ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଧାନ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହେଲା। ଆଗେ ଆଗେ ବିଜେଡି ତୀବ୍ର ପ୍ରତିବାଦ କରି ଗୃହ କମ୍ପାଇଲା। କଂଗ୍ରେସ ବି ପଛରେ ପଡ଼ିଲାନି। ନାରାବାଜି କରି ସରକାରଙ୍କ ବିରୋଧରେ ଗର୍ଜିଲା। ଫଳରେ ଦିନତମାମ ବିଧାନସଭା ଅଚଳ ହୋଇଗଲା। ୭ ମିନିଟ୍ରେ ଗୃହକାର୍ଯ୍ୟ ସୀମିତ ରହିଲା।
ଆଜି ପୂର୍ବାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ସାଙ୍ଗରେ ଆଣିଥିବା ବ୍ୟାନର୍ ପ୍ରଦର୍ଶନ କରିଥିଲେ। ଗୋଟିଏ ଗାମୁଛାରେ ଗୁଡ଼ାଇ ଆଣିଥିବା ଧାନକୁ ଗୃହ ମଧ୍ୟ ଭାଗରେ ରିପୋର୍ଟସ ଟେବୁଲ୍ ଉପରେ ରଖିଥିଲେ। ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଧାନ ଆଞ୍ଜୁଳା କରି ଉପରକୁ ଦେଖାଇଥିଲେ। ବ୍ୟାନର୍ରେ ଲେଖାଥିଲା, ‘କାନ୍ଦୁଛି ଚାଷୀ, କାନ୍ଦେ ଜନତା… କୁଆଡ଼େ ଗଲା ତମ ଓଡ଼ିଆ ଅସ୍ମିତା’, ‘ଡବଲ୍ ଇଞ୍ଜିନ୍ ସରକାର, ଚାଷ କାମ ଯାହାର… ସର୍ବନାଶ ତାହାର’, ‘ବଢ଼ି ଚାଲିଛି ଅଭାବୀ ବିକ୍ରି… ମନ୍ତ୍ରୀ କରୁଛନ୍ତି ମିମିକ୍ରି’ ଇତ୍ୟାଦି। ବିଜେଡି ବିଧାୟକମାନଙ୍କ ନାରାବାଜିରେ କମ୍ପିଥିଲା ଗୃହ।
ଧାନ ଦେଖାଇ ବିଜେଡିର ପ୍ରତିବାଦ
କଂଗ୍ରେସର ବି ଜୋରଦାର ବିରୋଧ
କଂଗ୍ରେସ ସଭ୍ୟମାନେ ମଧ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ। ବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଉତ୍ତର ଦେବାକୁ କହିଥିଲେ। ମନ୍ତ୍ରୀ ଉତ୍ତର ଦେଲା ବେଳେ ବିରୋଧୀ ଆହୁରି ଗର୍ଜନ କରିଥିଲେ। ଫଳରେ ବାଚସ୍ପତି ମାତ୍ର ତିନି ମିନିଟ୍ ପରେ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ୧୧ଟା ୩୦ରେ ବି ସ୍ଥିତି ବଦଳି ନଥିଲା। ବିଜେଡି ସଭ୍ୟମାନେ ପୁନର୍ବାର ବ୍ୟାନର୍ ପ୍ରଦର୍ଶନ କରିଥିଲା ବେଳେ ଏଥର କଂଗ୍ରେସ ସଭ୍ୟଙ୍କ ହାତରେ ପ୍ଲାକାର୍ଡ ଥିଲା। ଲେଖାଥିଲା, ‘ଧାନ ଚୋର କୃଷି ମନ୍ତ୍ରୀ ଗାଦି ଛାଡ଼’, ‘୩୦୦ ୟୁନିଟ୍ ମାଗଣା ବିଜୁଳି କୁଆଡ଼େ ଗଲା’ ଇତ୍ୟାଦି। ହୋହଲ୍ଲା ଭିତରେ ଗୃହ ଚାଲିବା ସମ୍ଭବ ହେଲାନି। ଦୁଇ ମିନିଟ୍ ଭିତରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ।
/filters:format(webp)/sambad/media/media_files/2026/02/19/fshfshfshf-2026-02-19-02-06-42.jpg)
ଅପରାହ୍ଣ ୪ଟାରେ ମଧ୍ୟ ବିରୋଧୀ ବିଧାୟକଙ୍କ ଗର୍ଜନରେ ଗୃହ କମ୍ପିଲା। ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଗୃହ ବାହାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଥିଲେ, ସାରା ରାଜ୍ୟରେ ଚାଷୀ ଆନ୍ଦୋଳନ ତେଜୁଛି। ଧାନକିଣାରେ ଅବ୍ୟବସ୍ଥା ଦେଖାଦେଇଛି। ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ଘୋଷଣା କରି ୭୩୧ ଟଙ୍କା ଦେଉଛନ୍ତି। ଚାଷୀଙ୍କୁ ନ୍ୟାୟ ଦେବାକୁ ଆମେ ବିଧାନସଭାରେ ପ୍ରତିବାଦ କରୁଛୁ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ଚାଷୀ ଅମଳ କରିଛି ଓ ଋଣ କରିଛି। ହେଲେ ଧାନ ଉଠୁନି। ଡବଲ୍ ଇଞ୍ଜିନ୍ ସରକାର ଚାଷୀଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି। ଯେତେବେଳେ ଯାଏଁ ଚାଷୀ ସମସ୍ୟାର ସମାଧାନ ହେବନି, କଂଗ୍ରେସ ଗୃହ ଚଳାଇ ଦେବ ନାହିଁ।
ବିଜେପି ବିଧାୟକ ବାବୁ ସିଂହ କହିଥିଲେ, ବିଧାନସଭାରେ ବିରୋଧୀ ଯାହା ପ୍ରଶ୍ନ କରିବେ, ମନ୍ତ୍ରୀମାନେ ତାହାର ଉତ୍ତର ଦେବେ। ଫଳରେ ସେଥିରୁ ସମାଧାନର ବାଟ ବାହାରିବ। କିନ୍ତୁ ଯେଉଁମାନେ ବିଧାନସଭା କାର୍ଯ୍ୟରେ ବାଧା ଦେଉଛନ୍ତି, ସେମାନେ ରାଜ୍ୟର ବିକାଶ ଚାହୁ ନାହାନ୍ତି। ବିରୋଧୀ କେବଳ ରାଜନୀତି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/30/assembly-2025-11-30-02-04-11.jpg)