ବିଧାନସଭା ସମାଚାର

ବିଶ୍ବବିଦ୍ୟାଳୟଗୁଡ଼ିକରେ ୧୦୦୭ ଶିକ୍ଷକ ନାହାନ୍ତି
ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରେ ୧୦୦୭ ଶିକ୍ଷକ ଓ ୧୬୬୦ ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ସର୍ବାଧିକ ୧୮୮ ଶିକ୍ଷକ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ସର୍ବାଧିକ ୬୭୯ ଅଣଶିକ୍ଷକ ପଦବି ଖାଲି ରହିଛି। ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦବି ମଧ୍ୟରେ ଉତ୍କଳ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ‌ରେ ୧୨୬ ଲେଖାଏଁ, କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ୧୧୨, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୧୦୧, ବ୍ରହ୍ମପୁରରେ ୮୦, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୭୬, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୬୬, ସମ୍ବଲପୁରରେ ୬୧, ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୪୨, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୨୯ଟି ପଦବି ଖାଲି ପଡ଼ିଛି।

ସେହିପରି ସମ୍ବଲପୁରରେ ୩୭୭, ବ୍ରହ୍ମପୁରରେ ୧୬୬, ରେଭେନ୍ସାରେ ୧୬୨, ରମାଦେବୀରେ ୧୦୧, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୬୮, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୫୧, ଗଙ୍ଗାଧର ମେହେରରେ ୪୩, ଫକୀର ମୋହନରେ ୧୩ଟି ଅଣଶିକ୍ଷକ ପଦବି ଖାଲି ରହିଛି। ଖାଲିଥିବା ପଦବି ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ଚୟନ ପ୍ରକ୍ରିୟା ଜାରି ରହିଛି। ଅଣଶିକ୍ଷକ ପଦବି ପୂରଣ ଲାଗି ରାଜ୍ୟ ପ୍ରବରଣ ମଣ୍ଡଳୀ ମାଧ୍ୟମରେ ଚୟନ କରାଯିବା ପାଇଁ ପଦକ୍ଷେପ ନିଆଯାଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି।

ବଡ଼ ସ୍କୁଲରେ ଗରିବ ପିଲାଙ୍କୁ ନା
ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ ଅନୁଯାୟୀ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ୨୫% ସିଟ୍‌ ଆର୍ଥିକ ଅନଗ୍ରସର, ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି। କିନ୍ତୁ ବେସରକାରୀ ସ୍କୁଲରେ ପଢ଼ିବାକୁ ଏହି ବର୍ଗର ଛାତ୍ରଛାତ୍ରୀ ଅନାଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଓଡ଼ିଶାର ୪୪୩୪ବେସରକାରୀ ବିଦ୍ୟାଳୟ ପାରଦର୍ଶୀ ପୋର୍ଟାଲରେ ପଞ୍ଜୀକୃତ କରିଥିଲେ। ସେଥିମଧ୍ୟରୁ ୧୧୩୧ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୮୨୨୮ଜଣ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ ଏବଂ ୫୨୪୧ଜଣ ଛାତ୍ରଛାତ୍ରୀ ଲଟେରି ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇ ନାମ ଲେଖାଇଛନ୍ତି। ମୋଟ ୩୪ ହଜାର ୭୧୦ ସିଟ୍‌ ମଧ୍ୟରୁ ୨୯ ହଜାର ୪୬୯ ସିଟ୍‌ ବଳକା ରହିଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

ଶିକ୍ଷା ଅଧିକାର ଆଇନରେ ସାମିଲ ସ୍କୁଲ ସମ୍ପର୍କରେ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନ୍‌ଲାଇନ୍‌ରେ ପଞ୍ଜୀକୃତ କରି ନଥିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସି ନାହିଁ। ପ୍ଲେ’ ସ୍କୁଲରେ ନାମଲେଖା ପାଇଁ ବୟସ ସୀମା ସମ୍ପର୍କରେ ବିଧାୟକ ମୋକିମ୍‌ଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସମସ୍ତ ବେସରକାରୀ ବିଦ୍ୟାଳୟରେ କେବଳ ପ୍ରଥମ ଶ୍ରେଣୀ/ପ୍ରାକ୍‌ ବିଦ୍ୟାଳୟ ଶ୍ରେଣୀରେ ୨୫% ସିଟ୍‌ ଆଖପାଖରେ ଥିବା ଦୁର୍ବଳ ଶ୍ରେଣୀର ଶିଶୁ ଓ ସୁବିଧାରୁ ବଞ୍ଚିତ ଗୋଷ୍ଠୀର ଶିଶୁଙ୍କ ପାଇଁ ସଂରକ୍ଷିତ ରଖାଯାଇଥାଏ।

