ଜନସଂଖ୍ୟା ବୃଦ୍ଧି ଆଧାରରେ ବିଧାନସଭା ଆସନ ସଂଖ୍ୟା ୧୪୭କୁ ବୃଦ୍ଧି କରାଯାଇଥିଲା। ପ୍ରଥମଥର ପାଇଁ ସରକାରୀ କର୍ମଚାରୀଙ୍କ ଧର୍ମଘଟର ପ୍ରଭାବ ନିର୍ବାଚନ ଉପରେ ପଡ଼ିଥିଲା। ଫଳରେ, ଗୋଟିଏ ଦିନରେ ଶେଷ ହେବାକୁ ଥିବା ନିର୍ବାଚନ ୩ ପର୍ଯ୍ୟାୟକୁ ବୃଦ୍ଧି କରାଯାଇଥିଲା। ସମ୍ବିଧାନର ୩୫୬ ଧାରା ଲାଗୁ ଯୋଗୁ ଷଷ୍ଠ ବିଧାନସଭା ପୂରା ୫ ବର୍ଷ ପୂରଣ କରିପାରିନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୧ ମସିହାର ଜନଗଣନା ଅନୁସାୟୀ, ସୀମା ନିର୍ଧାରଣ ଆୟୋଗ ବିଧାନସଭାର ଆସନ ସଂଖ୍ୟା ୧୪୦ରୁ ୧୪୭କୁ ବୃଦ୍ଧି କରିଥିଲେ। ଯାହାକି, ଏପର୍ଯ୍ୟନ୍ତ ବଳବତ୍ତର ରହିଛି। ଏଥରକ ବିଧାନସଭା ନିର୍ବାଚନ ତିନି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ନିର୍ବାଚନ ୧୯୭୪ ମସିହା ଫେବ୍ରୁଆରି ୨୨ ତାରିଖରେ ଅନୁଷ୍ଠିତ ହୋଇଥିଲାବେଳେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଯଥାକ୍ରମେ ୨୪ ଓ ୨୬ ତାରିଖରେ ସମ୍ପନ୍ନ ହୋଇଥିଲା। ପ୍ରାରମ୍ଭରେ ନିର୍ବାଚନ ପାଇଁ ଗୋଟିଏ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅଣଗେଜେଟେଡ୍ ସରକାରୀ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ଲୋକବଳ ଓ ଗାଡ଼ି ଅଭାବ କାରଣରୁ ନିର୍ବାଚନ ଆୟୋଗ ୩ ପର୍ଯ୍ୟାୟ କରିବାକୁ ବାଧ୍ୟ ହୋଇଥିଲେ।
ନିର୍ବାଚନରେ ସର୍ବାଧିକ ଆସନ ଅଳଙ୍କୃତ କରିଥିବା କଂଗ୍ରେସ ପାର୍ଟିର ନେତା ନନ୍ଦିନୀ ଶତପଥୀ ୧୯୭୪ ମସିହା ମାର୍ଚ୍ଚ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପ୍ରଗତି ପାର୍ଟି ନେତା ବିଜୁ ପଟ୍ଟନାୟକ ବିରୋଧୀ ଦଳ ନେତା ପଦରେ ଆସୀନ ହୋଇଥିଲେ। ସେ ପ୍ରଥମେ ପ୍ରଗତି ଦଳରୁ ୧୯୭୪ ମସିହା ମାର୍ଚ୍ଚ ୧୯ ତାରିଖରୁ ୧୯୭୬ ମସିହା ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ପରେ, ଭାରତୀୟ ଲୋକଦଳର ନେତା ଭାବେ ୧୯୭୭ ମସିହା ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଦାୟିତ୍ବରେ ରହିଥିଲେ। ଏହି ସମୟରେ ନୂଆ ରାଜନୈତିକ ଦଳ ‘ଜନତା ପାର୍ଟି’ର ଆବିର୍ଭାବ ହୋଇଥିଲା। ଏବଂ, ପରିବର୍ତ୍ତିତ ରାଜନୈତିକ ଘଟଣାକ୍ରମରେ ଜନତା ପାର୍ଟି ବିଧାୟକ ଦଳ ନେତା ଭାବେ ରାମ ପ୍ରସାଦ ମିଶ୍ରଙ୍କୁ ବିରୋଧୀ ଦଳ ନେତା ମିଳିଥିଲା।
ଷଷ୍ଠ ବିଧାନସଭାରେ ସମୁଦାୟ ୯ଟି ଅଧିବେଶନ ବସିଥିଲା। ୧୯୭୪ ମସିହା ମାର୍ଚ ୨୨ ତାରିଖ ଦିନ ପ୍ରଥମ ଅଧିବେଶନ ବସିଥିଲା। ବ୍ରଜମୋହନ ମହାନ୍ତି ବିଧାନସଭା ବାଚସ୍ପତି ଆସନରେ ବସିଥିଲେ। ଚିନ୍ତାମଣି ଜେନା ଉପବାଚସ୍ପତି ପଦ ଅଳଙ୍କୃତ କରିଥିଲେ। ସମ୍ବିଧାନର ୩୫୬ ଧାରା ଅନୁସାରେ, ୧୯୭୭ ମସିହା ଏପ୍ରିଲ ୩୦ ତାରିଖ ଦିନ ବିଧାନସଭା ଭଙ୍ଗ ଘୋଷଣା କରାଯାଇଥିଲା।