ଶକ୍ତି ଉତ୍ପାଦନ ଓ ବିତରଣ ନେଇ ବିଧାନସଭା ଗୃହ କମିଟି ବୈଠକ : ରାଜ୍ୟରେ ବିଜୁଳି ବଳକା, କ୍ଷତିରେ ସରକାର: ଶକ୍ତି ସଚିବ
ପ୍ରତି ଗାଁକୁ ବିଜୁଳି ଯୋଗାଣ ସୁନିଶ୍ଚିତ କରିବାକୁ ଟାଟାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟ ଯେତିକି ବିଜୁଳି ଉତ୍ପାଦନ କରୁଛି ଓ କିଣୁଛି ସେଥିରୁ ଅଧା ବଳୁଛି। ଫଳରେ ବିଜୁଳି ଉତ୍ପାଦନ ଓ କିଣା ବାବଦରେ ରାଜ୍ୟ ସରକାର କ୍ଷତି ସହୁଛନ୍ତି। କେନ୍ଦ୍ର ସରକାର ଅକ୍ଷୟ ଶକ୍ତି ବିକାଶ କରିବାକୁ ଚାପ ପକାଉଛନ୍ତି। ଏନ୍ଟିପିସିରୁ ତାପଜ ବିଦ୍ୟୁତ କିଣିବା ପାଇଁ ହୋଇଥିବା ୨୫ ବର୍ଷିଆ ଚୁକ୍ତିନାମାର ମିଆଦ ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ସରୁଥିଲେ ବି ଏହି କେନ୍ଦ୍ରୀୟ ସଂସ୍ଥାରୁ ବିଦ୍ୟୁତ କିଣିବା ପାଇଁ ସରକାର ବାଧ୍ୟ। ସେଥିରୁ ସରକାର ମୁକୁଳିପାରିବେ ନାହିଁ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶକ୍ତି ଉତ୍ପାଦନ ଓ ବିତରଣ ନେଇ ବିଧାନସଭା ଗୃହ କମିଟି ବୈଠକରେ ଏପରି ସ୍ବୀକାର କରିଛନ୍ତି ଖୋଦ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ। ସେ କହିଛନ୍ତି, ରାଜ୍ୟ ଯେତିକି ଶକ୍ତି ଉତ୍ପାଦନ ବଢ଼ାଇବ, ସେତିକି କ୍ଷତିରେ ରହିବ। ତେବେ ସବୁ ଗାଁକୁ ଯେପରି ବିଜୁଳି ଯୋଗାଣ ହେବ, ସେ ନେଇ ସୁନିଶ୍ଚିତ କରିବାକୁ ବାଚସ୍ପତି ଶ୍ରୀ ପାତ୍ର ବିତରଣ ଦାୟିତ୍ବରେ ଥିବା ଟାଟା ପାଓ୍ବାର କମ୍ପାନିକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ଧଳ କହିଥିଲେ, ରାଜ୍ୟରେ ୪ ହଜାର ୫୦ ମେଗାଓ୍ବାଟ୍ ଶକ୍ତି ଉତ୍ପାଦନ ହେଉଛି। ସେଥିରୁ ପିକ୍ ସମୟରେ ୩ ହଜାର ୫୦ ମେଗାଓ୍ବାଟ୍ ବିଜୁଳି ବ୍ୟବହାର ହେଉଥିବାବେଳେ ୧ ହଜାର ମେଗାଓ୍ବାଟ୍ ବିଜୁଳି ବଳକା ରହୁଛି। କିନ୍ତୁ ଅନ୍ୟ ସମୟରେ ମାତ୍ର ୨ ହଜାର ୫୦ ମେଗାଓ୍ବାଟ୍ ବିଜୁଳି ବିନିଯୋଗ ହେଉଛି। ଅର୍ଥାତ୍ ହାରାହାରି ୨୦୦୦ ମେଗାଓ୍ବାଟ୍ ବିଜୁଳି ବଳକା ରହୁଛି। ଯାହାଫଳରେ ରାଜ୍ୟ ସରକାରଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ଜଳ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଗୋଟିଏ ୟୁନିଟ୍ ବିଜୁଳି ଉତ୍ପାଦନ ପାଇଁ ୯୦ ପଇସା ଖର୍ଚ୍ଚ ହେଉଥିବାବେଳେ ଗୋଟିଏ ୟୁନିଟ୍ ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ ୩ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି। ଅନ୍ୟପଟେ କେନ୍ଦ୍ର ସରକାର ଅକ୍ଷୟ ଶକ୍ତି ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟୟବହୁଳ ହୋଇଥିଲେ ବି ପରିବେଶ ଅନୁକୂଳ ହୋଇଥିବାରୁ ତା ଉପରେ ଗୁରୁତ୍ବ ଦେବାକୁ କେନ୍ଦ୍ର ଚାପ ସୃଷ୍ଟି କରୁଛନ୍ତି। ୨୦୨୧ ମସିହା ସୁଦ୍ଧା ରାଜ୍ୟର ସାମଗ୍ରୀକ ଶକ୍ତି ଉତ୍ପାଦନର ୧୯ ଭାଗ ଓ ୨୦୨୨ ମସିହା ସୁଦ୍ଧା ଶତକଡ଼ା ୨୨ ପ୍ରତିଶତ ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିଯୋଗୁ ରାଜ୍ୟ ଶକ୍ତି କ୍ଷେତ୍ରରେ ବଡ଼ ଧରଣର କ୍ଷତି ସହିବ ବୋଲି ଶ୍ରୀ ଧଳ କହିଥିଲେ।
ରାଜ୍ୟରେ ସଠିକ୍ ବିଦ୍ୟୁତ ଉତ୍ପାଦନ ଓ ବିତରଣ ନିୟମ ନିର୍ଦ୍ଧାରଣ କରି କ୍ଷତି ରୋକିବା ଉପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମତ ରଖିଥିଲେ। ସେହିପରି ଚିପିଲିମା ଓ ବୁର୍ଲାର ୪ଟି ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ଦୀର୍ଘ ୬ ବର୍ଷ ହେଲା ବନ୍ଦ ରହିଥିବା ନେଇ ବିଧାୟକ କିଶୋର ମହାନ୍ତି ଉଦବେଗ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଟାଟା ପାଓ୍ବାର୍ କମ୍ପାନିର ଓଡ଼ିଶା ମୁଖ୍ୟ ସଞ୍ଜୟ ବାଙ୍ଗାଙ୍କୁ କହିଥିଲେ, ରାଜ୍ୟର ସିଂହଭାଗ ବିଦ୍ୟୁତ ଉତ୍ପାଦନ ଓ୍ବେସ୍କୋ ଅଞ୍ଚଳରେ ହେଉଛି। ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବାକୁ ଟାଟା କମ୍ପାନି ଯେଉଁ ୧୫୦୦ ପଦବି ପୂରଣ କରିବ ବୋଲି ଯୋଜନା ରଖିଛି, ସେଥିରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ମିଳିବା ଦରକାର। ତା ନହେଲେ ସ୍ଥାନୀୟ ଲୋକମାନେ କମ୍ପାନିକୁ ସହଯୋଗ କରିବେ ନାହିଁ। ଟାଟା ପାଓ୍ବାର୍ ମୁଖ୍ୟ ଶ୍ରୀ ବାଙ୍ଗା ବିଦ୍ୟୁତ ବ୍ୟବସ୍ଥାର ଉନ୍ନତି ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ। ଏନ୍ଟିପିସି ଓ ଓପିଟିସିଏଲ୍ ତରଫରୁ ରାଜ୍ୟର ୧୫ଟି ଲେଖାଏଁ ଜିଲ୍ଲାରେ ବିଦ୍ୟୁତକରଣ ଯୋଜନା କାର୍ଯ୍ୟକାରୀ ହେଉଛି। ବାସ୍ତବ ସ୍ଥିତି ସମ୍ପର୍କରେ ଗ୍ରାମଓ୍ବାରି ଓ ପରିବାରଓ୍ବାରି ତଥ୍ୟ ରଖିବାକୁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଶକ୍ତି ସଂକ୍ରାନ୍ତୀୟ ସବ୍-କମିଟି ତୁରନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଉପରେ ତର୍ଜମା କରିବେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିତରଣ କମ୍ପାନିର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।