‘ଆଶୀର୍ବାଦ’ ଯୋଜନାରେ ଉଚ୍ଚଶିକ୍ଷା ପାଇଁ ଆବେଦନ ଆସିନି
ଭୁବନେଶ୍ବର : ‘ଆଶୀର୍ବାଦ’ ଯୋଜନାରେ ଥିବା ବ୍ୟବସ୍ଥା ଅନୁଯାୟୀ ଯେଉଁ ସନ୍ତାନଙ୍କ ଉଭୟ ପିତାମାତା ୨୦୨୦ ଏପ୍ରିଲ ୧ କିମ୍ବା ତା’ପରେ ମୃତ୍ୟୁବରଣ କରିଥିବେ, ଯେଉଁ ସନ୍ତାନଙ୍କ ଜଣେ ଅଭିଭାବକ ୨୦୨୦ ଏପ୍ରିଲ ୧ ପୂର୍ବରୁ ଓ ଅନ୍ୟ ଜଣେ ଅଭିଭାବକ ଏପ୍ରିଲ ୧ ପରେ ମୃତ୍ୟୁବରଣ କରିଥିବେ, ସେହି ଅନାଥ ପିଲାଙ୍କୁ ‘ଗ୍ରିନ୍‌ ପାସେଜ୍‌’ ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ନିୟମାନୁଯାୟୀ ଖର୍ଚ୍ଚ କରିବ। ଅଗଷ୍ଟ ଶେଷ ସୁଦ୍ଧା ସେଭଳି ପିଲାଙ୍କଠାରୁ କୌଣସି ଆବେଦନପତ୍ର ଉଚ୍ଚଶିକ୍ଷା ବିଭାଗର ହସ୍ତଗତ ହୋଇନାହିଁ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଉକ୍ତ ଅନାଥ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଗ୍ରିନ୍‌ ପାସେଜ୍‌ ଯୋଜନାରେ ଖର୍ଚ୍ଚ ବାବଦକୁ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍‌ରେ ୫ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ବିଧାନସଭାରେ ଜଣାଇଛନ୍ତି। କୋଭିଡ୍‌-୧୯ରେ ମୃତ ପିତାମାତାଙ୍କ ଅନାଥ ପିଲାଙ୍କ ଶିକ୍ଷା ବାବଦ ଖର୍ଚ୍ଚ ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଏହି ସୂଚନା ଦେଇଛନ୍ତି।

ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ନେଇ ନିଷ୍ପତ୍ତି ହୋଇନି
ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏ ପ୍ରସଙ୍ଗରେ ସରକାର ଯେତେବେଳେ ନିଷ୍ପତ୍ତି ନେବେ, ସେତେବେଳେ କେଉଁଠାରେ ସ୍ଥାପନ ହେବ ତାହା ସ୍ଥିର କରାଯିବ। ବିଧାୟକ ତା‌ରାପ୍ରସାଦ ବାହିନୀପତିଙ୍କ ତାରାକା ପ୍ରଶ୍ନ କୋରାପୁଟ ଜିଲ୍ଲାରେ ରାଜ୍ୟର ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ କି ର ଉତ୍ତର ଦେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି।

ଏବେ ଓୟୁଏଟି ଅଧୀନରେ କୋରାପୁଟ ଜିଲ୍ଲାର ସିମିଲିଗୁଡ଼ାଠାରେ ଗୋଟିଏ କୃଷି ବିଜ୍ଞାନ କେନ୍ଦ୍ର, ଗୋଟିଏ ଆଞ୍ଚଳିକ ଗବେଷଣା ଓ ଜ୍ଞାନକୌଶଳ କେନ୍ଦ୍ର ଓ ଗୋଟିଏ ଆଗ୍ରୋପୋଲିଟେକନିକ୍ ସେଣ୍ଟର କାର୍ଯ୍ୟ କରୁଛି। ଏହାଛଡ଼ା ପଟାଙ୍ଗିଠାରେ ଉଚ୍ଚପତନ ଗବେଷଣା କେନ୍ଦ୍ର ଓ ସର୍ବଭାରତୀୟ ସମନ୍ବିତ ମସଲା ଜାତୀୟ ଫସଲ ଗବେଷଣା ପ୍ରକଳ୍ପ ଏବଂ ଜୟପୁରଠାରେ ଆଞ୍ଚଳିକ ଗବେଷଣା ଓ ଜ୍ଞାନକୌଶଳ ପ୍ରସାରଣ ଉପକେନ୍ଦ୍ର କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର