୧୬୫୦୦ କୋଟିର ଲେଖାନୁଦାନ ଗୃହୀତ

ଭୁବନେଶ୍ୱର : ଆଜି ସାଧାରଣ ବଜେଟ୍‌ ଉପରେ ଆଲୋଚନା ପରେ ୧୬୫୦୦ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ଗୃହୀତ ହୋଇଛି। ଆଲୋଚନାରେ ବିରୋଧୀ ଦଳର ସଦସ୍ୟମାନେ ବଜେଟ୍‌ର ଆଭିମୁଖ୍ୟ ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ସେମାନେ କହିଥିଲେ, ଏହା ଚାଷୀ, ସାଧାରଣ ଲୋକଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ନୁହେଁ। ଭୋଟ ପାଇଁ ସରକାର ବଡ଼ ଧରଣର ବଜେଟ୍‌ର ବାହାସ୍ପୋଟ ମାରିବା ସାଙ୍ଗକୁ ଲୋକଙ୍କୁ ଭୂଆଁ ବୁଲାଇଛନ୍ତି।

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ, କୃଷି, ଜଳସେଚନ, ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ସୁରକ୍ଷିତ ପାନୀୟଜଳ ଯୋଗାଣ, ସମସ୍ତଙ୍କ ପାଇଁ ପକ୍କାଘର, ଗ୍ରାମ୍ୟ ଉନ୍ନୟନ ଏବଂ ଆନୁଷଙ୍ଗିକ ଜୀବନଧାରଣର ସୁରକ୍ଷା ଉପରେ ସରକାର ଅଗ୍ରାଧିକାର ଦେଉଛନ୍ତି। ବଜେଟ୍‌ରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୬୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୋଟ ୧୬୭୬୫ କୋଟିର କୃଷି ବଜେଟ୍‌ ମଧ୍ୟରୁ ୧୦୧୯୬ କୋଟି ଜଳସେଚନ ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ। ପୁଞ୍ଜି ପାଇଁ ବଜେଟ୍‌ରେ ୨୪୫୬୭ କୋଟିର ବ୍ୟୟବରାଦ ସକଳ ଘରୋଇ ଉତ୍ପାଦର ୫.୫ ପ୍ରତିଶତ। ଏହି ପୁଞ୍ଜି ବିନିଯୋଗ କରିବାରେ ଓଡ଼ିଶା ଦେଶରେ ଅଗ୍ରଣୀ। ରାଜ୍ୟର ଋଣ ଏବଂ ଜିଏସ୍‌ଡିପି ଅନୁପାତ ୧୬.୫ ପ୍ରତିଶତ। ଗତ ବଜେଟ୍‌ରେ ଅଣଟିକସ ରାଜସ୍ୱ ଅଂଶ ଥିଲା ୮.୮୯ ପ୍ରତିଶତ ବୋଲି ଅର୍ଥମନ୍ତ୍ରୀ ଏକ ପ୍ରସଙ୍ଗରେ ସୂଚେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨୦୧୩ ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୪୭ ହଜାର ପଦ ପୂରଣ ହୋଇଥିବା ସେ ପ୍ରକାଶ କରିଥିଲେ।

ବଜେଟ୍‌ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ନବକିଶୋର ଦାସ କହିଲେ, ୨୦୧୮-୧୯ ପାଇଁ ଉପସ୍ଥାପିତ ବଜେଟ୍‌ର ପରିମାଣ ଗତବର୍ଷ ବଜେଟ୍‌ ତୁଳନାରେ ମାତ୍ର ୪ ପ୍ରତିଶତ ଅଧିକ। ଗତବର୍ଷ ୯ ହଜାର କୋଟିର ଅତିରିକ୍ତ ବଜେଟ୍‌ ମିଶାଇଲେ ଏହା ସ୍ପଷ୍ଟ। କିନ୍ତୁ ସରକାର ଡିଣ୍ଡିମ ପିଟୁଛନ୍ତି ଯେ ଏହା ବିରାଟ ବଜେଟ୍‌। ଏହି ବଜେଟ୍‌ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ। ବର୍ତମାନ ସୁଦ୍ଧା ୮୦ ହଜାର କୋଟିର ଋଣ ହେଲାଣି। ଫଳରେ ରାଜ୍ୟରେ ମୁଣ୍ଡ ପିଛା ଋଣଭାର ୨୦ ହଜାର ଟଙ୍କାରେ ପହଞ୍ଚିଛି। କିନ୍ତୁ ଖଣି ରୟାଲ୍‌ଟି ବାବଦରେ ୫୨ ହଜାର କୋଟି ଟଙ୍କାର ବକେୟା ରାଜସ୍ୱ ଖଣି ମାଲିକମାନଙ୍କଠାରୁ ଆଦାୟ ହେଉନାହିଁ। ଋଣ କରିବା କିଛି ଭୁଲ କଥା ନୁହେଁ। କିନ୍ତୁ ଜୋତା, ଛତା, କମ୍ବଳ, ଖୁସି ଆଦି ଯୋଜନା କରି ଭୋଟ ହାତେଇବା ପାଇଁ ସରକାର ଅର୍ଥ ଖର୍ଚ କରୁଛନ୍ତିି। ଗତବର୍ଷ ତୁଳନାରେ ନିଜସ୍ୱ ଆୟ କମିଛି। ଗତବର୍ଷ ୪୦% ନିଜସ୍ୱ ଆୟ ଥିବା ବେଳେ ଏଥର ୩୨% ହେବ ବୋଲି ଶ୍ରୀ ଦାସ ଆଶଙ୍କା କରିଥିଲେ।

ବଜେଟ୍‌ର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇ ବିଧାୟକ କହିଲେ, ଗୋଟିଏ ପଟେ ରାଜ୍ୟରେ ୮୩.୫ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ବୋଲି କହୁଛନ୍ତି। ଅନ୍ୟପଟେ, ଖାଦ୍ୟ ସୁରକ୍ଷା ବାବଦରେ ପ୍ରାୟ ୩ କୋଟି ୨୭ ଳକ୍ଷ ଲୋକଙ୍କୁ ହିତାଧିକାରୀ କରିଛନ୍ତିି। ଏଣୁ ଦାରିଦ୍ର୍ୟ ବଢ଼ିଛି ନା କମିଛି? ଅର୍ଥନୈତିକ ସର୍ଭେ କହୁଛି ଯେ ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ହାର ୩.୩ ପ୍ରତିଶତ ବଢ଼ିଛି। ତେବେ କେବିକେ ଯୋଜନା ହେଉ ବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କି କାର୍ଯ୍ୟ କରୁଛି ବୋଲି ସେ ପ୍ରଶ୍ନ ଉଠାଇଥିଲେ। ସେହିପରି ସରକାର ଗରିବ ଲୋକଙ୍କୁ ୧୦୦ ଦିନର କାମ ଯୋଗାଇ ପାରୁନାହାନ୍ତିି। ବର୍ଷକ ଭିତରେ ମାତ୍ର ୨୫୮୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଯଦି ବଳକା ବଜେଟ୍‌ ହେଉଛି, ଯଦି ଚାଷୀଙ୍କ ପ୍ରତି ଦରଦ ଅଛି, ତେବେ ସରକାର ଚାଷୀଙ୍କୁ ପେନ୍‌ସନ୍‌ କାହିଁକି ଦେଉନାହାନ୍ତି? ଆଳୁ ମିସନ, ଶୀତଳ ଭଣ୍ଡାର, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବିଧାୟକ ଶ୍ରୀ ଦାସ ବିଭିନ୍ନ ପ୍ରଶ୍ନ ଉତ୍‌ଥାପନ କରିଥିଲେ।

ବିଜେପି ବିଧାୟକ ରବି ନାୟକ କହିିଲେ ଯେ ରାଜ୍ୟ ସରକାରଙ୍କ ବିଫଳତା ବଜେଟ୍‌ରେ ପ୍ରତିଫଳିତ ହେଉଛି। କେନ୍ଦ୍ରୀୟ ସହାୟତା ଆଧାରରେ ରାଜ୍ୟ ସରକାର ବଜେଟ୍‌ ପ୍ରସ୍ତୁତ କରୁଥିବା କହି ୨୦୧୩-୧୪ରୁ ୨୦୧୭-୧୮ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତାର ବର୍ଷଓ୍ଵାରୀ ତଥ୍ୟ ଉପସ୍ଥାପନ କରିଥିଲେ। ଜାତୀୟ ଜଳସେଚନ ହାର ୪୮ ପ୍ରତିଶତ ହୋଇଥିବା ବେଳେ ରାଜ୍ୟରେ ଏହା ମାତ୍ର ୨୯ ପ୍ରତିଶତ। ଏତେ ପର୍ଯ୍ୟନ୍ତ ସରକାର ସବୁ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇପାରିଲେ ନାହିଁ। ୩୮ଟି ଗ୍ରାମପଞ୍ଚାୟତରେ ହାଇସ୍କୁଲ ନାହିଁ। ୩୪ ପ୍ରତିଶତ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଜୁଳି ନାହିଁ। ବିଜୁ ଯୁବ ବାହିନୀ, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ସଂସ୍ଥା ଜରିଆରେ ଟଙ୍କା ବାଣ୍ଟି ଲୋକଙ୍କୁ ଖୁସି କରିବାକୁ ଉଦ୍ୟମ କରୁଛନ୍ତି ସରକାର। କିନ୍ତୁ ବିକାଶ ନିମନ୍ତେ ଦୀର୍ଘସୂତ୍ରୀ ଯୋଜନା କାହିଁ ବୋଲି ସେ ପଚାରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବରଗଡ଼ ଜିଲ୍ଲାର ଚାଷୀ ଖଇନୁ ବଗର୍ତ୍ତୀଙ୍କ ମୃତ୍ୟୁ ନେଇ ଯେଉଁ କମିଟି ଗଠନ ହୋଇଥିଲା, ସେହି କମିଟି ତା’ର ରିପୋର୍ଟ ଗୃହରେ ଉପସ୍ଥାପନ ନ କରିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। କୃଷି ବିକାଶ କେବଳ କୃଷି ବଜେଟ୍‌, କ୍ୟାବିନେଟ୍‌ ଗଠନରେ ଅଟକି ଯାଇଛି। ଉପା ସରକାର ଆଦର୍ଶ ସ୍କୁଲ ପାଇଁ ଅର୍ଥ ଦେଇଥିଲେ। ବିଜେପି ସରକାର ତା’କୁ ବନ୍ଦ କରିଦେଲେ। ଚାରିଆଡ଼େ ବିହାରୀ ମଦର ପ୍ରସାର ହେଉଥିବା ଅଭିଯୋଗ କରି ଏହାକୁ ସରକାର ତୁରନ୍ତ ବନ୍ଦ କରିବାକୁ ଶ୍ରୀ ବାହିନୀପତି ଦାବି କରିଥିଲେ।

ବିରୋଧୀ ଦଳର ଅଭିଯୋଗଗୁଡ଼ିକୁ ଅଗ୍ରାହ୍ୟ କରି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ, ଜନମଙ୍ଗଳ ରାଷ୍ଟ୍ରରେ ଲୋକମାନଙ୍କ ଆବଶ୍ୟକତାକୁ ଦେଖି ବଜେଟ୍‌ରେ ବିଭିନ୍ନ ବ୍ୟବସ୍ଥା କରାଯାଇଥାଏ। ବାସ୍ତବରେ ବଜେଟ୍‌ର କଳେବର ବୃଦ୍ଧି ହେବା ସହିତ ଏହାର ଆଭିମୁଖ୍ୟ ବି ସ୍ପଷ୍ଟ ବୋଲି ସେ କହିଥିଲେ। ବିଜେଡି ସଦସ୍ୟ ବେଦପ୍ରକାଶ ଅଗ୍ରଓ୍ଵାଲ୍‌, ସୁଶୀଲ ସାଇବା ହାଁସଦା, ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଲୋଚନାରେ ଭାଗ ନେଇ ରାଜ୍ୟ ସରକାରଙ୍କ ଲୋକ କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଶେଷରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ବଜେଟ୍‌ର ବିଭିନ୍ନ ଦିଗ ଉପରେ ବିସ୍ତତ ଭାବେ ଆଲୋଚନା କରିଥିଲେ। ତାଙ୍କ ପ୍ରସ୍ତାବ କ୍ରମେ ୧୬୫୦୦ କୋଟିର ଲେଖାନୁଦାନ ଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର