ଜାନକୀବଲ୍ଲଭଙ୍କ ଶାସନ ଆରମ୍ଭ

ଅଷ୍ଟମ ବିଧାନସଭାରେ କଂଗ୍ରେସ (ଆଇ)ର ବିପୁଳ ବିଜୟ ସହିତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଯୁଗ ଆରମ୍ଭ ହୋଇଥିଲା। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଏକ ସ୍ଥିର ସରକାରର ନେତୃତ୍ବ ନେଇଥିଲେ। ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର ଉପନିର୍ବାଚନରେ ଜିଣି ବିଧାନସଭାକୁ ପ୍ରବେଶ କରିଥିଲେ।

ଅଷ୍ଟମ ବିଧାନସଭା କିଛି ବର୍ଷ ଧରି ଲାଗି ରହିଥିବା ଶାସନଗତ ଅସ୍ଥିରତାର ଅବସାନ ଘଟାଇଥିଲା। ନିର୍ବାଚନୀ ଫଳାଫଳ ଏକ ସ୍ଥିର ସରକାର ପାଇଁ ପଥ ପରିଷ୍କାର କରିଥିଲା। ୧୯୮୦ ମସିହା ମେ ୩୧ ତାରିଖ ଦିନ ଏହି ନିର୍ବ‌ାଚନ ଅନୁଷ୍ଠିତ ହୋଇଥିଲା।

ନିର୍ବାଚନରେ କଂଗ୍ରେସ(ଆଇ)ର ଆବିର୍ଭାବ ହୋଇଥିଲା। ଯାହାକି, ପୁରୁଣା କଂଗ୍ରେସର ଏକ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ଚେହେରା। ସେହିଭଳି, ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନୀ ମଇଦାନରେ ଲମ୍ଫ ମାରିଥିଲା। ଫଳାଫଳ ସମ୍ପୂର୍ଣ୍ଣ ଭାବେ କଂଗ୍ରେସ(ଆଇ) ସପକ୍ଷରେ ଯାଇଥିଲା ଏବଂ ଏହି ଦଳ ୧୧୭ଟି ଆସନରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା। ଜନତା ପାର୍ଟିର ବିଭାଜନ ସହିତ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ଏକପ୍ରକାର ପ୍ରଭାବ ହରାଇଥିଲେ। ଏହି ଫଳାଫଳ ସହିତ ରାଜ୍ୟ ରାଜନୀତିରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଯୁଗ ଆରମ୍ଭ ହୋଇଥିଲା। ଶ୍ରୀ ପଟ୍ଟନାୟକ ଜୁନ୍‌ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ‌େହାଇନଥିଲେ। ନଭେମ୍ବର ୨୩ ତାରିଖ ଦିନ ଅନୁଷ୍ଠିତ ଉପନିର୍ବାଚନରୁ ସେ ଆଠଗଡ଼ରୁ ବିଜୟ ହାସଲ କରିଥିଲେ। ଏହି ନିର୍ବାଚନମଣ୍ଡଳୀରୁ ବିଜୟ ହାସଲ କରିଥିବା ରସାନନ୍ଦ ସାହୁ ଅକ୍ଟୋବର ୭ ତାରିଖ ଦିନ ବିଧାୟକ ପଦରୁ ଇସ୍ତଫା ଦେଇ ଶ୍ରୀ ପଟ୍ଟନାୟକଙ୍କ ପାଇଁ ପଥ ପରିଷ୍କାର କରିଥିଲେ।

ନଭେମ୍ବର ୨୩ରେ କେବଳ ଆଠଗଡ଼ ନୁହେଁ, ନିମାପଡ଼ା ଓ ପାଟକୁରା ପାଇଁ ଉପନିର୍ବାଚନ ହୋଇଥିଲା। ନିମାପଡ଼ାରେ ଜଣେ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ନିର୍ବାଚନ ସ୍ଥଗିତ ରହିଥିଲା। ଉଭୟ ଲୋକସଭା ଓ ବିଧାନସଭାରେ ବିଜୟ ହାସଲ କରିଥିବା ବିଜୁ ପଟ୍ଟନାୟକ ଶେଷରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହି ଉପନିର୍ବାଚନରେ ନିମାପଡ଼ା ସଂରକ୍ଷିତ ଆସନରୁ ରବୀନ୍ଦ୍ର କୁମାର ସେଠୀ ଓ ପାଟକୁରାରୁ ବିଜୟ ମହାପାତ୍ର ବିଜୟ ହାସଲ କରି ବିଧାନସଭାକୁ ପ୍ରବେଶ କରିଥିଲେ।

କୌଣସି ବିରୋଧୀ ଦଳ ନିକଟରେ ଆବଶ୍ୟକୀୟ ସଂଖ୍ୟା ନ ଥିବାରୁ ବିରୋଧୀ ଦଳ ନେତା ଭାବେ କାହାରିକୁ ନିୟମତଃ ମାନ୍ୟତା ମିଳିନଥିଲା। ମାତ୍ର, ପରେ ବୃହତ୍‌ ବିରୋଧୀ ଗୋଷ୍ଠୀର ନେତା ଭାବେ ଶରତ ଦେବଙ୍କୁ ବିରୋଧୀ ଦଳ ନେତା ଭାବେ ଘୋଷଣା କରାଯାଇଥିଲା।
ଏହି ଅଷ୍ଟମ ବିଧାନସଭାରେ ସୋମନାଥ ରଥ ବାଚସ୍ପତି ଓ ହିଂମାଶୁ ଶେଖର ପାଢ଼ୀ ଉପବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
ରାଜନୈତିକ ଦୃଷ୍ଟିକୋଣରୁ ଅଷ୍ଟମ ବିଧାନସଭାର କାର୍ଯ୍ୟକାଳ ବେଶ୍‌ ଚଳଚଞ୍ଚଳ ଥିଲା।

ନିର୍ବାଚନ ଫଳାଫଳ ଏହିଭଳି:
ଅଷ୍ଟମ ବିଧାନସଭା(୧୯୮୦-୮୫)
ଦଳ                          ଆସନ        ଭୋଟହାର
କଂଗ୍ରେସ(ଆଇ)*           ୧୧୭         ୪୭.୯୩%
ଜନତା (ସିଏସ୍‌)*           ୧୩           ୧୯.୫୬%
ଜନତା(ଜେପି)*             ୦୩           ୪.୦୧%
ସିପିଆଇ                    ୦୪           ୪.୭୮%
କଂଗ୍ରେସ(ୟୁ)                ୦୨          ୭.୦୭%
ସ୍ବାଧୀନ                      ୦୭          ୧୧.୮୮%
ଖାଲି ଆସନ*              ୦୧ ….
ମୋଟ                      ୧୪୭          ୧୦୦%
କଂଗ୍ରେସ(ଆଇ)- କଂଗ୍ରେସ (ଇନ୍ଦିରା)
ଜନତା (ସିଏସ୍‌)*- ଜନତା (ଚରଣ ସିଂହ)
ଜନତା (ଜେପି)*- ଜନତା (ଜୟପ୍ରକାଶ)
ଖାଲି ଆସନ*- ନିମାପଡ଼ାରେ ଜ‌େଣ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧିତ ଖବର