ଭୁବନେଶ୍ବର : ପ୍ରଶାସନିକ ସଂସ୍କାର ପାଇଁ ବିଭିନ୍ନ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁ ହେବା ଯୋଗୁଁ ଲୋକମାନେ ତ୍ବରିତ୍‌ ସରକାରୀ ସେବା ପାଉଛନ୍ତି। ଏହାସହିତ ସରକାରୀ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ଥାନା ହେଉକି ଡାକ୍ତରଖାନା ଆଉ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁନି। ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ଏପରି ମନ୍ତବ୍ୟ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶ୍ରୀମତୀ ମଲ୍ଲିକ କହିଥିଲେ, ପ୍ରଶାସନରେ ସ୍ବଚ୍ଛତା ଓ ରାଜ୍ୟବାସୀଙ୍କ ବିକାଶ ଯୋଗୁଁ ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ପାଇଁ ନିର୍ବାଚିତ କରିଛନ୍ତି। ଶ୍ରୀମତୀ ମଲ୍ଲିକ କହୁଥିବାବେଳେ ନିଜ ଆସନରେ ବସି ବିଜେପି ସଦସ୍ୟ ଜୟନାରାୟଣ ମିଶ୍ର ଅନେକ କଟାକ୍ଷ କରିଚାଲିଥିଲେ।

Advertisment

ଶ୍ରୀମତୀ ମଲ୍ଲିକ କହିଥିଲେ, ୫'ଟି' ଲାଗୁ ହେବାପରେ ସରକାରୀ କଳ ଚଳଚଞ୍ଚଳ ହୋଇଛି। ଏ ବିଭାଗ ପାଇଁ ଜଣେ ଦକ୍ଷ ଆଇଏଏସ୍‌ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସଚିବ କରିଛନ୍ତି। ମୋ ସରକାର କାର୍ଯ୍ୟକ୍ରମ ଯୋଗୁଁ ସାଧାରଣ ଲୋକଟିଏ ନ୍ୟାୟ ପାଇଲା କି ନାହିଁ ସେଥିପାଇଁ ବିଭାଗୀୟ ମନ୍ତ୍ରୀ ଫୋନ୍‌ କରି ବୁଝୁଛନ୍ତି। ଲୋକଙ୍କୁ ସେବା ପ୍ରଦାନ କରିବାରେ ଅବହେଳା କରିବା ଅଭିଯୋଗରେ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଥିଲେ।

ଦିବଂଗତ ସଦସ୍ୟଙ୍କ ପାଇଁ ଗୃହରେ ଶୋକ
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି , ଜଗନ୍ନାଥ ରାଉତଙ୍କ ଭ​ଳି ଦିବଂଗତ ୨ ମନ୍ତ୍ରୀ ଓ ୬ ଜଣ ପୂର୍ବତନ ବିଧାୟକଙ୍କ ପାଇଁ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ ହୋଇଛି। ଦିବଂଗତ ପୂର୍ବତନ ବିଧାୟକମାନେ ହେଲେ ସଚ୍ଚିଦାନନ୍ଦ ଦେଓ, ଭାଗୀରଥି ଦାସ, ରାଧା ଗୋବିନ୍ଦ ସାହୁ, ଦଇତାରି ବେହେରା, ନାକା ଲଚ୍ଛମାୟା ଓ ଗୌରହରି ନାଏକ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୋକ ପ୍ରସ୍ତାବ ଆଗତ କରିବାକୁ ଡାକିଥିଲେ। ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଏମ୍‌ ସଦସ୍ୟ ଲକ୍ଷ୍ଣଣ ମୁଣ୍ଡା ସମର୍ଥନ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସେମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପାଠ କରିବା ପରେ ଶ୍ରଦ୍ଧାଞ୍ଜଳି ସ୍ବରୁପ ଗୃହରେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କକ୍ଷତ୍ୟାଗ କଲା କଂଗ୍ରେସ
ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଦଳ ଆଜି କକ୍ଷତ୍ୟାଗ କରିଥିଲା। େଶାକ ପ୍ରସ୍ତାବ ଆଗତ ପୂର୍ବରୁ କିନ୍ତୁ ସଭ୍ୟମାନେ ଗୃହରେ ପ୍ରବେଶ କରିଥିଲେ।

