ବିଷ୍ଣୁଙ୍କ ଫୁଲ ଉପଖ୍ୟାନ

Advertisment

ଶିକ୍ଷା ବ୍ୟବସ୍ଥା ଉପରେ ମୁଲତବୀ ଆଲୋଚନାରେ ଭାଗ ନେଇଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସରକାରଙ୍କ ପ୍ରତି କଠୋର ଭା‌ଷା ପ୍ରୟୋଗ କରିବା ଓ ଭାଷଣ ମଝିରେ କବିତା ଆବୃତି କରିବାରେ ବିଷ୍ଣୁଙ୍କର ବେଶ୍‌ ନାଁ ଅଛି। ଆଜି ଆଲୋଚନା ଆରମ୍ଭରୁ ୟୁନିିଫର୍ମ ଉପରେ କହୁଥିଲେ। ସେହି ସମୟରେ କହିଲେ, ମୋ ଚିହ୍ନ ହେଉଛି ପଦ୍ମଫୁଲ। ମୋ ପତ୍ରିକା ନାଁ ହେଉଛି ଘାସଫୁଲ। ମୋ ସ୍ତ୍ରୀ ହେଉଛି ଗୋଲାପ ଫୁଲ। ଏହା କହିବାର ଉଦ୍ଦେଶ୍ୟ ଥିଲା, ତାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ଓ ସେ ଗୋଲାପି ଶାଢ଼ୀ ପିନ୍ଧୁଛନ୍ତି। ତାଙ୍କର ଏହି ମନ୍ତବ୍ୟ ଗୃହର ପରିବେଶକୁ ଟିକେ ହାଲ୍‌କା କରିଦେଇଥିଲା।

ମନ୍ତ୍ରୀଙ୍କ ପତ୍ନୀଙ୍କୁ ତାରାଙ୍କ ପ୍ରଶଂସା

ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ ଜଣେ ଶିକ୍ଷୟିତ୍ରୀ। ଆଜି ଆଲୋଚନା ବେଳେ ତାରା ପ୍ରସାଦ ବାହିନୀପତି ମନ୍ତ୍ରୀଙ୍କ ପତ୍ନୀଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। କହିଥିଲେ, ମନ୍ତ୍ରୀଙ୍କ ପତ୍ନୀ ବହୁତ ଭଲ ଶିକ୍ଷୟିତ୍ରୀ। ଶିକ୍ଷା ପାଇଁ ସେ ସବୁବେଳେ ବ୍ୟଗ୍ର। ଅନ୍ୟାୟକୁ ଜମା ବରଦାସ୍ତ କରନ୍ତିନି। ତେଣୁ ମନ୍ତ୍ରୀ ଶିକ୍ଷାର ଉନ୍ନତି ପାଇଁ ପଦକ୍ଷେପ ନିଅନ୍ତୁ।

ଅପରାଜିତାଙ୍କୁ ପ୍ରଶଂସା

ଆଲୋଚନା ବେଳେ ବିଷ୍ଣୁ ସେଠୀ ନିଜ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶଂସା କରିଥିଲେ। ତେବେ ତାଙ୍କ ନାଁ ନେଇ ନ ଥିଲେ। ଯେହେତୁ ଗୃହର ସଦସ୍ୟ ନ ଥିବା କୌଣସି ବ୍ୟକ୍ତିଙ୍କ ନାମ ନିଆଯାଇପାରିବ ନାହିଁ ବୋଲି ଘଟଣାକ୍ରମେ ବାଚସ୍ପତି ରୁଲିଂ ଦେଇଥିଲେ, ସେଥି ପାଇଁ ସେ ନାଁ ନ ନେଇ କହିଲେ, ଆମ ଦଳର ଜଣେ ମ‌ହିଳା ସାଂସଦ ପୂର୍ବରୁ ଗଣଶିକ୍ଷା ବିଭାଗର ସଚିବ ଥିଲେ। ସେତେବେଳେ ଶିକ୍ଷକମାନେ ଠିକ୍ ସମୟରେ ସ୍କୁଲ୍‌ ଆସୁଥିଲେ ଓ ଠିକ୍ ପାଠ ପଢ଼ାଉଥିଲେ। କିନ୍ତୁ ଏବେ ସବୁ ଢିଲା ହୋଇଗଲାଣି। ମନ୍ତ୍ରୀ ଏ ଦିଗରେ ଧ୍ୟାନ ଦିଅନ୍ତୁ।

ମନ୍ତ୍ରୀଙ୍କ ଉତ୍ତର ବେଳକୁ ୨୧

ଗଣଶିକ୍ଷା ମନ୍ତ୍ରୀ ମୁଲତବୀ ଆଲୋଚନାର ଉତ୍ତର ଦେବା ବେଳକୁ ପାଖାପାଖି ୩ଟା ବାଜି ଯାଇଥିଲା। ଏହି ସମୟରେ ମାତ୍ର ୨୧ ଜଣ ସଭ୍ୟ ଗୃହରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଗଣଶିକ୍ଷା ମନ୍ତ୍ରୀଙ୍କୁ ମିଶାଇ ୩ ଜଣ ମନ୍ତ୍ରୀ, ବିଜେଡିର ୧୦, ବିଜେପିର ୭ ଓ କଂଗ୍ରେସର ଜଣେ ବିଧାୟକ ଉପସ୍ଥିତ ଥିଲେ। ସାଧାରଣତଃ ପ୍ରଶ୍ନକାଳ ଓ ଶୂନ୍ୟକାଳ ପରେ ବହୁ ସଂଖ୍ୟାରେ ବିଧାୟକ ଉପସ୍ଥିତ ରହୁ ନ ଥିବା ଦେଖାଯାଉଛି। ଏପରିକି ମୁଲତବୀ ଆଲୋଚନାରେ ଭାଗ ନେଉଥିବା କିଛି ବିଧାୟକ ନିଜେ ବକ୍ତବ୍ୟ ଦେଲା ପରେ ବାହାରକୁ ଚାଲିଯାଉଛନ୍ତି।

ପ୍ରଶ୍ନକର୍ତ୍ତା ଆଜି ବି ଆସିଲେନି

ବିଧାନସଭାର ପ୍ରଶ୍ନକାଳରେ ଥରେ ଉତ୍ତର ଦେବାକୁ ପାଳି ପଡ଼ିଥିଲା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କର। ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଲା ବେଳକୁ ସେ ଏପରି ଥତମତ ହୋଇଥିଲେ ଯେ ବିଭିନ୍ନ ମହଲରେ ତାହାକୁ ସମାଲୋଚନା କରାଯାଇଥିଲା। ତାହା ପର ଠାରୁ ଦୁଇଟି ଶନିବାର ତାଙ୍କ ବିଭାଗର ପାଳି ପଡ଼ୁଛି। କିନ୍ତୁ ଦେଖାଯାଉଛି ଦୁଇଟିଯାକ ଶନିବାର ମୂଳ ପ୍ରଶ୍ନକର୍ତ୍ତା ଶାସକ ଦଳର ସଭ୍ୟମାନେ ଗୃହରେ ଅନୁପସ୍ଥିତ ରହୁଛନ୍ତି। ଫଳରେ ସେହି ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହୋଇପାରୁ ନାହିଁ। ଆଜି ମୂଳ ପ୍ରଶ୍ନକର୍ତ୍ତା ମିନାକ୍ଷୀ ମହାନ୍ତ ଓ ପ୍ରଶାନ୍ତ ବେହେରା ଅନୁପସ୍ଥିତ ଥିଲେ। ସେହିପରି ଗତ ଶନିବାର ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ମୂଳ ପ୍ରଶ୍ନକର୍ତ୍ତା ବ୍ୟୋମକେଶ ରାୟ, ଜଗନ୍ନାଥ ନାୟକ ଓ ସଞ୍ଜୀବ ମଲ୍ଲିକ ଅନୁପସ୍ଥିତ ଥିବା ଦେଖାଯାଇଥିଲା।