ଡବ୍ଲୁଓଡିସିର ପରିଷଦ ଅଞ୍ଚଳରେ ମୁଖ୍ୟାଳୟ ସ୍ଥାପନ ସରକାରଙ୍କ ବିଚାରାଧୀନ
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁଓଡିସି) ଅଧିନିୟମ ୨୦୦୦ର ଧାରା ୩(୪)ରେ ପରିଷଦର ମୁଖ୍ୟାଳୟ ପରିଷଦ ଅଞ୍ଚଳରେ ସ୍ଥାପିତ ହେବ ବୋଲି ଉଲ୍ଲେଖ ରହିଛି। ଦୀର୍ଘ ୨୩ବର୍ଷ ପରେ ମଧ୍ୟ ପରିଷଦର ମୁଖ୍ୟାଳୟ ପରିଷଦ ଅଞ୍ଚଳରେ ସ୍ଥାପିତ ହୋଇପାରିନାହିଁ। ତେବେ ଏ ସଂପର୍କିତ ପ୍ରସ୍ତାବ ୨୦୧୭ ମସିହା ମାର୍ଚ ୧୬ତାରିଖରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପତ୍ର ସଂଖ୍ୟା ୧୨୦୬ରେ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗକୁ ଦିଆଯାଇଛି। ଏ ସଂପର୍କିତ ନିଷ୍ପତ୍ତି ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି ବୋଲି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା।

Advertisment

୨୫୮ ବ୍ଲକ୍‌ରେ ୩୫%ରୁ ଅଧିକ ଚାଷଜମିରେ ଜଳସେଚନ ସୁବିଧା
ଭୁବନେଶ୍ୱର: ରାଜ୍ୟର ୩୧୪ଟି ବ୍ଲକ୍‌ରୁ ୨୫୮ଟି ବ୍ଲକ୍‌ରେ ୩୫ପ୍ରତିଶତରୁ ଅଧିକ ଚାଷଜମିରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଜଳସେଚନର ସୁବିଧା ହୋଇପାରିଛି। ବଳକା ୫୬ଟି ବ୍ଲକ୍‌ରେ ଭୌଗଳିକ ଓ ବୈଷୟିକ ଦୃଷ୍ଟିକୋଣରୁ ଏହି ସୁବିଧା ଯୋଗାଇବା କଷ୍ଟସାଧ୍ୟ। ତଥାପି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ।

ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ ବାହାର ରାଜ୍ୟରେ ଦୁଇଟି ଚେୟାର ହୋଇଛି
ଭୁବନେଶ୍ୱର: ଓଡ଼ିଆ ଭାଷାର ପ୍ରଚାର ଓ ଶିକ୍ଷାଦାନ ପାଇଁ ଓଡ଼ିଶା ବାହାରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ, ନୂଆଦିଲ୍ଲୀରେ ଆଦିକବି ସାରଳା ଦାସ ଚେୟାର ଏବଂ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ, ବନାରସ ଠାରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଚେୟାର ପ୍ରତିଷ୍ଠା କରାଯାଇଛି। ହେଲେ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ଶାନ୍ତିନିକେତନ‌େରେ ଥିବା ଓଡ଼ିଆ ଭାଷା ବିଭାଗର ଓଡ଼ିଅା ଭାଷାର ପ୍ରସାର ପାଇଁ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଇନାହିଁ। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

୧୩୬୯୫ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ଖର୍ଚ୍ଚ ହୋଇଛି ୩୪.୫କୋଟି
ଭୁବନେଶ୍ୱର: ୨୦୧୬-୧୭ମସିହାରେ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ ୪ବର୍ଷରେ ୧୩୬୯୫ଜଣ ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଯାଇଛନ୍ତି। ଏଥିପାଇଁ ପର୍ଯ୍ୟଟନ ବିଭାଗ ୩୪କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଆଜି ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଜଣେ ତୀର୍ଥ ଯାତ୍ରୀ ପିଛା ୨୫,୧୯୧ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷା ଓ ସୁବିଧା ଉପଲକ୍ଷେ ସରକାର ଆଇଆର୍‌ସିଟିସି ସହ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ‌େସମାନଙ୍କ ଖାଇବା, ରହିବ, ଆବଶ୍ୟକସ୍ଥଳେ ଚିକିତ୍ସା କରିବା, ଔଷଧ ଦେବା, ଗାଇଡ୍‌ କରିବା, ନିତ୍ୟ ବ୍ୟବହାର୍ଯ୍ୟ କିଟ୍‌ ବ୍ୟାଗ୍, ଭ୍ରମଣକାଳୀନ ଦୁର୍ଘଟଣାଜନିତ ବୀମା ଏଥିରେ ଅନ୍ତର୍ଭୁକ୍ତ ଅଟେ। ୨୦୧୬-୧୬ରେ ତିନିଟି ପର୍ଯ୍ୟା‌ୟରେ ୨୯୩୧ଜଣ, ୨୦୧୭-୧୮ରେ ତିନିଟି ପର୍ଯ୍ୟାୟରେ ୩୦୦୨ଜଣ, ୨୦୧୮-୧୯ରେ ୫ଟି ପର୍ଯ୍ୟାୟରେ ୫୭୭୧ଜଣ, ୨୦୧୯-୨୦ରେ ୧୯୯୧ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯାଇଛନ୍ତି।

୨୬ଟି ନଦୀ ବନ୍ଧ ନିର୍ମାଣ ପାଇଁ ଯୋଜନା
ଭୁବନେଶ୍ୱର: ରାଜ୍ୟରେ ଥିବା ନଦୀ ବନ୍ଧଗୁଡ଼ିକର ଆବଶ୍ୟକୀୟ ମରାମତି କାର୍ଯ୍ୟ ବିଶ୍ବବ୍ୟାଙ୍କ ସହାୟତାରେ ଡ୍ୟାମ୍ ରିହାବିଲଟେସନ୍ ଆଣ୍ଡ ଇମ୍ପ୍ରୁଭମେଣ୍ଟ ପ୍ରୋଗ୍ରାମ୍‌ (ଡ୍ରିପ୍) ଯୋଜନା ଏବଂ ରାଜ୍ୟ ସରକାରଙ୍କ ଡ୍ୟାମ୍ ପ୍ରୋଟେକ୍ସନ ଆଣ୍ଡ ଇମ୍ପ୍ରୁଭମେଣ୍ଟ ୱାର୍କ (ଡିପିଆଇଡବ୍ଲ୍ୟୁ) ଯୋଜନାରେ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ୭ଟି ବୃହତ୍ତ ଓ ମଧ୍ୟମ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଆଉ ୨୬ଟି ବୃହତ୍ତ ଓ ମଧ୍ୟମ ନଦୀବନ୍ଧ କରାଯିବାର ଯୋଜନା ଅଛି ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।

ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାସ ଏହି ସୂଚନା ଦେବା ସହ କହିଛନ୍ତି ଯେ, ଯୋଜନା ହୋଇଥିବା ୨୬ଟି ପ୍ରକଳ୍ପ ମଧ୍ୟରୁ ୪ଟି ପ୍ରକଳ୍ପ ଯଥା ବୃତ୍ତଙ୍ଗ ପ୍ରକଳ୍ପ ପାଇଁ ୧୦୧୪କୋଟି, ଜୀରା ପାଇଁ ୨୩୮.୮୯କୋଟି, ରନଯୋର ପାଇଁ ୨୩୦କୋଟି, ଅପରଲାନ୍ଥ ପ୍ରକଳ୍ପ ପାଇଁ ୩୦୦.୯୯କୋଟି ବ୍ୟୟ ଅଟକଳ ହୋଇଛି। ଏଥିପାଇଁ ସିଡବ୍ଲ୍ୟୁସିର ଅନୁମୋଦନ ମିଳିଥିବାବେଳେ ଷ୍ଟେଜ୍-୧ ଫରେଷ୍ଟ କ୍ଲିଅରାନ୍ସ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରୁ ମିଳିଛି। ଏହାର ଷ୍ଟେଜ୍‌-୨ ଫରେଷ୍ଟ କ୍ଲିଅରାନ୍ସ ପାଇଁ ପ୍ରକ୍ରିୟା ଜାରି ରହିଛି। ‌େକନ୍ଦ୍ର ସରକାର ସବୁ କ୍ଲିଅରାନ୍ସ ଦେଲେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଅନ୍ୟ ପ୍ରକଳ୍ପଗୁଡ଼ିକର ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଛି।

‌ସେହିପରି ୨୦୨୧-୨୨ରେ ୩୦ଟି ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ (ଆଇଏସ୍‌ଏସ୍‌) ପ୍ରକଳ୍ପ କରିବାକୁ ଯୋଜନା ହୋଇଛି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ସମୁଦ୍ରକୁ ବୋହିଯାଉଥିବା ପାଣିକୁ ଯଥେଷ୍ଟ ପରିମାଣରେ ସଞ୍ଚୟ କରାଯାଇପାରିବ। ସେହିପରି ରାଜ୍ୟରେ ୧୬୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମଣାଧୀନ ଅଛି। ଆଉ ୧୫୫ଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ୨୦୮୨କୋଟି ୫୨ଲକ୍ଷ ୪୩ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରିବା ପାଇଁ ଯୋଜନା ଅଛି। ଏହି ପ୍ରକଳ୍ପଗୁଡ଼ିକର ଟିଏସି ଅନୁମୋଦନ କରାଯାଇ କାର୍ଯ୍ୟ ଆରମ୍ଭ କରିବାକୁ ପଦକ୍ଷେପ ନିଆଯିବ। ଏହାବ୍ୟତୀତ କ୍ଷୁଦ୍ର ନଦୀଗୁଡ଼ିକରେ ପ୍ରାୟ ୧୫୮୫୫ଟି ଚେକ୍‌ ଡ୍ୟାମ୍ ନିର୍ମାଣ କରାଯାଇଛି। ୧୨୮୦ଟି ନୂତନ ଚେକ୍‌ ଡ୍ୟାମ୍ ୮୧୧କୋଟି ୪୫ଲକ୍ଷ ଟଙ୍କାରେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି।