କଂଗ୍ରେସର ବୃହତ୍‌ ପରାଜୟ

ସପ୍ତମ ବିଧାନସଭା କାଳରେ ଉଲ୍ଲେଖନୀୟ ଘଟଣା ଥିଲା ଜନତା ପାର୍ଟିର ଅଭୂତପୂର୍ବ ସଫଳତା। ପ୍ରଥମଥର ପାଇଁ କଂଗ୍ରେସ ମଧ୍ୟ ଏକ ବିପୁଳ ବ୍ୟବଧାନରେ ପରାଜୟବରଣ କରିଥିଲା। କିନ୍ତୁ, ନୀଳମଣି ରାଉତରାୟଙ୍କ ନେତୃତ୍ବାଧୀନ ସରକାର ପୂର୍ଣ୍ଣ ୫ ବର୍ଷ ରହିପାରିନଥିଲା। ରାଷ୍ଟ୍ରପତି ଶାସନ ଲାଗୁ ସହିତ ସରକାର ଭଙ୍ଗ ହୋଇଥିଲା।

ସମଗ୍ର ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ପ୍ରଭାବ ଓଡ଼ିଶା ସମେତ ସବୁ ରାଜ୍ୟ ଉପରେ ପଡ଼ିଥିଲା। ୧୯୭୫ ମସିହା ଜୁନ୍‌ ୨୫ ତାରିଖରୁ ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିଥିଲା। ରାଜନୈତିକ ସ୍ବାଭାବିକତା ଫେରିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଆମ ରାଜ୍ୟରେ ସେହି ବର୍ଷ ଜୁନ୍‌ ୧୦ ତାରିଖ ଦିନ ଭୋଟ ଗ୍ରହଣ କରାଯାଇଥିଲା।

ନିର୍ବାଚନରେ ଜନତା ପାର୍ଟି ବିପୁଳ ବିଜୟ ହାସଲ କରିବା ସହିତ ୧୧୦ଟି ଆସନ ଅକ୍ତିଆର କରିଥିଲା। ଜରୁରୀକାଳୀନ ପରିସ୍ଥିତିର ଜନଆକ୍ରୋଶ ମଧ୍ୟ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା ଏବଂ କଂଗ୍ରେସ ମାତ୍ର ୨୬ଟି ଆସନରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା।

ଜୁନ୍‌ ୨୯ ତାରିଖ ଦିନ ସମସ୍ତ ବିଧାୟକ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଜନତାପାର୍ଟିର ବିଧାୟକ ଦଳ ନେତା ଭାବେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏବଂ, ଚିନ୍ତାମଣି ପାଣିଗ୍ରାହୀ ବିରୋଧୀ ଦଳ ନେତା ଭା‌େ‌ବ ନିର୍ବାଚିତ ହୋଇଥିଲେ। ମାତ୍ର, ଶ୍ରୀ ପାଣିଗ୍ରାହୀ ବେଶିଦିନ ଏହି ପଦରେ ରହି ପାରିନଥିଲେ। ତାଙ୍କ ପରେ ବୃନ୍ଦାବନ ନାୟକ ଏବଂ ପ୍ରହ୍ଲାଦ ମଲ୍ଲିକ ଏହି ପଦ ଅଳଙ୍କୃତ କରିଥିଲେ। ତଥ୍ୟ ଅନୁସାରେ, ଶ୍ରୀ ନାୟକ ୧୯୭୮ ମସିହା ଫେବ୍ରୁଆରି ୨୦ରୁ ସେପ୍ଟେମ୍ବର ୩ ଏବଂ ଶ୍ରୀ ମଲ୍ଲିକ ସେପ୍ଟେମ୍ବର ୩ ତାରିଖରୁ ୧୯୮୦ ମସିହା ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ।

କିନ୍ତୁ, ୧୯୮୦ ମସିହା ଫେବ୍ରୁଆରି ବେଳକୁ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ଚିତ୍ର ଦେଖିବାକୁ ମିଳିଥିଲା। ଫେବ୍ରୁଆରି ୧୭ ତାରିଖ ଦିନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।

ତେବେ, ଏହି ସମୟସୀମା ମଧ୍ୟରେ ୭ଟି ବିଧାନସଭା ଅଧିବେଶନ ବସିଥିଲା ଏବଂ ସମୁଦାୟ କାର୍ଯ୍ୟଦିବସ ଥିଲା ୧୧୮। ୧୯୭୭ ମସିହା ଜୁଲାଇ ୨୦ ତାରିଖ ଦିନ ପ୍ରଥମ ଅଧିବେଶନ ବସିଥିଲା।

୧୯୭୭ ମସିହା ଜୁଲାଇ ୧ ତାରିଖ ଦିନ ସତ୍ୟପ୍ରିୟ ମହାନ୍ତି ବାଚସ୍ପତି ଏବଂ ‌ଜୁଲାଇ ୨୭ ତାରିଖ ଦିନ ସୁରେନ୍ଦ୍ରନାଥ ନାଏକ ଉପବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ତେବେ, ସ୍ବଳ୍ପ ଅବଧିର ଏହି ବିଧାନସଭାରେ ବହୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣାମାନ ଦେଖିବାକୁ ମିଳିଥିଲା। ଯାହାକି, ରାଜ୍ୟ ରାଜନୀତି ପାଇଁ କେବଳ ଉଲ୍ଲେଖନୀୟ ନଥିଲା, ଆଗାମୀ ଦିନରେ ରାଜନୈତିକ ସମୀକରଣ ପାଇଁ ପଥ ପରିଷ୍କାର କରିଥିଲା।

ସମ୍ବନ୍ଧିତ ଖବର