ବିଧାନସଭା ସମାଚାର

କରୋନାରେ ୩୨୦୭ଟି ଶିଳ୍ପ ବନ୍ଦ
ଭୁବନେଶ୍ବର : କରୋନା ସମୟରେ ରାଜ୍ୟରେ ୩୨୦୭ଟି ଛୋଟ ଛୋଟ ଶିଳ୍ପ ବନ୍ଦ ହୋଇଯାଇଛି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ, ବନ୍ଦ ହୋଇଥିବା ଶିଳ୍ପ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୪୮୪ ଟି ୟୁନିଟ୍‍ ଥିବାବେଳେ ସମ୍ବଲପୁରରେ ୩୨୧, ଗଞ୍ଜାମରେ ୨୮୪, ସୁନ୍ଦରଗଡରେ ୨୭୨ ଓ ଭଦ୍ରକରେ ୧୫୭ଟି ରହିଛି । କୋଭିଡ ମହାମାରୀ ସମୟରେ ଉଦ୍ୟୋଗଗୁଡ଼ିକୁ ସହାୟତା ପାଇଁ ଇମରଜେନ୍ସି କ୍ରେଡିଟ ଲାଇନ୍‍ ଗ୍ୟାରେଣ୍ଟି ସ୍କିମ୍‍ରେ ବ୍ୟାଙ୍କମାନଙ୍କ ଦ୍ୱାରା ସହାୟତା ପାଇଥିବା ଉଦ୍ୟୋଗମାନଙ୍କୁ ପୁରୁଷଙ୍କ କ୍ଷେତ୍ରରେ ୨ ପ୍ରତିଶତ ଓ ମହିଳାଙ୍କ କ୍ଷତ୍ରରେ ୫ ପ୍ରତିଶତ ସୁଧ ହିସାବରେ ୧୦୮କୋଟି ୨୯ଲକ୍ଷ ଟଙ୍କା ଅର୍ଥ ସହାୟତା ଯୋଗାଇବାକୁ ବ୍ୟୟ ଅଟକଳ ହୋଇଥିଲା।

ଏଥିପାଇଁ ବିଭାଗ ପକ୍ଷରୁ ୯୯କୋଟି ୮୭ଲକ୍ଷ ୨୨ହଜାର ଟଙ୍କା ମଞ୍ଜୁର ହୋଇଛି। ତେବେ ବନ୍ଦ ହୋଇଥିବା ଉଦ୍ୟୋଗଗୁଡିକୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଏମ୍‍ଏସ୍‍ଏମ୍‍ଇ ଗଣନା-୨୦୨୧ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

୧୨ଗୋଟି ପ୍ରାକୃତିକ ବିପର୍ଯ୍ୟୟକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି
ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ୧୨ଟି ପ୍ରାକୃତିକ ବିପର୍ଯ୍ୟୟକୁ ଅନୁମୋଦନ କରିଛନ୍ତି। ବଜ୍ରପାତକୁ ଏକ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବହୁ ଆଗରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଆସୁଥିଲା। ତେବେ ଚତୁର୍ଦ୍ଦଶ ଅର୍ଥ କମିସନ ରାଜ୍ୟମାନଙ୍କ ଦାବିକୁ ବିଚାର କରି ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିର ୧୦% ଅର୍ଥ ସ୍ଥାନୀୟ ବିପର୍ଯ୍ୟୟମାନଙ୍କ କ୍ଷେତ୍ରରେ ଖର୍ଚ୍ଚ କରିବା ପାଇଁ ସୁପାରିଶ କରିଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ, ରାଜ୍ୟ ସରକାର ବଜ୍ରପାତ ସମେତ ୮ଗୋଟି ବିପର୍ଯ୍ୟୟକୁ ଷ୍ଟେଟ୍ ସ୍ପେସିଫିକ୍ ଡିଜାଷ୍ଟର ଭାବେ ୧.୪.୨୦୧୫ରୁ ଘୋଷଣା କରିବା ସହ ବଜ୍ରପାତରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି।

