ବିଧାନସଭା ସମାଚାର

୧୩ ପା‌ନ୍ଥଶାଳା ଘରୋଇକରଣ ହେବ
ଭୁବନେଶ୍ବର : ରାଜ୍ୟରେ ଏବେ ୧୩ଟି ପାନ୍ଥଶାଳା ଅଚଳ ଅବସ୍ଥାରେ ଅଛି। ଏହାକୁ ପର୍ଯ୍ୟାୟକ୍ରମେ ପିପିପି ମୋଡରେ ପରିଚାଳନା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଆରଡି, ଧାମନଗର, ଲଳିତଗିରି, ଭଟ୍ଟାରିକା‌, ଛାପଚିକଣ, ଗିରିଶୋଳା, ବିରଜା, ପଥରାଜପୁର, ଇଚ୍ଛାପୁର, କେନ୍ଦୁଲି, ଓଡ଼ଗାଁ, ବିଶମକଟକ, ବିନିକା ପାନ୍ଥଶାଳାକୁ ପିପିପି ମୋଡ଼ରେ ପରିଚାଳନା କରାଯିବ।

ସେହିପରି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ସରକାର ସମୁଦାୟ ୧୦୦ଟି ପାନ୍ଥନିବାସ, ପାନ୍ଥଶାଳା ଏବଂ ଅନ୍ୟାନ୍ୟ ରହଣି ସ୍ଥାନ ନିର୍ମାଣ କରିଛନ୍ତି। ସେଥିରୁ ୫୫ଟି ସଚଳ ଏବଂ ୪୫ଟି ଅଚଳ ଅବସ୍ଥାରେ ଅଛି। ୨୯ଟି ସମ୍ପତ୍ତିକୁ ଘରୋଇକରଣ କରାଯାଇଛି। ୩୫ଟି ସମ୍ପତ୍ତିକୁ ପର୍ଯ୍ୟାୟକ୍ରମେ ପିପିପି ମୋଡରେ ଲିଜ୍‌ ଦେବାକୁ ବ୍ୟବସ୍ଥା କରାଯାଉଛି।

ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ୩୯ଟି ଯୋଜନା ହେଉଛି
ଭୁବନେଶ୍ବର : ୨୦୦୪-୦୫ରେ ହୋଇଥିବା ସର୍ଭେ ଅନୁଯାୟୀ ରାଜ୍ୟରେ ୨୨୧.୬୦ଲକ୍ଷ (୫୭.୨୦%) ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ଥିଲେ। ୨୦୧୧-୧୨ରେ ହୋଇଥିବା ସର୍ଭେ ଅନୁଯାୟୀ, ୧୩୮.୫୩ଲକ୍ଷ (୩୨.୫୯%) ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆକଳନ କରାଯାଇଥିଲା। ଉପରୋକ୍ତ ସର୍ଭେ ଅନୁଯାୟୀ, ଦାରିଦ୍ର୍ୟ ହ୍ରାସ ପାଇଥିବା ଅନୁପାତ ୨୪.୬୧% ପଏଣ୍ଟ। ଯାହାକି ଦେଶର ସମସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ।

ରାଜ୍ୟରେ ଦାରିଦ୍ର୍ୟ କମିଥିବାବେଳେ ଏହାକୁ ଅଧିକ କମା‌ଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ୩୯ଟି ଦାରିଦ୍ର୍ୟ ଦୂରୀକରଣ ଯୋଜନା କରିଛନ୍ତି ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏହି ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ବିଜୁ ପକ୍କା ଘର, ସ୍କୁଲରେ ମଧ୍ୟାହ୍ନ ଭୋଜନ, ଆହାର, ଆବାସ, ଜାଗା ମିସନ, କାଳିଆ, ମମତା, ଆକାଂକ୍ଷା, ସହାୟ ଭଳି ଯୋଜନା ରହିଛି।

ଆଉ ୧୬,୧୫୯ଜଣ କଳାକାର ଭତ୍ତା ପାଇପାରିବେ
ଭୁବନେଶ୍ବର : ରାଜ୍ୟରେ ୧୯୭୬ ମସିହାରୁ ‘ଦୁଃସ୍ତ କଳାକାରମାନଙ୍କୁ ଭତ୍ତା’ ଯୋଜନା ପ୍ରଣୟନ ହୋଇଛି। ହେଲେ ୨୦୧୮ ମସିହାରୁ ଏହି ଯୋଜନାର ନାମ ପରିବର୍ତ୍ତନ ହୋଇ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା’ ହୋଇଛି। ଏଥିରେ ଏବେ ୩୩୮୪୧ ଜଣ କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଲେଖାଏଁ ଦିଆଯାଉଛି। କିନ୍ତୁ ଆହୁରି ୧୬୧୫୯ଜଣ ଏହି ଭତ୍ତା ପାଇପାରିବେ। ୩୦ଟି ଜିଲ୍ଲା ପାଇଁ ୪୬ହଜାର ଟାର୍ଗେଟ ଥିବାବେଳେ ଏବେ ୩୦,୨୫୬ଜଣ ଏହି ଭତ୍ତା ପାଉଛନ୍ତି। ଆଉ ୧୫,୭୪୪ଜଣ ଭତ୍ତା ପାଇପାରିବେ। ସେହିପରି ସଂସ୍କୃତି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପାଇଁ ୪ହଜାର ଟାର୍ଗେଟ୍ ଥିବାବେଳେ ୩୫୮୫ଜଣ ଭତ୍ତା ପାଉଛନ୍ତି। ଆଉ ୪୧୫ଜଣ ଭତ୍ତା ପାଇପାରିବେ। ଏହିପରି ମୋଟ୍ ୧୬୧୫୯ଜଣ ଭତ୍ତା ପାଇପାରିବେ। ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

୧୫ଚୁକ୍ତି ଭିତ୍ତିକ କର୍ମଚାରୀରେ ଚାଲିଛି ଓଡ଼ିଆ ଭାଷା ପ୍ରତିଷ୍ଠାନ
ଭୁବନେଶ୍ବର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ମୋଟ୍ ୩୧ଟି ମଞ୍ଜୁରୀପ୍ରାପ୍ତ ପଦବି ଅଛି। ସେଥିରୁ ୬ଟି ପ୍ରଥମ ଶ୍ରେଣୀ, ୧୦ଟି ଦ୍ବିତୀୟ ଶ୍ରେଣୀ, ୧୦ଟି ତୃତୀୟ ଶ୍ରେଣୀ ଏବଂ ୫ଟି ଚତୁର୍ଥ ଶ୍ରେଣୀ ପଦବି ଅଛି। କିନ୍ତୁ ୧୬ଟି ପଦବି ଖାଲି ଥିବାବେଳେ ୧୫ଜଣ ଚୁକ୍ତିଭିତ୍ତିକ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି। ହେଲେ ମନ୍ତ୍ରୀ ଯେଉଁ ୧୫ଜଣ ଚୁକ୍ତିଭିତ୍ତିକ କର୍ମଚାରୀ ଅଛନ୍ତି ବୋଲି ତାଲିକା ଦେଇଛନ୍ତି ସେଥିରେ ନିର୍ଦ୍ଦେଶକ, କାର୍ଯ୍ୟାଳୟ ତତ୍ତ୍ବାବଧାରକ, ବରିଷ୍ଠ ସହାୟକ ଅଛନ୍ତି। ପ୍ରତିଷ୍ଠାନରେ କାର୍ଯ୍ୟକ୍ରମ ସଂଯୋଜକ, ପ୍ରଶାସନିକ ତଥା ବିତ୍ତ ଅଧିକାରୀ, ହିସାବ ରକ୍ଷକ, ଅଡିଟର ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ କେହି ନାହାନ୍ତି।

ଚଳିତବର୍ଷ ମନ୍ଦିର ପୁନରୁଦ୍ଧାର ପାଇଁ ୮କୋଟି ଖର୍ଚ୍ଚ ହେବ
ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷ (୨୦୨୧-୨୨ରେ) ରାଜ୍ୟର ବିଭିନ୍ନ ପୁରାତନ ମନ୍ଦିରର ଅବକ୍ଷୟର ସର୍ବେକ୍ଷଣ ପୂର୍ବକ ପୁନରୁଦ୍ଧାର ନିମନ୍ତେ ୮କୋଟି ୮ଲକ୍ଷ ୪୯ହଜାର ଟଙ୍କା ଖର୍ଚ୍ଚ ହେବ। ୨୦୨୦-୨୧ ଆର୍ଥିକ ବର୍ଷରେ ୧୨କୋଟି ୨ଲକ୍ଷ ୭୧ହଜାର ୨୦୮ଟଙ୍କା ବ୍ୟୟରେ ୨୬୦ଟି ସଂରକ୍ଷିତ ଓ ଅଣସଂରକ୍ଷିତ ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଛି ବୋଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିଧାୟକ ଭୂପିନ୍ଦର ସିଂହଙ୍କ ତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର