୨୯ ଦିନ ଆଗରୁ ସରିଗଲା ବିଧାନସଭା

ଭୁବନେଶ୍ବର : ଗତ ୨୪ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ। ଚାଲିବାକୁ ଥିଲା ଡିସେମ୍ବର ୩୧ ତାରିଖ ଯାଏ। କାର୍ଯ୍ୟଦିବସ ଥିଲା ମୋଟ୍‌ ୩୩। କିନ୍ତୁ ୮ଟି କାର୍ଯ୍ୟଦିବସରେ ସୀମିତ ରହିଲା ଅଧିବେଶନ। ଆହୁରି ୨୫ଟି କାର୍ଯ୍ୟଦିବସ ବାକି ଥିଲା ବେଳେ ଶୁକ୍ରବାର ଦିନ ଅଧିବେଶନ ଶେଷ କରିଦିଆଯାଇଛି। ଗତ କିଛି ବର୍ଷ ଧରି କାର୍ଯ୍ୟଦିବସ କାଣ୍ଟଛାଣ୍ଟ୍‌ କରିବାକୁ ନେଇ ଆରମ୍ଭ ହୋଇଥିବା ପରମ୍ପରା ଏ ବର୍ଷ ବି ଜାରି ରହିଲା।

ଶୁକବ୍ରାର ଦିନ ଅତିରିକ୍ତ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବା ପରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭା ଅଧିବେଶନକୁ ପରିସମାପ୍ତି କରିବାକୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଯେହେତୁ ଆଉ କୌଣସି ସରକାରୀ କାର୍ଯ୍ୟ ନାହିଁ, ତେଣୁ ଗୃହକୁ ମୁଲତବୀ ରଖାଯାଉ ବୋଲି ସେ କହିଥିଲେ। ଶାସକ ଦଳ ସଭ୍ୟ ଅମର ଶତପଥୀ ଓ ଭୂପିନ୍ଦର ସିଂହ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଗୃହ କାର୍ଯ୍ୟ ସର୍ବନିମ୍ନ ୬୦ ଦିନ କରିବାକୁ ନିୟମ ରହିଛି। ତେବେ ସରକାରୀ କାର୍ଯ୍ୟ ନଥିଲେ ଗୃହ ଚାହିଁଲେ କାର୍ଯ୍ୟଦିବସକୁ କମାଇପାରିବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ।

ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ(ଏମ୍‌) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ପରେ ବାଚସ୍ପତି ବିକ୍ରମ‌ କେଶରୀ ଆରୁଖ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର