ମେଣ୍ଟ ଭଙ୍ଗରୁ ବଡ଼ ଫାଇଦା

ଚତୁର୍ଦ୍ଦଶ ବିଧାନସଭା ନିର୍ବାଚନ ଫଳାଫଳ ବିଜେଡି ଭିତରେ ଏକ ନୂଆ ଉତ୍ସାହ ଭରିଦେଲା। ବିଜେପି ସହ ଦୀର୍ଘ ୧୧ ବର୍ଷର ସମ୍ପର୍କ ବିଚ୍ଛିନ୍ନ ହେବା ସତ୍ତ୍ବେ ଏହି ଦଳ ୧୦୩ଟି ଆସନରେ ଏକ ବୃହତ୍‌ ବିଜୟ ହାସଲ କଲା। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ହ୍ୟାଟ୍ରିକ୍‌ କଲେ। ଏହି ସମୟରେ ଶରଦ ପାୱାରଙ୍କ ଏନ୍‌ସିପିର ଆବିର୍ଭାବ ରାଜ୍ୟରେ ଏକ ନୂଆ ରାଜନୈତିକ ସମୀକରଣର ଆତ୍ମପ୍ରକାଶ କଲା।

୨୦୦୯ ମସିହା ଜୁନ୍‌ ୨୯ ତାରିଖ ଦିନ ତ୍ରୟୋଦଶ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଥିଲାବେଳେ ମାର୍ଚ୍ଚ ୨ ତାରିଖରେ ଭାରତୀୟ ନିର୍ବାଚନ କମିସନ ଲୋକସଭା ସହିତ ରାଜ୍ୟ ବିଧାନସଭା ପାଇଁ ତାରିଖ ଘୋଷଣା କରିଥିଲେ।
କନ୍ଧମାଳ ଦଙ୍ଗା ଘଟଣାକୁ କେନ୍ଦ୍ରକରି ବିଜେଡି ଓ ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏହି ନିର୍ବାଚନବେଳକୁ ସ୍ପଷ୍ଟ ହୋଇଯାଇଥିଲା। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ନେଇ କୌଣସି ସହମତି ପ୍ରକାଶ ପାଇପାରିନଥିଲା । ଫଳତଃ, ଦୁଇ ଦଳ ୧୧ ବର୍ଷର ସମ୍ପର୍କ ତୁଟାଇ ପରସ୍ପର ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ।

ସେହିବର୍ଷ ଏପ୍ରିଲ ୧୬ ତାରିଖ ଦିନ ଅନୁଷ୍ଠିତ ନିର୍ବାଚନର ଫଳାଫଳ ମଧ୍ୟ ଏକ ‌ଭିନ୍ନ ଚିତ୍ର ଦେଇଥିଲା। ମେଣ୍ଟ ଭଙ୍ଗ ସତ୍ତ୍ବେ ବିଜେଡି ବିପୁଳ ବିଜୟ ହାସଲ କରିଥିଲାବେଳେ ବିଜେପି ସମ୍ପୂର୍ଣ୍ଣ ଭାବେ ତଳକୁ ଖସି ଆସିଥିଲା। ବିଜେଡି ପୂର୍ବ ନିର୍ବାଚନ ତୁଳନାରେ ୪୨ଟି ଅଧିକ ଆସନ ସହିତ ସମୁଦାୟ ୧୦୩ଟି ଆସନ ଅକ୍ତିଆର କରିଥିଲା। ଅପରପକ୍ଷେ, ବିଜେପି ମାତ୍ର ୬ଟି ଆସନରେ ବିଜୟ ହାସଲ କରି ନିଜ ରାଜନୈତିକ ସ୍ଥିତାବସ୍ଥାରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗତ ନିର୍ବାଚନ ତୁଳନାରେ ଏହି ଦଳକୁ ୨୬ଟି ଆସନ ହରାଇବାକୁ ପଡ଼ିଥିଲା। ଅପରପକ୍ଷେ, ଦୁଇ ଦଳ ମଧ୍ୟରେ ବିବାଦ ଜନିତ ଭୋଟ ବିଭାଜନରୁ କଂଗ୍ରେସ ମଧ୍ୟ ଫାଇଦା ହାସଲ କରିପାରିନଥିଲା। ଏହି ଦଳ ୨୭ଟି ଆସନ ଜିତି ସର୍ବୋଚ୍ଚ ବିରୋଧୀଦଳର ମାନ୍ୟତା ପାଇଥିଲେ ମଧ୍ୟ ଗତ ନିର୍ବାଚନ ତୁଳନାରେ ୧୧ଟି କମ୍‌ ଆସନ ଲାଭ କରିଥିଲା।

ଏହି ନିର୍ବାଚନ ସମୟରେ ଉ‌େଲ୍ଲଖନୀୟ ଘଟଣା ଥିଲା ଶରଦ ପାୱାରଙ୍କ ନେତୃତ୍ବାଧୀନ ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ର ରାଜ୍ୟ ରାଜନୀତିରେ ଏକ ଅପ୍ରତ୍ୟାଶିତ ଆବିର୍ଭାବ। ପାଣ୍ଠି ଅଭାବ କାରଣରୁ ଓଡ଼ିଶା ଗଣପରିଷଦ (ଓଜିପି) ଏନ୍‌ସିପିରେ ବିଲୀନ ହୋଇଗଲା ଏବଂ ବିଜୟ ମହାପାତ୍ର ଏହାର ରାଜ୍ୟ ନେତୃତ୍ବ ଭାର ଗ୍ରହଣ କରିଥିଲେ। ମାତ୍ର, ବିଜେଡି ଓ ଏନ୍‌ସିପି ମଧ୍ୟରେ ନିର୍ବାଚନୀ ବୁଝାମଣା ହେବାରୁ ଶ୍ରୀ ମହାପାତ୍ରଙ୍କୁ ଦଳତ୍ୟାଗ କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ, ଏନ୍‌ସିପିରୁ ୪ ଜଣ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସଂଖ୍ୟାଗରିଷ୍ଠ ବିଜେଡି ବିଧାୟକ ଦଳ ନେତା ଭାବେ ନବୀନ ପଟ୍ଟନାୟକ ତୃତୀୟଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ସରକାର ଅମଳରେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରାଯିବା ସହିତ ପ୍ରାୟ ୬୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ବିଜୁ ସେତୁ ଯୋଜନା ଓ ଗୋପବନ୍ଧୁ ଗ୍ରାମୀଣ ଯୋଜନା ବି ଏହି ସମୟରେ ଲାଗୁ କରାଯାଇଥିଲା।

କଂଗ୍ରେସ ବିଧାୟକ ଦଳ ନେତା ଭୂପିନ୍ଦର ସିଂହ ଥିଲେ ବିରୋଧୀ ଦଳ ନେତା। ପ୍ରଦୀପ କୁମାର ଅମାତ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଥିବାବେଳେ ଲାଲବିହାରୀ ହିମାରିକା ଓ ସାନନ୍ଦ ମାରାଣ୍ଡି ଉପବାଚସ୍ପତି ଭ‌ାବେ ଦାୟିତ୍ବ ତୁଲାଇଥିଲେ।

୨୦୧୪ ମସିହା ମେ ୨୪ ତାରିଖ ଦିନ ଚତୁର୍ଦ୍ଦଶ ବିଧାନସଭା କାର୍ଯ୍ୟକାଳ ଶେଷ ହୋଇଥିଲା।

ଚତୁର୍ଦ୍ଦଶ ବିଧାନସଭା(୨୦୦୯-୧୪)
ଦଳ ଆସନ ଭୋଟହାର
ବିଜେଡି ୧୦୩ ୩୮.୮୬%
କଂଗ୍ରେସ ୨୭ ୨୯.୧୦%
ବିଜେପି ୦୬ ୧୫.୦୫%
ଏନ୍‌ସିପି ୦୪ ୧.୩୪%
ସିପିଆଇ ୦୧ ୦.୫୧%
ସ୍ବାଧୀନ ୦୬ ୮.୬୫%
ଅନ୍ୟାନ୍ୟ ୦୦ ୬.୪୯%
ମୋଟ ୧୪୭ ୧୦୦%

ସମ୍ବନ୍ଧିତ ଖବର