ଆଉ କିଛିଦିନ ପରେ ସାଧାରଣ ନିର୍ବାଚନ। ଉଭୟ ଲୋକସଭା ବିଧାନସଭା ପାଇଁ ଭୋଟଗ୍ରହଣ ହେବ। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହି ନିର୍ବାଚନ ହିଁ ଦମ୍ଭ ଓ ଗୌରବ। ଏବେ ଗୋଟିଏ ପଟେ ଚଳିତ ନିର୍ବାଚନ ପାଇଁ ଉତ୍ସାହ, ଉଦ୍ଦୀପନା ଓ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ବିଗତ ନିର୍ବାଚନର ଦୃଶ୍ୟପଟକୁ ନେଇ ଉତ୍ସୁକତା ଉଙ୍କି ମାରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାଧୀନତାତ୍ତୋରପ କାଳରେ ଆମ ରାଜ୍ୟରେ ୧୯୫୨ ମସିହାରେ ପ୍ରଥମ ବିଧାନସଭା ଗଠିତ ହୋଇଥିଲା। ପ୍ରଥମଥର ପାଇଁ ୨୧ ବର୍ଷରୁ ଊର୍ଦ୍ଧ୍ବ ସାବାଳକ ନିଜ ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବା ପାଇଁ ସୁଯୋଗ ଲାଭ କରିଥିଲେ। ଏଥିପାଇଁ ୧୯୫୧ ମସିହା ଅକ୍ଟୋବର ୨୫ ତାରିଖ ଓ ୧୯୫୨ ମସିହା ଫେବ୍ରୁଆରି ୨୧ ତାରିଖ ମଧ୍ୟରେ ମତଦାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ସେତେବେଳେ ବିଧାନସଭାର ସମୁଦାୟ ୧୪୦ଟି ଆସନ ମଧ୍ୟରୁ ଅନୁସୂଚିତ ଜାତି ବର୍ଗ ପାଇଁ ୨୧ଟି ଏବଂ ଅନୁସୂଚିତ ଜନଜାତି ବର୍ଗ ପାଇଁ ୨୮ଟି ଆସନ ସଂରକ୍ଷିତ ରହିଥିଲା।
ସମ୍ବିଧାନର ୧୮୮ ଧାରା ଅନୁଯାୟୀ, ୧୯୫୨ ମସିହା ମାର୍ଚ୍ଚ ୪ ଓ ୫ ତାରିଖ ଦୁଇଦିନ ଶପଥ ଗ୍ରହଣ ପାଇଁ ଦିନଧାର୍ଯ୍ୟ ହୋଇଥିଲା। ଆମ ରାଜ୍ୟରେ ନବନିର୍ବାଚିତ ସଦସ୍ୟମାନେ ମାର୍ଚ୍ଚ ୪ ତାରିଖ ଦିନ ଶପଥ ଗ୍ରହଣ କରିଥିଲେ। ସେହିଦିନ ଭୁବନେଶ୍ବର ନୂଆ ରାଜଧାନୀର ସର୍ଦ୍ଦାର ପଟେଲ୍ ହଲ୍ଠାରେ ବିଧାନସଭାର ପ୍ରଥମ ଅଧିବେଶନ ବସିଥିଲା। ମାର୍ଚ୍ଚ ୬ ତାରିଖ ଦିନ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ନନ୍ଦକିଶୋର ଦାସ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ମାର୍ଚ୍ଚ ୮ ତାରିଖ ଦିନ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ମହମ୍ମଦ ହନିଫ ଏହି ପଦ ଅଳଙ୍କୃତ କରିଥିଲେ।
ନିର୍ବାଚନରେ ସର୍ବାଧିକ ଆସନ ହାସଲ କରିଥିବା କଂଗ୍ରେସ ବିଧାୟକ ଦଳ ନେତା ଭାବେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଦ୍ବିତୀୟ ବୃହତ୍ ଦଳ ଗଣତନ୍ତ୍ର ପରିଷଦର ନେତା ଶ୍ରଦ୍ଧାକର ସୁପକାର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ।
ପ୍ରଥମ ବିଧାନସଭାରେ ସମୁଦାୟ ୯ଟି ଅଧିବେଶନ ବସିଥିଲା ଏବଂ ଏହା ୩୫୬ ଦିନ ପର୍ଯ୍ୟନ୍ତ ଚାଲିଥିଲା। ବିଧାନସଭା ନିଜର କାର୍ଯ୍ୟକାଳ ପୂର୍ଣ୍ଣ ୫ ବର୍ଷ ପୂରଣ କରିଥିଲା। ୧୯୫୭ ମସିହା ମାର୍ଚ୍ଚ ୪ ତାରିଖ ଦିନ ବିଧାନସଭା ଭଙ୍ଗ ହୋଇଥିଲା।