ବିଧାନସଭାରୁ…

ମହାରଥୀଙ୍କ ରୋଲ୍‌
ବିଧାନସଭା ବନ୍ଦ ପ୍ରସ୍ତାବକୁ ବିଜେପି କଡ଼ା ସମାଲୋଚନା କରିଥିଲା। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରଙ୍କୁ କଠୋର ଭାଷା କହିଥିଲେ। ଶାସକ ଦଳ ପକ୍ଷରୁ କହୁଥିବା ପ୍ରଦୀପ୍ତ ମହାରଥୀ ଏହି ପ୍ରସଙ୍ଗ ସହ ଅନେକ କଥା ଯୋଡ଼ିଥିଲେ। ବିଷ୍ଣୁଙ୍କୁ ଲକ୍ଷ୍ୟ କରି କହିଲେ, ବିଷ୍ଣୁ ସେଠୀ ତମେ ଅଧିକ ରୋଲ୍‌ କଲେ କିଛି ଲାଭ ହେବନି। ମୁଁ ତୁମ ଠାରୁ ୧୦୦ ଗୁଣ ଅଧିକ ରୋଲ୍‌ ଶିଖିଛି। ଆଉ ରୋଲ୍‌ କରି କରି ମୋର ଆଜି ଏଇ ଅବସ୍ଥା। ତୁମର ବି ସେହି ଅବସ୍ଥା ହେବ। ଏହା ଶୁଣି ଗୃହରେ ସମସ୍ତେ ହସିଥିଲେ। ପୁଣି କଥା ପ୍ରସଙ୍ଗରେ ମହାରଥୀ କହିଲେ, ଗୃହ ବାହାରେ ମୁଁ ବିଷ୍ଣୁ ସେଠୀଙ୍କୁ ପଚାରୁଥିଲି ଯେ କାହିଁକି ଗୃହରେ ଏତେ ପାଟି କରୁଛ। ସେ କହିଲେ ଯେ ଆମେ ଏଠି ରଡ଼ି ନ କଲେ ଏରିଆରେ ଲୋକ କ’ଣ କହିବେ ? ମହାରଥୀଙ୍କ କଥାରେ ଅନ୍ୟମାନେ ହସିଥିଲେ ବି ବିଷ୍ଣୁ ଏହାର ପ୍ରତିବାଦ କରିଥିଲେ।

ଦ୍ବୈତ ଭୂମିକା କଥା ଉଠାଇଲେ ତାରା
ବିଧାନସଭା ବନ୍ଦ ପ୍ରସ୍ତାବକୁ ବିଜେପି ବିରୋଧ କରୁଥିଲା ବେଳେ କଂଗ୍ରେସ ସମର୍ଥନ କରୁଥିଲା। ତାରା ପ୍ରସାଦ ବାହିନୀପତି କହିଲେ, ବିଧାନସଭା ପବିତ୍ର ଗୃହ। ଏଠାରେ ଦ୍ବୈତ ଭୂମିକା ଚଳିବ ନାହିଁ। ବାଚସ୍ପତିଙ୍କ ଚାମ୍ବର‌େର ବିଧାନସଭା ବନ୍ଦ ପ୍ରସଙ୍ଗ ଆଲୋଚନା ହୋଇଥିଲା। ବିରୋଧୀ ଦଳ ନେତା ଏହାକୁ ସମର୍ଥନ କରିଥିଲେ। କିନ୍ତୁ ଗୃହ ଭିତରେ ଆଉ ଗୋଟିଏ ଭୂମିକା ନେଇ ବିରୋଧ କରୁଛନ୍ତି। ତେବେ ତାରାଙ୍କ ଏପରି ମନ୍ତବ୍ୟକୁ ବିଜେପି ସଭ୍ୟମାନେ ତୀବ୍ର ପ୍ରତିବାଦ କରିଥିଲେ। ଏମିତି ହୋଇ ନାହିଁ ବୋଲି ବଡ଼ ପାଟିରେ କହିଥିଲେ। ତାରା ବି ଛାଡ଼ି ନ ଥିଲେ। ମୁଁ ମିଛ କହୁ ନାହିଁ ବୋଲି ଜୋର୍‌ ଦେଇଥିଲେ।

ବାଦ୍ ପଡ଼ିଲା ନାମ
ଗତକାଲି ଶ୍ରୀଜଗନ୍ନାଥ ମନ୍ଦିରର ଜମା ପ୍ରସଙ୍ଗରେ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଗୃହରେ ସଦସ୍ୟ ନ ଥିବା କିଛି ଲୋକଙ୍କ ନାମ ନେଇଥିଲେ। ତାଙ୍କ ଭିତରେ ତିନି ଜଣ ଆଇଏଏସ୍‌ ଅଫିସର୍‌ ଓ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଥିଲେ। ସେମାନେ ଗୃହରେ ସଦସ୍ୟ ନ ଥିବାରୁ ସେମାନଙ୍କ ନାମ ବିବରଣୀରୁ ବାଦ୍ ଦେବାକୁ ଗତକାଲି ବିଜେଡି ସଭ୍ୟ ଅତନୁ ସବ୍ୟସାଚ୍ଚୀ ନାୟକ ଦାବି କରିଥିଲେ। କିନ୍ତୁ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ସେଥି ପ୍ରତି ଧ୍ୟାନ ଦେଇ ନ ଥିଲେ। ଆଜି ବାଚସ୍ପତି ଏହି ନାମଗୁଡ଼ିକ ଗୃହ ବିବରଣୀରୁ ବାଦ୍ ଦିଆଗଲା ବୋଲି ଘୋଷଣା କରିଥିଲେ।

ବାଚସ୍ପତି ଅନ୍ୟମନସ୍କ ରହୁଛନ୍ତି
ବିଧାନସଭା ବନ୍ଦ ନେଇ ଆଗତ ପ୍ରସ୍ତାବ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହୁଥିଲେ। ଏହି ସମୟରେ ବାଚସ୍ପତି ତାଙ୍କ କଥା ଶୁଣୁ ନ ଥିବାର ସେ ଅନୁଭବ କଲେ। ବାଚସ୍ପତିଙ୍କୁ ଲକ୍ଷ୍ୟ କରି କହିଲେ, ସାର୍‌ ଆପଣ ଅନ୍ୟମନସ୍କ ରହୁଛନ୍ତି। ମୋ କଥା ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ତାହା ପରେ ବାଚସ୍ପତି ମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ବସିଲେ। ଏହି ପ୍ରସ୍ତାବ ଉପରେ ଆଉ ଆଲୋଚନା ନ କରି ଗୃହୀତ କରିବାକୁ ମନ୍ତ୍ରୀ ଅନୁରୋଧ କଲେ।

ଖିଆପିଆ ହେଲା, ଆଲୋଚନା ହେଲାନି
ଆଜି ଜଳସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବାର ଥିଲା। ପ୍ରଚଳିତ ପରମ୍ପରା ଅନୁଯାୟୀ ବିଭାଗ ପକ୍ଷରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଗୃହ ମୁଲତବୀ ପରେ ସମସ୍ତେ ଖିଆପିଆ କରିଥିଲେ। କିନ୍ତୁ ଅଧିବେଶନ ବନ୍ଦ ରହିଥିବାରୁ ଆଉ ଅପରାହ୍ନରେ ଖର୍ଚ୍ଚଦାବି ଆଲୋଚନା ହୋଇ ନ ଥିଲା।

ସମ୍ବନ୍ଧିତ ଖବର