ସ୍ୱାଭାବିକ ହେଉନି ଗୃହ : ଅରୁଣଙ୍କ ଇସ୍ତଫା, ସିବିଆଇ ତଦନ୍ତ ଦାବିରେ ବିଜେପି ଅଟଳ

ଏସ୍‌ଆଇଟି ତଦନ୍ତ ଦାବିରେ ଗର୍ଜିଲା କଂଗ୍ରେସ, ଅପରାହ୍ନରେ ଶାନ୍ତ
୬ ଥର ମୁଲତବୀ,ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟା ଅଭିଯୋଗ ଘଟଣାରେ ଆଜି ବି ବିଧାନସଭା ଅଚଳ। ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବ୍ୟାନର୍‌ ଧରି ଗୃହ ମଧ୍ୟଭାଗରେ ବିରୋଧୀଙ୍କ ନାରାବାଜି ଯୋଗୁଁ ୬ ଥର ଗୃହ ମୁଲତବୀ ରହିଲା। ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ଦାବିକୁ କଂଗ୍ରେସ ଜୋର କଲା। ଅନ୍ୟପଟେ ବିଜେପି ସଭ୍ୟମାନେ ଗୃହ ମଧ୍ୟଭାଗରେ ବ୍ୟାନର ଧରି ମନ୍ତ୍ରୀ ଶ୍ରୀ ସାହୁଙ୍କ ବହିଷ୍କାର ଦାବି କରି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ଗୃହ ସୁପରିଚାଳନା ନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ। କିନ୍ତୁ କିଛି ବି ସମାଧାନର ରାସ୍ତା ବାହାରିପାରିଲାନି। ବାଚସ୍ପତିଙ୍କ ରୁଲିଂ ମୁତାବକ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗତ ବୁଧବାର ଗୃହରେ ବିବୃତି ରଖିନାହାନ୍ତି ବୋଲି ଗର୍ଜିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିରୋଧୀ ହୀନ ରାଜନୀତି କରୁଛନ୍ତି ବୋଲି ଶାସକ ଦଳ ସଦସ୍ୟ ଅତନୁ ସବ୍ୟସାଚୀ ନାୟକ ପାଲଟା ଅଭିଯୋଗ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏସ୍‌ଆଇଟି ତଦନ୍ତ ପାଇଁ ସରକାର ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ବିବୃତି ରଖିବା ପରେ ବି ବିଜେପି ସଦସ୍ୟମାନେ ନାରାବାଜି ଜାରି ରଖିଛନ୍ତି। ଅଥଚ କଂଗ୍ରେସ ସଦସ୍ୟମାନେ ଶାନ୍ତ ରହିଛନ୍ତି। ବିରୋଧୀଙ୍କ ନାରାବାଜି ଯୋଗୁଁ ଅଚଳାବସ୍ଥା ଜାରି ରହିବାରୁ ଗୁରୁତ୍ବପୂର୍ଣ୍ଣ ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହୋଇପାରିନି।

ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, କୃଷି ମନ୍ତ୍ରୀ ଶ୍ରୀ ସାହୁଙ୍କ ବହିଷ୍କାର ଦାବିରେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସ୍ଲୋଗାନ୍‌ ଦେଇଥିଲେ। ‘ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଆମର ଦାବି, ବାଚସ୍ପତି ଆମର ଦାବି ମାନିନିଅ’ ବୋଲି ବିଜେପି ନାରାବାଜି ଦେଇଥିବାବେଳେ ‘ଏସ୍‌ଆଇଟି ତଦନ୍ତ ଆମର ଦାବି, ଆମର ଦାବି ସରକାର ତୁମେ ମାନିନିଅ’ ବୋଲି କଂଗ୍ରେସର ସଦସ୍ୟମାନେ ଦାବି କରିଥିଲେ। ଏପରିକି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବିଧାନସଭା ସଚିବଙ୍କ ଚୌକିରେ ଚଡ଼ି ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ଫଳରେ ବାଚସ୍ପତିଙ୍କ ସାମାନାରେ ଥିବା କୋଭିଡ୍‌ କାଚଟି ପୁଣି ଥରେ ଖସି ଯାଇଥିଲା। ବିରୋଦୀ ସଦସ୍ୟମାନେ ନିଜ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯେତେ ବୁଝାଇଲେ ବି କିଛି ଫରକ୍‌ ପଡ଼ିନଥିଲା। ଫଳରେ ବାଚସ୍ପତି ଶ୍ରୀ ପାତ୍ର ଓ ଅଧିଷ୍ଠାତା ଅଶ୍ବିନୀ ପାତ୍ର ଗୃହକୁ ପ୍ରଥମେ ପୂର୍ବାହ୍ନ ୧୦ଟା ୩୪ରୁ ୧୧ଟା ୪, ୧୧ଟା ୪ରୁ ୧୧ଟା ୩୦, ୧୧ଟା ୩୦ରୁ ୧୧ଟା ୪୫, ୧୧ଟା ୫୯ରୁ ଅପରାହ୍ନ ୩ଟା, ୩ଟା ୬ରୁ ୩ଟା ୨୧ ଓ ଶେଷରେ ୩ଟା ୨୩ରୁ ଆସନ୍ତାକାଲୀ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ସକାଳ ୧୦ଟା ୩୪ରେ ଗୃହ ମୁଲତବୀ କରି ଗୃହରେ ସ୍ବାଭାବିକ ଅବସ୍ଥା ଫେରେଇ ଆଣିବାକୁ ବାଚସ୍ପତି ଶ୍ରୀ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସିପିଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିଲେ। ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ସର୍ବଦଳୀୟ ବୈଠକ ଚାଲିବା ପରେ ବାଚସ୍ପତି ୧୧ଟା ୪୫ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ଡାକିଥିଲେ।

ଶ୍ରୀ ମିଶ୍ର କହିଥିଲେ, ‘ପରୀ ହତ୍ୟା ଅଭିଯୋଗ ନେଇ ବିରୋଧୀଙ୍କ ଦାବି ଉପରେ ବାଚସ୍ପତି ମହୋଦୟ ଆପଣ ୪ଟି ବିନ୍ଦୁ ଉପରେ ଗୃହରେ ବିବୃତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ରୁଲିଂ ଦେଇଥିଲେ। ଗୋଟିଏ ହେଲା ବିଧାନସଭା ସୁରକ୍ଷା ବଳ ଭେଦି ଉଭୟ ସ୍ବାମୀ ଓ ସ୍ତ୍ରୀ କିପରି ଆତ୍ମଦାହ କରିବାକୁ ଫାଟକ ସମ୍ମୁଖକୁ ଆସିଲେ। ଦ୍ବିତୀୟଟି ଥିଲା, ଡିଜେଲ କେଉଁଠୁ ଆସିଲା, ନୟାଗଡ଼ ଜିଲ୍ଲା ପୁଲିସ ଅଭିଯାଗକାରୀଙ୍କ ଅଭିଯୋଗ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହିଁ ଓ ଶେଷରେ ଜଣେ ମନ୍ତ୍ରୀଙ୍କ ନାଁ ମୃତ ଝିଅର ବାମା ମା’ ନେଇଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ରଖିଥିବାବେଳେ ଏହି ୪ଟି ଗୋଟିକର ବି ଉତ୍ତର ରଖିନଥିଲେ। ଅର୍ଥାତ୍‌ ବିଧାନସଭାର ବାଚସ୍ପତି ଯାହା ନିର୍ଦ୍ଦେଶ ଦିଅନ୍ତି, ଏ ରାଜ୍ୟର ମନ୍ତ୍ରୀ ମାନନ୍ତି ନାହିଁ। ଏଥିରେ ବି ମାନିଲେ ନାହିଁ। ବିରୋଧୀ ଦଳ ଯେଉଁ ଦାବି କରିଥିଲା। ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ନେଇ ସରକାରଙ୍କଠାରୁ ସ୍ପଷ୍ଟୀକରଣ ଦାବି କରିଥିଲା। ସେ ଅଭିଯୋଗ ସମ୍ପର୍କରେ ଗୃହ ରାଷ୍ଟ୍ରମନ୍ତ୍ରୀ କିଛି ବି କହିଲେନାହିଁ। ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ନେଇ ଆମେ ନିରପେକ୍ଷ ତଦନ୍ତ ଦାବି କରିଥିଲୁ। ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ହେଉ। ତାହା ମଧ୍ୟ ସରକାର କଲେନାହିଁ। ତାର ଅର୍ଥ ହେଲା ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ସରକାର। ସାଧାରଣରେ ଏହି ଘଟଣାକୁ ନେଇ ଯେଭଳି ପ୍ରତିକ୍ରିୟା ପ୍ରକାଶ ପାଇବା କଥା ତାହ ପ୍ରକାଶ ପାଉଛି। ଏ ଗୃହକୁ ସୁରକ୍ଷା କିଏ ଦେବ? ଆପଣଙ୍କ ନିର୍ଦ୍ଦେଶ କିଏ ପାଳନ କରିବ? ଯଦି ସରକାର ଓ ମନ୍ତ୍ରୀ ଆପଣଙ୍କ ନିର୍ଦ୍ଦେଶକୁ ପାଳନ କରୁନାହନ୍ତି ତାହେଲେ ଆପଣ ଉତ୍ତରଦାୟୀ ରହିବେ। ଆଜି ଗୃହରେ ଏ ଯେଉଁ ଅସ୍ବାଭାବିକ ପରିସ୍ଥିତି ହୋଇଛି ଏଇଟା ସ୍ବାଭାବିକ। ତେଣୁ ଏ ଗୃହର କର୍ତ୍ତବ୍ୟ ଅଛି, ଯେହେତୁ ନିରପେକ୍ଷ ତଦନ୍ତ କଲେନି, ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେନାହିଁ କି ମନ୍ତ୍ରୀ ବି ଇସ୍ତଫା ଦେଇନାହାନ୍ତି। ନିଜେ ମନ୍ତ୍ରୀ ବିବୃତି ରଖି କହିଲେ, ମୁଁ ନିର୍ଦ୍ଦୋଷ। ସେ ନିର୍ଦ୍ଦୋଷ କି ଦୋଷୀ ସେତିକିବେଳେ ଜଣାପଡ଼ିବ ଯେତେବେଳେ ନିରପେକ୍ଷ ତଦନ୍ତ ହେବ। କ୍ରାଇମ ବ୍ରାଞ୍ଚ ଯଦି ତଦନ୍ତ କରେ, ତାହେଲେ କିଏ ପ୍ରଭାବିତ କରୁ ନ କରୁ ସରକାରଙ୍କ କର୍ତ୍ତୃତ୍ବ ରହିବ। ଆଇନରେ ବ୍ୟବସ୍ଥା ଅଛି ନ୍ୟାୟ ମିଳିବା ନେଇ ବିଶ୍ବାସ ହେବା ଦରକାର। ଯଦି ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ କରାଯାନ୍ତା ତାହେଲେ ଲୋକଙ୍କ ବିଶ୍ବାସ ଆସିପାରନ୍ତା। ତାହା ମଧ୍ୟ ସରକାର କଲେନି। ଏପରି ନିର୍ଦ୍ଦେଶର ଅର୍ଥ କଣ? ଏବେ ଆପଣ କହିବେ ଗୃହ ଠିକ୍‌ ଭାବେ ଚାଲୁ। ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ହେଉଛି ଗୁରୁତ୍ବପୂର୍ଣ୍ଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ଥିଲେ ବିରୋଧୀ ବାଧ୍ୟ ହେଉଛନ୍ତି ଗୃହରେ ନାରାବାଜି କରିବାକୁ। ବିରୋଧୀଙ୍କୁ ସରକାର ବାଧ୍ୟ କରୁଛନ୍ତି। ଯିଏ ଯାହା କହୁ ପଛକେ, ଏହି ପ୍ରସଙ୍ଗରୁ ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖାଦେଲାଣି। ଯଦି ସରକାର କିଛି ବି ନିଷ୍ପତ୍ତି ନେଉନାହାନ୍ତି ତେବେ ଏ ଗୃହର କିଛି କରିବାର ଅଛି। ଆମେ ତ ବାଧ୍ୟ ହୋହଲ୍ଲା କରିବା ପାଇଁ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ଆଜିକୁ ୨ ଦିନ ହେଲାଣି ଗୃହ ଅଚଳ ହେଲାଣି। ନୟାଗଡ଼ ପରୀ ହତ୍ୟା ଘଟଣାରେ ୩ ମାସ ହେଲାଣି ତାର ବାପ ମା’ ପୁଲିସରେ ଗୁହାରି କଲେଣି। ଅଥଚ ସେମାନଙ୍କ କଥା ପୁଲିସ ଶୁଣିଲାନି। ଅତୀତରେ ନୟାଗଡ଼ ଜିଲ୍ଲାରେ ଅନେକ ଘଟଣାରେ ସଂଶ୍ଲିଷ୍ଟ ଏବର କୃଷି ମନ୍ତ୍ରୀ ବହୁବାର ତଦନ୍ତକୁ ପ୍ରଭାବିତ କରିଛନ୍ତି। ଏହି ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ଶ୍ରୀ ସାହୁ ଇସ୍ତଫା ଦିଅନ୍ତୁ କିମ୍ବା ତାଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ।

ବିରୋଧୀଙ୍କୁ ଜବାବ ଦେଇ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିରୋଧୀମାନେ ହୋହଲ୍ଲା କରି ବିଧାନସଭା କାର୍ଯ୍ୟ ଚଳାଇ ଦେଉନାହାନ୍ତି। ଗୃହରେ ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ଥିଲେ ବି ଆଲୋଚନା ପାଇଁ ବିରୋଧୀଙ୍କ ଆନ୍ତରିକତା ନାହିଁ। ଏହି ସମୟରେ ଗୃହରେ ବିରୋଧୀ ପ୍ରବଳ ପାଟି କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜେ ବିବୃତି ରଖିବେ। ଦୟାକରୀ ବିରୋଧୀ ସଦସ୍ୟମାନେ ନିଜ ନିଜ ଆସନକୁ ଫେରିଯାନ୍ତୁ। ଏହାପରେ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ବିବୃତି ରଖିବାକୁ ଡାକିଥିଲେ। କିନ୍ତୁ ବିରୋଧୀଙ୍କ ନାରାବାଜି ଜାରି ରହିବାରୁ ୩ଦିନ ଧରି ସୁଚାରୁରୂପେ ଗୃହ କାର୍ଯ୍ୟ ସମ୍ପାଦିତ ହୋଇପାରୁନି।

ସମ୍ବନ୍ଧିତ ଖବର