ପୁରୀ: ଜବରଦଖଲରେ ପୁରୀର ବିଧାନସଭା ଅତିଥି ଭବନ। ଜୋର ଜବରଦସ୍ତ ଏହି ଭବନକୁ ମାଡ଼ି ବସିଛନ୍ତି ଠିକାଦାର। ଚାବି ବି ଠିକାଦାର ହାତରେ। ପରିସ୍ଥିତି ଏପରି ହୋଇଛି ଯେ ଠିକାଦାରଙ୍କ ଇଛା ହେଲେ ବିଧାନସଭା ଅତିଥି ଭବନ ଖୋଲୁଛି, ନଚେତ୍ ୨୪ ଘଣ୍ଟା ତାଲା ଝୁଲୁଛି। ସେପଟେ ରାତି ଗଡ଼ିଲେ, ଏଠାରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ମଦର ଆସର ଜମୁଥିବା ଅଭିଯୋଗ ହୋଇଛି। ପୁରୀ ଛାତି ଉପରେ ଥିବା ଏହି ବିଧାନସଭା ଅତିଥି ଭବନର ଏଭଳି ସ୍ଥିତି ଏବେ ସ୍ଥାନୀୟ ଜନସାଧାରଣଙ୍କୁ ବି ଆନ୍ଦୋଳିତ କରିଛି। ବିଧାନସଭାର ଏହି ଦୁସ୍ଥିତି ନେଇ ବାରମ୍ବାର ଅଭିଯୋଗ ପରେ ଆଜି ଓଡ଼ିଶା ବିଧାନସଭା ସଚିବ ଦାଶରଥି ଶତପଥୀ ଓ ସୁରକ୍ଷା ଅଧିକାରୀ ଗୋପାଳକୃଷ୍ଣ ବେହେରା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅତିଥି ଭବନ ଭିତର ଓ ବାହାର କେଉଁ ଭଳି ସ୍ଥିତିରେ ରହିଛି, ତାହା ବୁଲି ଦେଖିଛନ୍ତି।
ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବାରୁ ପୁରୀ ବୁଲି ଆସୁଥିବା ଅବା କୌଣସି ସଭାସମିତିରେ ଯୋଗଦେବାକୁ ଆସିଥିବା ବେଳେ ରାଜ୍ୟର ବିଧାୟକ, ମନ୍ତ୍ରୀମାନଙ୍କ ରହଣୀ ପାଇଁ ବିଧାନସଭା ଅତିଥି ଭବନର ପରିକଳ୍ପନା କରାଯାଇଥିଲା। ପେଣ୍ଠକଟାଠାରେ ଜାଗା ଚିହ୍ନଟ ପରେ ବିସ୍ତୃତ ଜାଗାରେ ବିଧାନସଭା ଅତିଥି ଭବନ ନିର୍ମାଣ ହେଲା। ପରେ ରକ୍ଷଣାବେକ୍ଷଣ ଅଭାବରୁ ଚୋରମାନେ ପଶି ଏଠାରୁ ଦାମୀ ଏସି, ଫ୍ୟାନ୍ ଆଦି ଚୋରି କରିନେଲେ। ୨୦୧୮ ମସିହାରେ ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଧାନସଭାରେ ତୁମ୍ବିତୋଫାନ ହେଲା। ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇ ରକ୍ଷଣାବେକ୍ଷଣ ଦାବି କଲେ। ପରେ ତିନିଟି ପର୍ଯ୍ୟାୟରେ ଏହି ଅତିଥି ଭବନ ପିଛା ପ୍ରାୟ ଅଧକୋଟି ଟଙ୍କା ଖର୍ଚ୍ଚ କରାଗଲା। ଭଙ୍ଗା କୋଠାକୁ ନୂଆ ରୂପ ଦିଆଗଲା। ଅତିଥି ଭବନ ଭିତରେ ୪ଟି ରହଣୀ କକ୍ଷ ସହ ଖୋଲା ପଡ଼ିଆ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଗଲା। ପୁଣିଥରେ ଦାମୀ ଏସି, ଫ୍ୟାନ୍ ଆଦି ଲାଗିଲା। ଇତିମଧ୍ୟରେ କୋଠା ନୂଆ ରୂପ ପାଇବା ଦୁଇରୁ ଅଧିକ ବର୍ଷ ବିତିଲାଣି। କିନ୍ତୁ ଏବେ ବି କୋଠାର ପୁନରୁଦ୍ଧାର ଟେଣ୍ଡର କାମ ନେଇଥିବା ଠିକାଦାର ଏହାକୁ ନିଜ ଦଖଲରେ ରଖିଛନ୍ତି। ଠିକାଦାର ବି ଠିକା କାର୍ଯ୍ୟ ଓ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଗାଡ଼ି, ଯନ୍ତ୍ରାଶ ଏହା ଭିତରେ ରଖୁଛନ୍ତି। ଅପରପକ୍ଷେ ପୂର୍ତ୍ତ ବିଭାଗର କହିବା କଥା, ପୂର୍ବରୁ ଦୁଇଥର ଏହି କୋଠା ହସ୍ତାନ୍ତର ଉପରେ ବିଧାନସଭା କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଥିଲା। କିନ୍ତୁ କେହି ଜବାବ ରଖିଲେନି। ଯେଉଁଥିପାଇଁ ଏହି ଘର ହସ୍ତାନ୍ତର ହୋଇପାରିନି।