ବିଜେପିର ଚିଟ୍‌ଫଣ୍ଡ୍‌, କଂଗ୍ରେସର ଚାଷୀ ପ୍ରସଙ୍ଗ, ଚାଲିପାରିଲାନି ବିଧାନସଭା

୫ ଥର ମୁଲତବୀ, ଚାଲିଲା ୧୪ ମିନିଟ୍, ସର୍ବଦଳୀୟ ବୈଠକ ବିଫଳ

ଭୁବ‌େନଶ୍ବର: ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନରେ ଆରମ୍ଭରୁ ବିଭ୍ରାଟ ଜାରି ରହିଛି। ଗତକାଲି ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରି କଂଗ୍ରେସ କକ୍ଷତ୍ୟାଗ କରିଥିଲା। ଆଜି ଉଭୟ କଂଗ୍ରେସ ଓ ବିଜେପି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ୮ ମିନିଟ୍‌ର ଶୋକ ପ୍ରସ୍ତାବକୁ ବାଦ୍ ଦେଲେ ଗୃହ ମାତ୍ର ୬ ମିନିଟ୍ ଚାଲିଥିଲା। ବାରମ୍ବାର ମୁଲତବୀ ହୋଇଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନା କିଛି ହୋଇପାରି ନ ଥିଲା। ଏପରିକି ‌ସ୍ଥିତି ସ୍ବାଭାବିକ କରିବାକୁ ଡକାଯାଇଥିବା ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ‌ କେଶରୀ ଆରୁଖ ଶୋକ ପ୍ରସ୍ତାବ ଆଗତ କରିଥିଲା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ‌ଶୋକ ଆଲୋଚନାରେଭାଗ ନେଇଥିଲେ। ବାଚସ୍ପତି ପ୍ରଦୀପ ଅମାତ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ପରେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ଏହା ପରେ ସଙ୍ଗେ ସଙ୍ଗେ ବିଜେପି ସଭ୍ୟମାନେ ସାଙ୍ଗରେ ଆଣିଥିବା ବ୍ୟାନର୍ ପିନ୍ଧିଥିଲେ। ଏଥି‌େର ଲେଖାଥିଲା, ‘ନବୀନ-ମମତା ଚିଟ୍‌ଫଣ୍ଡ୍ ଚୋର…ଏହା ଭୁଲ୍ କି’, ‘ଖୋଦ୍ ନବୀନ ବାବୁଙ୍କୁ ସିବିଆଇ ଜେରା କରିଛି କି…’। ଏହି ବ୍ୟାନର୍‌କୁ ପିନ୍ଧି ସେମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କଲେ। ଚେୟାର ଉପରେ ‌ଚଢ଼ି ଚିତ୍କାର କଲେ। କଂଗ୍ରେସ ସଭ୍ୟମାନେ ବି ଗୃହ ମଧ୍ୟ ଭାଗକୁ ଝପଟି ଆସିଲେ। ତାରା ବାହିନୀପତି ‌ରିପୋର୍ଟସ୍ ଟେବୁଲ୍ ଉପରେ ଚଢ଼ି ଉଭୟ ବିଜେଡି ଓ ବିଜେପି ବିରୋଧରେ ସ୍ଲୋଗାନ୍ ଦେଲେ। ବିଜେଡି-ବିଜେପିର ଚାଷୀ ମାରଣ ନୀତି ଚଳିବ ନାହିଁ…ସ୍ଲୋଗାନ୍ ଦେଇ କଂଗ୍ରେସ ସଭ୍ୟମାନେ ଗୃହ କମ୍ପାଇଲେ। ବାଚସ୍ପତି ନିଜ ଆସନରେ ଠିଆ ହୋଇ ସଭ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନଙ୍କ ସ୍ବର ଆହୁରି ଶାଣିତ ହେଲା। ଏହି ସମୟରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୃହରେ ଉପସ୍ଥିତ ନ ଥିଲେ। ‌ସ୍ଥିତି ସ୍ବାଭାବିକ ନ ହେବାରୁ ୧୦ଟା ୪୦ରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।  ୧୧ଟା ୪୦ରେ ସମାନ ଦୃଶ୍ୟ ପୁଣି ଦେଖିବାକୁ ମିଳିଲା। ଗୃହ ମଧ୍ୟ ଭାଗରେ ବ୍ୟାନର୍ ପିନ୍ଧି ବିଜେପି ସଭ୍ୟମାନେ ଚିଟ୍‌ଫଣ୍ଡ୍ ପ୍ରସଙ୍ଗ ଉଠାଇଥିଲା ବେଳେ କଂଗ୍ରେସ ସଭ୍ୟମାନେ ଚାଷୀ ପ୍ରସଙ୍ଗ ଉଠାଇଲେ। ଫଳରେ ମାତ୍ର ଗୋଟିଏ ମିନିଟ୍ ପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୩ଟାରେ ବି ସ୍ଥିତି ସମାନ ରହିଲା। ୩ଟା ୨ରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ଅଧ ଘଣ୍ଟା ମୁଲତବୀ ରଖିଲେ। ବୈଠକ ଜାରି ରହିଥିବାରୁ ୩ଟା ୩୨ରେ ଗୃହ ପୁଣି ଅଧ ଘଣ୍ଟା ମୁଲତବୀ ରହିଲା। କିନ୍ତୁ ବୈଠକରେ ନିର୍ଯ୍ୟାସ ନ ବାହାରିବାରୁ ୪ଟା ୨ରେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଧ୍ୟ ଭାଗରେ ପୁଣି ନାରାବାଜି ଜାରି ରଖିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆସନ୍ତାକାଲି ଆଲୋଚନା ହେବ ବୋଲି ଘୋଷଣା କରି ବାଚସ୍ପତି ୪ଟା ୩ରେ ଗୃହକୁ ଆସନ୍ତାକାଲି ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ଗୃହ ବାହାରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ, ପଶ୍ଚିମବଙ୍ଗରେ ମମତା ଓ ଓଡ଼ିଶାରେ ନବୀନଙ୍କର ସମଦଶା ହୋଇଛି। ଓଡ଼ିଶାରେ ଚିଟ୍‌ଫଣ୍ଡ୍‌ରେ ବିଜେଡିର ନେତା, ପୂର୍ବତନ ମନ୍ତ୍ରୀ ୪୦ ହଜାର କୋଟି ଟଙ୍କା ଲୁଟ୍ କରିଛନ୍ତି। ସେମାନଙ୍କ ଭିତରୁ କେତେକ ଜେଲ୍‌ ଯାଇଛନ୍ତି ଓ ଆଉ କିଛି ଜେଲ୍‌ ଯିବା ପାଇଁ ସିବିଆଇ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସମାନ କଥା। ଏଠି ବିଜେଡି ଚିଟ୍‌ଫଣ୍ଡ୍‌ ଲୁଟେରାଙ୍କ ସହ ଅଛି। ଆମେ ଆଶା କରୁଛୁ ସିବିଆଇ ଓଡ଼ିଶାରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁ‌ଷ୍ଠାନ ନେବ। ଲୋକସଭାରେ ଗତକାଲି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଯେପରି ସିବିଆଇକୁ ବିରୋଧ କରି ‌ମନ୍ତବ୍ୟ ରଖିଲେ, ସେଥିରୁ ସ୍ପଷ୍ଟ ହେଉଛି ବିଜେଡି ତୃଣମୂଳ କଂଗ୍ରେସକୁ ସମର୍ଥନ କରୁଛି। ବିଜେଡି ପଶ୍ଚିମବଙ୍ଗକୁ ଢାଲ କରିଛି। ଦଳ ଭାବୁଛି, ପଶ୍ଚିମବଙ୍ଗରେ ମମତା ସଫଳ ହେଲେ ଓଡ଼ିଶାରେ ଚିଟ୍‌ଫଣ୍ଡ୍‌ ଲୁଟେରାମାନେ ତାହାକୁ ଢାଲ କରି ବଞ୍ଚିଯିବେ। କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଲେ, କଂଗ୍ରେସ ଗୃହରେ ଉଠାଇଥିଲା ଯେ କାଳିଆ ଯୋଜନା କରି ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି। କିନ୍ତୁ କୃଷି ଋଣ କାହିଁକି ଛାଡ଼ କରୁ ନାହାନ୍ତି? ଛତିଶଗଡ଼ ସରକାର ପରି ଏମ୍‌ଏସ୍‌ପି କାହିଁକି ବୃଦ୍ଧି କରୁ ନାହାନ୍ତି ? ଉଭୟ ବିଜେଡି ଓ ବିଜେପି ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁ ନାହାନ୍ତି। କେବଳ ରାଜନୀତି ପାଇଁ ଚାଷ ଓ ଚାଷୀଙ୍କ କଥା କହୁଛନ୍ତି। ବିଜେପି ଉଠାଉଥିବା ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗରେ ତାରା କହିଥିଲେ, ବିଜେପି-ବିଜେଡି ଭାଇ ଭାଇ। ଉଭୟ ୯ ବର୍ଷ ଧରି ମିଳିତ ସରକାର ଚଳାଇଥିଲେ। ସାଧାରଣ ଲୋକଙ୍କର ଟଙ୍କାକୁ ମିଳିମିଶି ହଡ଼ପ କରିଛନ୍ତି। ବିଜେଡି ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ କହିଥିଲେ, ବିରୋଧୀ ଦଳ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଦୁର୍ଭାଗ୍ୟଜନକ। ସାଧାରଣ ଲୋକ ସେମାନଙ୍କ ସମସ୍ୟା ଗୃହରେ ଆଲୋଚନା କରିବାକୁ ଚାହୁଁଛନ୍ତି। କିନ୍ତୁ ବିରୋଧୀ ଦଳ ତାହା ଚିନ୍ତା କରୁ ନାହାନ୍ତି। ସେମାନେ ଆଲୋଚନାକୁ ନ ଆସି ଗୃହ କାର୍ଯ୍ୟ କରାଇ ଦେଉ ନାହାନ୍ତି।

ସମ୍ବନ୍ଧିତ ଖବର