ଭୁବନେଶ୍ବର: ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଷୋଡ଼ଶ ବିଧାନସଭାର ଏହା ପଞ୍ଚଦଶ ତଥା ଶେଷ ଅଧିବେଶନ। ଯଦିଓ ଏହି ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟଦିବସ ରହିଛି, ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଗୃହ ବେଶ୍ ସରଗରମ ହେବ ବୋଲି ଅନୁମାନ କରାଯାଉଛି। ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନଙ୍କ ସମେତ ପରଲୋକଗତ ପୂର୍ବତନ ବିଧାୟକ ଓ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକପ୍ରସ୍ତାବ ଆଗତ ହେବ। ଏହାପରେ ଗୃହ ମୁଲତବୀ ରହିବ। ୬ ତାରିଖରେ ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ରାଜେନ୍ଦ୍ରନ୍ଙ୍କ ସମ୍ମାନାର୍ଥେ ଗୃହ କାର୍ଯ୍ୟ ହେବ ନାହିଁ ବୋଲି ଆଜି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ୮ ତାରିଖରେ ଅର୍ଥ ମନ୍ତ୍ରୀ ୨୦୨୪-୨୫ ଆର୍ଥିକ ବର୍ଷର କାମଚଳା ବଜେଟ୍ ଉପସ୍ଥାପନ କରିବେ। ୯ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ୧୦ ଓ ୧୧ ତାରିଖ ଦ୍ବିତୀୟ ଶନିବାର ଓ ରବିବାର ପାଇଁ ଛୁଟି ରହିଛି। ୧୨ ତାରିଖରେ ସରକାରୀ କାର୍ଯ୍ୟ ଦିବସ ଥିଲା ବେଳେ ୧୩ ତାରିଖରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ରହିଛି।
୨୦୧୯ ମସିହାରେ ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନେ ଶେଷ ଥର ପାଇଁ ଏହି ଅଧିବେଶନରେ ଏକାଠି ହେବେ। ତେଣୁ ଏଥର ଗୃହର ପରିବେଶ ନିଶ୍ଚିତ ଭିନ୍ନ ରହିବ। ଆଜି ସନ୍ଧ୍ୟାରେ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକି ଗୃହର ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିବାର ଥିଲା। କିନ୍ତୁ ୮ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଥିବାରୁ ସମସ୍ତ ବିଧାୟକ ଏବେ ଠାରୁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୮ ତାରିଖ ପର୍ଯ୍ୟନ୍ତ ସେମାନେ ଗୃହରେ ଉପସ୍ଥିତ ରହିବାର ସମ୍ଭାବନା ନାହିଁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଜଣେ ଦୁଇ ଜଣ ବିଧାୟକ ଉପସ୍ଥିତ ରହିବେ। ଆଜି ଶ୍ରୀ ମିଶ୍ର ତାଙ୍କ ବାସଭବନରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ସହ ଆଲୋଚନା କରିଥିଲେ। କେଉଁ କେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବ, ସେ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିଲେ। ବିଜେପି ଓ ବିଜେଡିର ବିଧାୟକ ଦଳ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ।