ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ‌ରେସ୍‌ରେ ବହୁ ନେତାଙ୍କ ନାଁ ଥିଲା। ହେଲେ ସମସ୍ତଙ୍କୁ ଚକିତ କରି ବିଜେପି କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ହଠାତ୍ ମୋହନ କାହିଁକି? ଏମିତି ଏକ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲଙ୍କ ମତରେ ମୋହନ ମୁଖ୍ୟମନ୍ତ୍ରୀ ହେବା ପଛରେ କେବଳ ଆଦିବାସୀ ଭୋଟ୍ ନୁହେଁ, ବରଂ ଝାଡ଼ଖଣ୍ଡ ଅଙ୍କ ଅଛି। ଆସନ୍ତା ନଭେମ୍ବର-ଡିସେମ୍ବର ମାସରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଝାଡ଼ଖଣ୍ଡରେ ଆଦିବାସୀ ଭୋଟ୍‌ ହାତେଇବା ପାଇଁ ବିଜେପି ଓଡ଼ିଶାରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଏହାପୂର୍ବରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତି ଦିଆଯାଇଥିଲା। ରଘୁବର ଏଠାରେ ବେଶ୍ ସକ୍ରିୟ ଅଛନ୍ତି ଓ ଏ ବାର୍ତ୍ତା ଝାଡ଼ଖଣ୍ଡକୁ ବି ଯାଇଛି।

Advertisment

ଜଣେ ଟାଣୁଆ ଆଦିବାସୀ ନେତା ଭା‌ବେ ପରିଚିତ ମୋହନ ୪ଥର ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଦିବାସୀ କାର୍ଡ ସହିତ ମାଝୀ ସାଙ୍ଗିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି। ଜେଏମ୍‌ଏମ୍ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିବା ପରେ ବିଜେପି ଏବେ ଏହି ରାଜ୍ୟର ନିର୍ବାଚନ ଉପରେ ଆଖି ରଖିଛି। କୌଣସି ବି ପରିସ୍ଥିତିରେ ଝାଡ଼ଖଣ୍ଡରେ ଯେଭଳି ଦଳ ସରକାରକୁ ଆସିବ, ତାହାକୁ ନେଇ କେନ୍ଦ୍ର ସରକାର ଏବେଠାରୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଲୋକସଭା ନିର୍ବାଚନରେ ବି ସେଠାରେ ଦଳର ପ୍ରଦର୍ଶନ ଆଶାନୁରୂପକ ହୋଇନାହିଁ। ମୋଟ୍ ୧୪ଟି ଲୋକସଭା ଆସନରୁ ୨୦୧୯ରେ ବିଜେପି ୧୨ଟି ଜିତିଥିବା ବେଳେ ୨୦୨୪ରେ ମାତ୍ର ୯ଟି ଆସନ ହାସଲ କରିପାରିଛି। ଏନ୍‌ଡିଏର ଆଦିବାସୀବହୁଳ ଅଞ୍ଚଳରେ ଭଲ ଭୋଟ୍ ଥିଲେ ହେଁ ଏଥର ଲୋକସଭା ନିର୍ବାଚନରେ ଏସ୍‌ଟିଙ୍କ ପାଇଁ ସଂରକ୍ଷିତ ଡୁମ୍‌କା, ଖୁଣ୍ଟି, ଲୋହରଦଗା ସିଟ୍ ହାତଛଡ଼ା କରିଛି। ବିଜେପି ବି ଏସ୍‌ଟିଙ୍କ ପାଇଁ ସଂରକ୍ଷିତ ସିଂହଭୂମ ଆସନଟି ଏଥର ହରାଇଛି।

ଆଉ ଚାରି ମାସ ପରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ୨୦୧୧ ଜନଗଣନା ଅନୁଯାୟୀ ଏଠାରେ ୨୬.୨% ଲୋକ ଆଦିବାସୀ। ତେଣୁ ଆଦିବାସୀ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ଝାଡ଼ଖଣ୍ଡ ସୀମାବର୍ତ୍ତୀ ଆଦିବାସୀ ବହୁଳ ଜିଲ୍ଲା କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝୀଙ୍କୁ ଓଡ଼ିଶାର ଶାସନ ଭାର ଦେଇଛି। ଏହା ପୂର୍ବରୁ ବିଜେପି ଝାଡ଼ଖଣ୍ଡ ସୀମାବର୍ତ୍ତୀ ସୁନ୍ଦରଗଡ଼ରୁ ସାଂସଦ ହୋଇଥିବା ଜୁଏଲ ଓରାମଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ କରିଥିଲା। ଏହି ଦୁଇ ଟାଣୁଆ ଆଦିବାସୀ ନେତାଙ୍କ ମାଧ୍ୟମରେ ବିଜେପି ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି।