ପୁଣି ଚର୍ଚାରେ ଆଗୁଆ ନିର୍ବାଚନ

ଭୁବନେଶ୍ୱର : ପୁଣି ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୮ ସେପ୍ଟମ୍ବରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସଙ୍ଗେ ହୋଇପାରେ। କିଛି ଦିନ ଧରି ଚାଲିଥିବା ଏହି ଚର୍ଚ୍ଚାକୁ ଗତକାଲି ନିର୍ବାଚନ କମିସନର୍‌ ଓପି ରାଓ୍ଵତ ଇନ୍ଧନ ଯୋଗାଇଲେ। ପ୍ରସ୍ତାବିତ ଏହି ବିଶାଳ ନିର୍ବାଚନ ପ୍ରକ୍ରିୟା ପାଇଁ କମିସନ୍‌ ପ୍ରସ୍ତୁତ ବୋଲି ସେ ଜଣାଇଲା ପରେ ଦେଶବ୍ୟାପୀ ଏହାକୁ ନେଇ ସରଗରମ ଆଲୋଚନା ଆରମ୍ଭ ହୋଇଛି। ଓଡ଼ିଶାରେ ଆଜି ଏହି ଚର୍ଚ୍ଚାକୁ ଆହୁରି ତେଜିୟାନ କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ସଚିବାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଲେ, ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। ଯଦି ଆଗୁଆ ନିର୍ବାଚନ ହୁଏ, ତେବେ ଆମେ ଏଥି ପାଇଁ ପ୍ରସ୍ତୁତ।

ବିଜେଡି ସୁପ୍ରିମୋଙ୍କ ମୁହଁରୁ ଏହି ଦୁଇ ଧାଡ଼ି କଥା ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଦେଇଛି। ଜାତୀୟ ସ୍ତରରେ ଏହାକୁ ନେଇ ସବୁ ରାଜନୈତିକ ଦଳ ମଧ୍ୟରେ ଏ ଯାଏଁ ସହମତି ଆସି ପାରିନାହିଁ। ଦଳମତ ନିର୍ବିଶେଷରେ ଏହି ପ୍ରକ୍ରିୟାକୁ ସମର୍ଥନ କରିବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ଆହ୍ଵାନ ଦେଇଛନ୍ତି। ଯଦିଓ କଂଗ୍ରେସ ଆଜି ଜାତୀୟ ସ୍ତରରେ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛି, ଅନ୍ୟ ଦଳଗୁଡ଼ିକର ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରି ନାହିଁ।

ଏପରି ସ୍ଥଳେ ନିର୍ବାଚନ କମିସନ୍‌ଙ୍କ ମନ୍ତବ୍ୟର ୨୪ ଘଣ୍ଟା ନ ପୂରୁଣୁ ନବୀନ ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ବୋଲି ପ୍ରତିକ୍ରିୟା ଦେବାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ତର୍ଜମା କରାଯାଉଛି। ଯଦି ପ୍ରସ୍ତାବିତ ନିର୍ବାଚନ ପ୍ରକ୍ରିୟା ବାସ୍ତବ ରୂପ ନିଏ, ତେବେ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ ବି କମ୍‌ ସମୟ ରହିଛି। ତାହା ସତ୍ତ୍ୱେ ବିଜେଡିର ସଂଗଠନ ମଜବୁତ୍‌ ଓ ଯେକୌଣସି ସମୟରେ ନିର୍ବାଚନକୁ ଓହ୍ଲାଇବାରେ ଆଦୌ ସମସ୍ୟା ନାହିଁ ବୋଲି ନବୀନ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଅପର ପକ୍ଷରେ ପଞ୍ଚାୟତ ନିର୍ବାଚନରେ କେତେକ ଅଞ୍ଚଳରେ ବିଜେପିର ସଫଳତା ଓ ପରବର୍ତ୍ତୀ ସମୟରେ ବିଜେପିର ଆକ୍ରମଣାତ୍ମକ ଭୂମିକା ନେଇ ମଧ୍ୟ ବିଜେଡି ବିଚଳିତ ନୁହେଁ ବୋଲି ସେ ଇସାରା ଦେଇଛନ୍ତି। ଏହା ସହ ଏକ ସମ୍ବେଦନଶୀଳ ବିତର୍କିତ ଜାତୀୟ ପ୍ରସଙ୍ଗ ଉପରେ ତତ୍‌କାଳ ପ୍ରତିକ୍ରିୟା ଦେଇ ନବୀନ ଜାତୀୟ ରାଜନୀତିରେ ନିଜ ଗୁରୁତ୍ୱ ଓ ଉପସ୍ଥିତି ଜାହିର କରିଛନ୍ତି।

ଏକା ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏକା ସଙ୍ଗରେ ନିର୍ବାଚନ କରିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ନାହିଁ। ଯଦି ନିର୍ବାଚନ ହୁଏ, ତେବେ ସମ୍ବିଧାନରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି।

ରାଜ୍ୟ ବିଜେପି ବି ତତ୍‌କ୍ଷଣାତ୍‌ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ରଖିଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ବର୍ଷ ତମାମ ନିର୍ବାଚନ ହେଲେ ରାଜନୈତିକ ବାଦବିବାଦ ଚାଲିବା ସହ ଆଦର୍ଶ ଆଚରଣ ବିଧି ବାରମ୍ବାର ଲାଗୁ ହେବା କାରଣରୁ ଦେଶର ବିକାଶ କାର୍ଯ୍ୟ ଠପ୍‌ ହୋଇଯାଉଥିବାରୁ ଏକା ଥରେ ନିର୍ବାଚନ ହେଲେ ବିକାଶ କାର୍ଯ୍ୟ ତ୍ୱରାନ୍ଵିତ ହୋଇପାରିବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିସାରିଛନ୍ତି। ଏହି ବକ୍ତବ୍ୟ ଆଧାରରେ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି। ସବୁ ଦଳ ଏହି ପ୍ରସ୍ତାବ ଉପରେ ସହମତି ପ୍ରକାଶ କଲେ ଏକା ଥରେ ନିର୍ବାଚନ ହୋଇପାରିବ। ବିଜେପି ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସବୁ ବର୍ଗର ଲୋକ ବିଜେପି ପକ୍ଷରେ ଠିଆ ହେବେ ବୋଲି ଶ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର