ବିଧାନସଭା ଖବର

ରାଜ୍ୟ ସରକାରଙ୍କ ବକେୟା ଋଣ ୪୭ହଜାର କୋଟି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବକେୟା ଋଣ ୪୭,୦୬୩ କୋଟି। ଏଥିରେ ଖୋଲା ବଜାର, ବିଶ୍ବବ୍ୟାଙ୍କ, ଏସୀୟ ଉନ୍ନୟନ ବ୍ୟାଙ୍କ ଓ ଜାପାନ ଅନ୍ତର୍ଜାତୀୟ ସମବାୟ ସଂସ୍ଥା ରହିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟ ସରକାର ବିଭିନ୍ନ ସୂତ୍ରରୁ କରିଥିବା ଋଣ ଆହରଣ ଓ ଏଥିରୁ ପରିଶୋଧକୁ ବାଦ୍ ଦେଲେ ଗତ ମେ’ ମାସ ସୁଦ୍ଧା ବକେୟା ଥିବା ଋଣ ଭିତରେ ଖୋଲା ବଜାରରୁ ୨୮,୫୫୮.୦୭ କୋଟି, କେନ୍ଦ୍ର ସରକାରଙ୍କ ସୂତ୍ରରୁ ୧୮,୫୦୫.୮୨ କୋଟି ପରିଶୋଧ ହେବ। ଏଥିରେ ବିଶ୍ବବ୍ୟାଙ୍କର ୧,୦୧୮,୭୭, ଏସୀୟ ଉନ୍ନୟନ ବ୍ୟାଙ୍କ ୫୫୨,୧୬ ଓ ଜାପାନ ଅନ୍ତର୍ଜାତୀୟ ସମବାୟ ସଂସ୍ଥାରୁ ୩୩୧୯.୯୩ କୋଟି ରହିଛି। ସରକାରଙ୍କ ଦ୍ବାରା ଆହରଣ କରାଯାଉଥିବା ଋଣ ଧନରାଶି ରାଜ୍ୟର ବିଭିନ୍ନ ଭିତ୍ତିଭୂମି ଓ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ ହୋଇଥାଏ। ଏହିସବୁ ଭିତ୍ତିଭୂମି କାର୍ଯ୍ୟ ସରକାର ଜନକଲ୍ୟାଣ ପାଇଁ ଉତ୍ସର୍ଗ କରୁଥିବାରୁ ଏଥିରୁ ଅତିରିକ୍ତ ରାଜସ୍ବ ଆୟ ହୁଏ ନାହିଁ। ବରଂ ରାଜ୍ୟ ସାମାଜିକ ସ୍ଥିତି ସୁଦୃଢ଼ ହୋଇଥାଏ ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

Housing

ରାଜଧାନୀରେ ୧୮୬୦ ଏକର ଜମି ଜବରଦଖଲରେ
ଭୁବନେଶ୍ବର : ରାଜଧାନୀରେ ୨୪,୯୯୦ ଏକର ସରକାରୀ ଜମି ଥିବାବେଳେ ଏଥିରୁ ପ୍ରାୟ ୧୮୬୦ଏକର ଜମି ଜବରଦଖଲ ଅଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ୧୮୬୦ଏକର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ଓପିପି (ଇୟୁଓ) ଆକ୍ଟ, ୧୯୭୨ ଅନୁଯାୟୀ ଜବରଦଖଲକାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଉଛି। ସେସବୁ ଜମିକୁ ଜବରଦଖଲ ମୁକ୍ତ ନିମନ୍ତେ ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି (ସିଇଏମ୍‌ସି) ଓ ବ୍ଲୁଇସ୍ ଜରିଆରେ ସରକାରୀ କାର୍ଯ୍ୟକ୍ରମ ପର୍ଯ୍ୟ‌ାୟକ୍ରମେ କରାଯାଉଛି।

India News Diary

ଲୁହାପଥରେ ୫୦% ରପ୍ତାନି ଟିକସ ସତ୍ତ୍ବେ ରାଜସ୍ବ ଆୟରେ ପ୍ରଭାବ ପଡ଼ିନି
ଭୁବନେଶ୍ବର : ୫୮ ପ୍ରତିଶତ ଗ୍ରେଡ୍‌ ପର୍ଯ୍ୟନ୍ତ ଲୁହାପଥରରେ ରସ୍ତାନି ଟିକସ ଛାଡ଼ ହୋଇଛି। ତେବେ କେନ୍ଦ୍ର ସରକାର ଇତିମଧ୍ୟରେ ସବୁ ଗ୍ରେଡର ଲୁହାପଥର ଉପରେ ୫୦ ପ୍ରତିଶତ ଟିକସ କଷିଛନ୍ତି। ତେବେ ଲୁହାପଥର ଚାଲାଣ ଓ ତଦ୍‌ଜନିତ ରାଜସ୍ବ ଆୟ ଉପରେ କୌଣସି ପ୍ରଭାବ ପରିଲକ୍ଷିତ ହୋଇ ନ ଥିବା ବିଧାନସଭା ସୂଚନା ଦେଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମଲ୍ଲିକ ଏହି ସୂଚନା ଦେଇଚନ୍ତି।

୩୦୦ ଏମ୍‌ଏଲ୍‌ଏ କ୍ବାର୍ଟର୍ସ ନିର୍ମାଣ ପାଇଁ ୫୪୯.୪୨କୋଟି
ଭୁବନେଶ୍ବର : ୟୁନିଟ-୪ରେ ବିଧାୟକଙ୍କ ପାଇଁ ୩୦୦ଟି ସରକାରୀ ବାସଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିବା‌ବେଳେ ଏଥିପାଇଁ ୫୪୯କୋଟି ୪୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ମିଳିଛି ବୋଲି ନିର୍ମାଣ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ବିଧାୟକ ଗଣେଶ ରାମ୍‌ ସିଂହ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ୩୦୦ଟି ନୂଆ ସରକାରୀ ବାସଗୃହ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଅଧିନସ୍ଥ ଓବିସିସିକୁ ଦାୟିତ୍ବ ଦିଆଯାଇଛି।
ସେହିପରି ପୁରୁଣା କ୍ବାର୍ଟର୍ସ ଭାଙ୍ଗିବାକୁ କ୍ରିଏଟିଭ୍ ଏଜେନ୍ସି ସଂସ୍ଥାକୁ ଇ-ପ୍ରୋକ୍ୟୁରମେଣ୍ଟ ଅନଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ବଛାଯାଇଛି। ଏହି ସଂସ୍ଥା ଘର ଭାଙ୍ଗିବା ସହ କବାଟ, ଝରକା, ଇଟା, ଲୁହା ପାଇପ, ଆଜବେଷ୍ଟସ୍ ତଥା ଅନ୍ୟାନ୍ୟ ସାମଗ୍ରୀ ସହିତ ସମସ୍ତ ଆନୁଷଙ୍ଗିକ ଗୃହ ଭଗ୍ନାବିଶେଷଗୁଡ଼ିକୁ ଉକ୍ତ ଜାଗାରୁ ନେବା ପାଇଁ ସରକାରଙ୍କ ନିକଟରେ ୨୨ଲକ୍ଷ ୨୪ହଜାର ଟଙ୍କା ଜମା କରିଛି।

ରାଜ୍ୟରେ ୩୭୪୦ଜଣ ବାଂଲାଦେଶୀ ଅନୁ‌ପ୍ରବେଶକାରୀ, ୨୧ଜଣଙ୍କୁ ଦେଶାନ୍ତର କରାଯାଇଛି
ଭୁବନେଶ୍ବର : ରାଜ୍ୟରେ ଏବେ ୩୭୪୦ଜଣ ବାଂଲାଦେଶୀ ଅନୁ‌ପ୍ରବେଶକାରୀ ଅଛନ୍ତି। ଏମାନେ ବରଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି, ନବରଙ୍ଗପୁର ଏବଂ ଭୁବନେଶ୍ବରରେ ରହୁଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଆସିଛି। ବର୍ତ୍ତମାନ ସୁଦ୍ଧା ୧୭୧୧ଜଣଙ୍କୁ ଦେଶାନ୍ତର ନୋଟିସ୍‌ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଦେଶାନ୍ତର କରାଯାଇଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।

ଓଡ଼ିଶା ଖଣି ନିଗମ ସହ ଖୁବ୍‌ ଶୀଘ୍ର ମିଶିବ ଇଡକଲ୍‌
ଭୁବନେଶ୍ବର : ଓଡ଼ିଶା ଖଣି ନିଗମ ସହ ଇଡକଲ୍‌ ମିଶିବା ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶା ଖଣି ନିଗମରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଏସ୍‌ବିଆଇ କ୍ୟାପିଟାଲ ମାର୍କେଟ୍‌ସ ଲିମିଟେଡକୁ ଓଡ଼ିଶା ଖଣି ନିଗମ ସହ ଇଡକଲ୍‌ ମିଶ୍ରଣ ପ୍ରକ୍ରିୟାକୁ ସହଯୋଗ କରିବା ପାଇଁ ଟ୍ରାନ୍ଜାକ୍ସନ ଆଡଭାଇଜର୍ ଭାବେ ନିଯୁକ୍ତି ଦିଆଯାଇଛି। ଇଡକଲ୍‌ର ସମ୍ପତ୍ତିର ମୂଲ୍ୟାଙ୍କନର ଆକଳନ ପ୍ରକ୍ରିୟା ଚାଲୁଅଛି। ବର୍ତ୍ତମାନ ଡ୍ରାଫ୍ଟ ସ୍କିମ୍ ଅଫ୍ ମର୍ଜର ପ୍ରକ୍ରିୟା ମଧ୍ୟ ଚାଲିଛି।

ସମ୍ବନ୍ଧିତ ଖବର