ଏ ସଂପର୍କରେ ଗୃହ ବାହାରେ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଆମକୁ ଦିଆଯାଇଥିଲା। କିନ୍ତୁ ସେଥିରେ କୃଷି ଓ କୃଷକଙ୍କ ସମସ୍ୟା, ଧାନ କିଣାବିକା କ୍ଷେତ୍ରରେ ଦେଖାଦେଇଥିବା ଅବ୍ୟବସ୍ଥା, ଦୁର୍ନୀତି, ଚାଷୀଙ୍କୁ ଶୋଷଣମୁକ୍ତ ପାଇଁ ପ୍ରସ୍ତାବ ନ ଥିଲା। ଚାଷୀ କିଭଳି ସରକାର ଧାର୍ଯ୍ୟ କରିଥିବା ଦରରେ ଧାନ ବିକ୍ରି କରିପାରିବ ସେ ସଂପର୍କରେ ମଧ୍ୟ କିଛି ଉଲ୍ଲେଖ ନାହିଁ। ଶ୍ରୀ ମିଶ୍ର କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଲାଣି। ଗୁରୁତର ଅପରାଧ ବଢ଼ି ଚାଲିଛି। ତଳ ଯାଏ ଦୁର୍ନୀତି ଚରିଗଲାଣି। ବେକାରି ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି। ତାକୁ ମୁକାବିଲା ନେଇ ରାଜ୍ୟପାଳଙ୍କ ଅଭିଭାଷଣରେ କିଛି କାର୍ଯ୍ୟକ୍ରମ ନାହିଁ। ଏପରିକି ରାଜ୍ୟରେ ଦାଦନ ସମସ୍ୟା ଭୟଙ୍କର ସ୍ଥିତିରେ ପହଞ୍ଚିଲାଣି। ହେଲେ ଏଥିଲାଗି ସରକାରଙ୍କର ଠୋସ୍ କିଛି ପଦକ୍ଷେପ ସଂପର୍କରେ ଉଲ୍ଲେଖ ନ ଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ ସଭ୍ୟମାନେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କକ୍ଷତ୍ୟାଗ କରିଥିଲେ।

ରାଜ୍ୟପାଳଙ୍କ ଅଭିଭାଷଣରେ ଗାନ୍ଧୀ
-ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀରେ ଗାନ୍ଧିଜୀଙ୍କ ଆଦର୍ଶ ଅନ୍ତୋାଦ୍ୟୟ ନୀତି ପ୍ରତି ପ୍ରାଥମିକତା ଦେଇ ସରକାର ଯୋଜନା ପ୍ରଣୟନ କରିବା ଦିଗରେ ଦୃଢ଼ ପ୍ରତିଶ୍ରୁତିବଦ୍ଧ।
-ରାଜ୍ୟ ସଚିବାଳୟକୁ ଲୋକସେବା ଭବନ ନାମରେ ନାମିତ କରାଯାଇଛି, ସେଠାରେ ଗାନ୍ଧୀଙ୍କ ପରଶମଣୀ ସ୍ଥାପିତ କରାଯାଇଛି।
-ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଗାନ୍ଧୀକଥା ଓ କାହାଣୀ, କବିମାନସରେ ଗାନ୍ଧୀ ଓ ଗାନ୍ଧୀ ବିବିଧତା ପ୍ରକାଶ ପାଇଛି।
-ଗାନ୍ଧୀଙ୍କ ଜନ୍ମତିଥି ଅବସରରେ ଏକ ଡାକ ଟିକେଟ୍‌ ସାଙ୍ଗକୁ ପୋଷ୍ଟାଲ୍‌ କର୍ଣ୍ଣର୍‌ ମଧ୍ୟ ଉଦଘାଟିତ ହୋଇଛି।
-ମହାତ୍ମାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ଦେଶର ବିଭିନ୍ନ ପ୍ରାନ୍ତର ଗାନ୍ଧୀ ପୁସ୍ତକ ପ୍ରେମୀମାନଙ୍କୁ ସମ୍ମିଳିତ କରି ୨୦୧୯ ଡିସେମ୍ବର ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଏକ ବୃହତ୍ତମ ପୁସ୍ତକ ମେଳା ‘ଅକ୍ଷର’ ଆୟୋଜନା କରାଯାଇଥିଲା