ହେଲେ ଶ୍ରୀ ପଟ୍ଟନାୟକ ପଚାରିଥିବା ପ୍ରଶ୍ନ- କେନ୍ଦ୍ର ସରକାରଙ୍କ ସିଆର୍‌ଏଫ୍ ଓ ଏନ୍‌ସିସିଏଫ୍‌ରେ ବଜ୍ରାଘାତ ବିପର୍ଯ୍ୟୟକୁ ଅନ୍ତର୍ଭୁକ୍ତ କରିବା ଲାଗି ଜାତୀୟ ଅର୍ଥ କମିସନ, ପ୍ରାକ୍ତନ ଯୋଜନା କମିସନ ଏବଂ ଏବର ନୀତି ଆୟୋଗଙ୍କୁ ରାଜ୍ୟ ସରକାର କେତେ ଥର ପ୍ରସ୍ତାବ ଦେଇଛନ୍ତି ଓ କ’ଣ ପ୍ରତିଶ୍ରୁତି ମିଳିଛି ନେଇ ରାଜସ୍ବ ମନ୍ତ୍ରୀ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ଓପିଜିସି କର୍ମଚାରୀଙ୍କ ଏକକ ବେତନ ବିଚାରାଧୀନ
ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ସରକାରଙ୍କ ସଂପୂର୍ଣ୍ଣ କର୍ତ୍ତୃତ୍ବାଧୀନ ହେବାର ୮ମାସ ବିତିଯାଇଥିଲେ ବି କାର୍ଯ୍ୟରତ କର୍ମଚାରୀ ଓ ଅଫିସରଙ୍କ କ୍ଷେତ୍ରରେ ଏକକ ବେତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିନି। ଏଥିରେ କ’ଣ ପ୍ରତିବନ୍ଧକ ରହିଛି, କେବେ ସୁଦ୍ଧା ଏହାକୁ ପ୍ରଚଳନ କରାଯିବ ବୋଲି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଓପିଜିସିର କାର୍ଯ୍ୟରତ କର୍ମଚାରୀ ଓ ଅଫିସରମାନଙ୍କ ଏକକ ବେତନ ବ୍ୟବସ୍ଥା ସମ୍ବନ୍ଧରେ ପରିଚାଳନା ମଣ୍ଡଳୀଙ୍କ ସ୍ତରରେ ବିଚାର ବିମର୍ଷ ଜାରି ରହିଛି।

