୍ୟତିକ୍ରମ। ଉଭୟ ବିଜେଡି-ବିଜେପି ମେଣ୍ଟ ଦଳ ପୁନର୍ବାର ସରକାର ଗଠନ କରିବାକୁ ସମର୍ଥ ହୋଇଥିଲେ।

ନିର୍ବାଚନରେ ବିଜେଡି ସମୁଦାୟ ୮୪ଟି ଆସନରେ ପ୍ରତିଦ୍ୱନ୍ଦିତା କରି ୬୧ଟି ଆସନରେ ବିଜୟ ହାସଲ କରିଥିଲା। ଅପରପକ୍ଷେ ଏହାର ସହଯୋଗୀ ଦଳ ଭାବେ ବିଜେପି ପ୍ରତିଦ୍ୱନ୍ଦିତା କରିଥିବା ୬୩ଟି ଆସନରୁ ୩୨ଟିରେ ବିଜୟ ହାସଲ କରିବାକୁ ସମର୍ଥ ହୋଇଥିଲା।

ତେବେ, ଦୁଇ ଦଳ ଏକାଠି ସରକାର ଗଠନ କରିବାକୁ ସମର୍ଥ ହୋଇଥିଲେ ମଧ୍ୟ ଗତ ନିର୍ବାଚନ ତୁଳନାରେ ୧୩ଟି କମ ଆସନ ପାଇଥିଲେ। ଅପରପକ୍ଷରେ କଂଗ୍ରେସ ଏକ ବଡ଼ଧରଣର ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହେବା ସହିତ ୩୨ଟି ଆସନରେ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଗତ ନିର୍ବାଚନ ଭଳି ୨୦୦୪ ମସିହାରେ କଂଗ୍ରେସ ଭୋଟ ହାର ସର୍ବାଧିକ ରହିଥିଲା। ଏହି ଦଳ ସର୍ବାଧିକ ୩୪.୮୩% ଭୋଟ ଅକ୍ତିଆର କରିଥିଲା, ଯେତେବେଳେ ଉଭୟ ବିଜେଡି ଓ ବିଜେପିର ଭୋଟ ହାର ଯଥାକ୍ରମେ ୨୭.୩୬% ଓ ୧୭.୧୧% ଥିଲା।

ଏହି ନିର୍ବାଚନରେ ବିଜୟ ମହାପାତ୍ରଙ୍କ ଓଡ଼ିଶା ଗଣ ପରିଷଦ ପ୍ରତିଦ୍ୱନ୍ଦିତା କରିଥିଲା। ନିଜେ ବିଜୟ ପରାଜୟବରଣ କରିଥିଲେ ମଧ୍ୟ ତାଙ୍କ ଦଳ ୨ଟି ଆସନରେ ବିଜୟଲାଭ କରିଥିଲା। ବିଜେଡିରୁ ବହିଷ୍କୃତ ହେବାପରେ ବିଜୟ ଯେଉଁ ଭିନ୍ନ ଭିନ୍ନ ରାଜନୈତିକ ଶିଡି ଚଢ଼ିବା ଆରମ୍ଭ କରିଥିଲେ, ଏହା ହିଁ ଥିଲା ତାହାର ପ୍ରଥମ ପ୍ରକରଣ।
୨୦୦୪ ମସିହା ମେ ୧୫ ତାରିଖରେ ତ୍ରୟୋଦଶ ବିଧାନସଭା ଗଠିତ ହୋଇଥିଲା। ଏବଂ, ନବୀନ ପଟ୍ଟନାୟକ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଉଭୟ ଦଳର ପ୍ରତିନିତ୍ବ ରହିଥିଲା। ୨୦୦୪ ମସିହା ଜୁନ ୪ ତାରିଖରେ ଜାନକୀ ବଲ୍ଲଭ ପଟ୍ଟନାୟକ ବିରୋଧୀଦଳ ନେତା ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହି ସରକାର ଅମଳରେ ପୃଥକ ଭାବେ କୃଷି ବଜେଟ ଉପସ୍ଥାପିତ ହୋଇଥିଲା। ବଜେଟରେ କୃଷି ଭିତ୍ତିକ ବ୍ୟୟବରାଦ ୨୦୦୦ କୋଟି ଟଙ୍କାରୁ ୭୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ନବୀନଙ୍କ ସରକାର ୫ ବର୍ଷ ପୂରଣ କରିଥିଲା। ୨୦୦୯ ମସିହା ମେ ୧୯ ତାରିଖ ଦିନ ବିଧାନସଭା ଭଙ୍ଗ ହୋଇଥିଲା।
ତ୍ରୟୋଦଶ ବିଧାନସଭାରେ ପ୍ରଥମେ ବାଚସ୍ପତି ଭାବେ ପଦ ଅଳଙ୍କୃତ କରିଥିଲେ ମହେଶ୍ୱର ମହାନ୍ତି। ଏକ ବିବାଦୀୟ ପରିସ୍ଥିତିରେ ଶ୍ରୀ ମହାନ୍ତିଙ୍କୁ ପଦ ଛାଡିବାକୁ ପଡିଥିଲା। ତାଙ୍କ ପରେ କିଶୋର ଚନ୍ଦ୍ର ମହାନ୍ତି ଦାୟିତ୍ୱ ତୁଲାଇଥିଲେ। ଉପବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରହ୍ଲାଦ ଦୋରା।

ନିର୍ବାଚନ ଫଳାଫଳ ଏହିଭଳି:

ତ୍ରୟୋଦଶ ବିଧାନସଭା(୨୦୦୪-୦୯)

ଦଳ                   ଆସନ     ଭୋଟହାର
ବିଜେଡି                ୬୧      ୨୭.୩୬%
ବିଜେପି                ୩୨      ୧୭.୧୧%
କଂଗ୍ରେସ               ୩୮      ୩୪.୮୨%
ଜେଏମ୍‌ଏମ୍‌           ୦୪       ୧.୭୮%
ଓଜିପି                  ୦୨       ୧.୨୯%
ସିପିଆଇ               ୦୧       ୦.୭୭%
ସିପିଏମ୍‌                ୦୧       ୦.୫୫%
ସ୍ୱାଧୀନ                 ୦୮       ୧୨.୨୦%
ଅନ୍ୟାନ୍ୟ               ୦୦         ୪.୧୨%
ମୋଟ                 ୧୪୭       ୧୦୦%

ସମ୍ବନ୍ଧିତ ଖବର