ଆଇଟି ସଂସ୍ଥାଙ୍କୁ ୨୨୮.୯୮୮ ଏକର ଜମି ଦିଆଯାଇଛି
ରାଜ୍ୟରେ କାର୍ଯ୍ୟକ୍ଷମ ଘରୋଇ ସୂଚନା ପ୍ରଯୁକ୍ତି (ଆଇଟି) ସଂସ୍ଥାଗୁଡ଼ିକୁ ସରକାର ରାଜଧାନୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟ ୨୨୮.୯୮୮ ଏକର ଜମି ଯୋଗାଇ ଦେଇଛନ୍ତି। ଏସ୍‌ଟିପିଆଇ ଠାରୁ ମିଳିଥିବା ସୂଚନା ଅନୁସାରେ ଏହି ସଂସ୍ଥାଗୁଡ଼ିକ ଦ୍ବାରା ଗତ ୨୦୨୦-୨୧ ବର୍ଷରେ ପ୍ରାୟ ୪୭୦୧କୋଟି ଟଙ୍କାର ବିଭିନ୍ନ ସଫ୍ଟୱେୟାର ରତ୍ପାନି କରାଯାଇଛି। ଏହି ସବୁ ସଂସ୍ଥାର ବୈଷୟିକ ପଦରେ ପ୍ରାୟ ୮୦% ଓଡ଼ିଆ କାର୍ଯ୍ୟ କରୁଛନ୍ତି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଲେ ସାଲୁଜା
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ରେ ଚାଷୀ ଆତ୍ମହତ୍ୟା କରିଥିବା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା। କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଅପରାହ୍ନରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ରାଜ୍ୟ ସରକାର ସବୁ ବ୍ଲକ୍‌ରେ ଅତି କମ୍‌ରେ ୩୫% ଜଳସେଚନ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ବଲାଙ୍ଗୀର ଜିଲ୍ଲା ତୁରେକେଲାରେ ୧ ପ୍ରତିଶତ ଜମି ବି ଜଳସେଚିତ ହୋଇ ନାହିଁ। ଫଳରେ ଅନାବୃଷ୍ଟି ଯୋଗୁ ସେହି ବ୍ଲକ୍‌ରେ ଚାଷ ହୋଇପାରି ନାହିଁ। ଜଣେ ଚାଷୀ ନିଜ ଚାଷଜମି ଅବସ୍ଥା ଦେଖି ବିଷ ପିଇଦେଇଛନ୍ତି। ଆଜି ତାଙ୍କର ମୃତ୍ୟୁ ହୋଇଛି। ସରକାର ଏହି ଘଟଣାର ତଦନ୍ତ କରି ପଦକ୍ଷେପ ନିଅନ୍ତୁ। ଏ ସମ୍ପର୍କରେ ବାଚସ୍ପତି ରୁଲିଂ ଦେବାକୁ ଶ୍ରୀ ସାଲୁଜା ଦାବି କରିଥିଲେ। ସରକାର ଏହି ଘଟଣାର ଅନୁସନ୍ଧାନ କରି ଗୃହକୁ ଜଣାଇବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ଖଣି ଚୋରାଚାଲାଣରେ ସ୍ଥାନୀୟ ଅଧିକାରୀ ପକ୍ଷଭୁକ୍ତ ହୋଇନାହାନ୍ତି
ଗତ ଜୁନ୍‌ ସୁଦ୍ଧା ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ପାଇଁ ୩୧,୭୫୮ଟି ବେଆଇନ ଖଣି ମାମଲା ରୁଜୁ ହୋଇଥିବାବେଳେ ଏହାର ଚୋରା ଚାଲାଣ ପାଇଁ ୩୯,୬୧୧ଜଣଙ୍କୁ ଧରାଯାଇଛି। ଏଥିରେ କେତେ ସ୍ଥାନୀୟ ଅଧିକାରୀ ପକ୍ଷଭୁକ୍ତ ହୋଇଛନ୍ତି ଓ ଏହି କ୍ଷେତ୍ରକୁ ସ୍ବଚ୍ଛ ରଖିବା ଲାଗି ସମନ୍ବିତ ଲଘୁ ଖଣିଜ ଖଣି ପରିଚାଳନା ପଦ୍ଧତି (ଆଇଏଏମ୍‌ଏସ୍‌) କେବ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପଚାରିଥିବା ଲିଖିତ ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, ଏଥିରେ କୌଣସି ସ୍ଥାନୀୟ ଅଧିକାରୀ ପକ୍ଷଭୁକ୍ତ ହୋଇନାହାନ୍ତି। ଏହି କ୍ଷେତ୍ରକୁ ସ୍ବଚ୍ଛ ରଖିବା ଲାଗି ଆଇଏଏମ୍‌ଏସ୍‌ର ବିକାଶ ଓ କାର୍ଯ୍ୟକାରିତା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗଙ୍କ ମାଧ୍ୟମରେ ତ୍ବରାନ୍ବିତ କରାଯାଉଛି।

ଏବେବି ୯୭୦୦ଜଣ ଘରଡିହ ଜମି ପାଇନାହାନ୍ତି
ରାଜ୍ୟରେ ବସୁନ୍ଧରା ଯୋଜନାରେ ଘରଡିହ ନଥିବା ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ଉଦ୍ଦେଶ୍ୟରେ ସରକାରୀ ଜମି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ୨୦୧୮ରେ ହୋଇଥିବା ସର୍ଭେ ଅନୁଯାୟୀ ୧,୦୬,୮୯୮ଜଣ ଘରଡିହ ଶୂନ୍ୟ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ହେଲେ ପରବର୍ତ୍ତୀ ଯାଞ୍ଚ ସମୟରେ ୪୯,୨୦୦ଜଣ ଘରଡିହ ଜମି ପାଇବା ପାଇଁ ଆଇନ ଅନୁଯାୟୀ ଯୋଗ୍ୟ ବିବେଚିତ ହୋଇନଥିଲେ। ଏହାପରେ ବାକି ୫୭୬୯୮ଜଣ ହିତାଧିକାରୀଙ୍କ ମଧ୍ୟରୁ ଜୁଲାଇ, ୨୦୨୧ ସୁଦ୍ଧା ୪୭୯୯୮ଜଣଙ୍କୁ ଘରଡିହ ଜମି ଯୋଗାଯାଇଛି। ଏବେ ୯୭୦୦ଜଣ ଘରଡିହ ଜମି ପାଇବାକୁ ବାକି ରହିଛନ୍ତି। ଏଥିରେ ବଲାଙ୍ଗୀରରେ ସର୍ବାଧିକ ୧୭୯୮ଜଣ, ବରଗଡ଼ରେ ୧୯୯୧ଜଣ ଅଛନ୍ତି। କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁରରେ ସମସ୍ତଙ୍କୁ ଘରଡିହ ଜମି ମିଳିଛି। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି।

ହକି ଇଣ୍ଡିଆକୁ ୪ବର୍ଷରେ ୯୧.୪୬କୋଟି
ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଓଏମ୍‌ସି ସହାୟତାରେ ହକି ଇଣ୍ଡିଆକୁ ୪ବର୍ଷରେ ୯୧କୋଟି ୪୬ଲକ୍ଷ ୩୪ହଜାର ୮୦୦ଟଙ୍କା ଦେଇଛନ୍ତି। ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।

କ୍ରୀଡ଼ା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୮ରେ ହକି ଇଣ୍ଡିଆକୁ ଦୁଇଟି କିସ୍ତିରେ ୨୦କୋଟି, ୨୦୧୯ରେ ଦୁଇଟି କିସ୍ତିରେ ୨୧କୋଟି ୮୦ଲକ୍ଷ, ୨୦୨୦ରେ ଦୁଇଟି କିସ୍ତିରେ ୨୩କୋଟି ୭୬ଲକ୍ଷ ୨୯ହଜାର, ୨୦୨୦ରେ ଦୁଇଟି କିସ୍ତିରେ ୨୫କୋଟି ୯୦ଲକ୍ଷ ୫ହଜାର ୮୦୦ଟଙ୍କା ଦେଇଛନ୍ତି।

ଓଡ଼ିଶାରେ ହକି ଖେଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଅନୁଦାନ ମିଳିନାହିଁ। ସୁନ୍ଦରଗଡ଼ ଜିଲ୍ଲାରେ ହକି ଖେଳର ଆଦୃତି ଓ ପ୍ରାଧାନ୍ୟତକୁ ଧ୍ୟାନରେ ରଖି ଜିଲ୍ଲାରେ ୮ଟି, ସମ୍ବଲପୁରରେ ୨ଟି, ଢେଙ୍କାନାଳରେ ଗୋଟିଏ, ଦେବଗଡ଼ରେ ଗୋଟିଏ ତୃଣମୂଳ ହକି କେନ୍ଦ୍ର ଟାଟା ଷ୍ଟିଲ୍‌ ମାଧ୍ୟମରେ କାର୍ଯ୍ୟକ୍ଷମ ଅଛି। ଏହାବ୍ୟତୀତ ଛତ୍ରପୁର, ଅମଳିଖେମନ ଓ ଯୁଜୁମୁରା (ସମ୍ବଲପୁର) ତଥା ଯାଜପୁରଠାରେ ସିନ୍ଥେଟିକ୍ ଟର୍ଫ ହକି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହେଉଛି।

ହକି ବ୍ୟତୀତ ରଗ୍‌ବି ଖେଳର ଉନ୍ନତି/ବିକାଶ ପାଇଁ ରାଜ୍ୟ ସରକାର ବା‌ର୍ଷିକ ୧କୋଟି ଟଙ୍କା ତିନି ବର୍ଷ ପାଇଁ ଖର୍ଚ୍ଚ କରିବାକୁ ଏମ୍‌ଓୟୁ କରିଛନ୍ତି। ଫୁଟବଲ ଖେଳାଳି ବିକାଶ ପାଇଁ ଜାତୀୟ ୧୫ବର୍ଷରୁ କମ୍‌ ଓ ୧୯ବର୍ଷରୁ କମ୍‌ ପୁରୁଷ ଦଳ ନିମନ୍ତେ ଦୀର୍ଘମିଆଦି ଭିତ୍ତିରେ ୧୦ବର୍ଷ ପର୍ଯ୍ୟନ୍ତ ସମସ୍ତ ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର