ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ସ୍ଥାନିତ ପାଇଁ ସଂକଳ୍ପ

ଭୁବନେଶ୍ୱର: ଚଳିତ ବର୍ଷ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ହେଉଛି। ଏହି ଅବସରରେ ଆଜି ଗୃହରେ ସରକାରୀ ଦଳ ସମ୍ବିଧାନର ମୁଖବନ୍ଧ ବା ପ୍ରିୟାମ୍ବଲ୍‌ରେ ଗାନ୍ଧୀଙ୍କ ଅମୋଘ ଅସ୍ତ୍ର ତଥା ଦର୍ଶନ ‘ଅହିଂସା’କୁ ସ୍ଥାନିତ କରିବା ପାଇଁ ଏକ ଅଭିନବ ସଂକଳ୍ପ ଆଣିଛନ୍ତିି। ଏ ନେଇ ଗୃହରେ ଉପସ୍ଥାପିତ ସଂକଳ୍ପ ଚିଠା ବୁଝିହେଉ ନାହିଁ ବୋଲି ଶାସକ ଦଳର ଜଣେ ସଦସ୍ୟଙ୍କ ସହିତ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଅଭିଯୋଗ କରିଥିଲେ। ଏହାର ଓଡ଼ିଆ ଅନୁବାଦ ଉପସ୍ଥାପନ କରିବା ସହିତ ଶାସକ ଦଳ ତରବରିଆ ଭାବେ ଏହାକୁ ପାରିତ ନ କରିବାକୁ ଅନୁରୋଧ କରିଥିଲେ। ଏହାସତ୍ତ୍ୱେ ସାମାନ୍ୟ ସଂଶୋଧନ ପ୍ରସ୍ତାବ ଆଣି ସଂକଳ୍ପ ପାରିତ କରାଯାଇଥିଲା। ଏହାର ପ୍ରତିବାଦରେ ବିରୋଧୀ ସଦସ୍ୟମାନେ ଗୃହ ବର୍ଜନ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରିବାକୁ ଏକ ସଂକଳ୍ପ ଉପସ୍ଥାପନ କରିଥିଲେ। ମନ୍ତ୍ରୀ କହିଥିଲେ, ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହାକୁ ମୁଖବନ୍ଧରେ ‘ଅହିଂସା’ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ। ଶାନ୍ତି ବିନା ପ୍ରଗତି ସମ୍ଭବ ନୁହେଁ। ଅହିଂସା ବିନା ଦାରିଦ୍ର୍ୟ ଦୂରୀକରଣ ଅସମ୍ଭବ। ଏହି ପରିପ୍ରେକ୍ଷୀରେ ୧୫୦ତମ ଜୟନ୍ତୀ ଅବସରରେ ଅହିଂସା ନୀତିକୁ ସ୍ଥାନିତ କଲେ ଏହା ମହାତ୍ମାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ସଂକଳ୍ପ ଅଣାଯାଇଥିବା ଦର୍ଶାଇ ଏହାକୁ ଗୃହରେ ସର୍ବସମ୍ମତ କ୍ରମେ ପାରିତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନୁରୋଧ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅହିଂସା ସଂକଳ୍ପ ପଛରେ ସରକାରଙ୍କ ଆଭିମୁଖ୍ୟ ପ୍ରଶଂସନୀୟ ବୋଲି କହିଥିଲେ। କିନ୍ତୁ ସମ୍ବିଧାନର ମୁଖବନ୍ଧରେ ସଂଶୋଧନ ପ୍ରସ୍ତାବ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗମ୍ଭୀରତାର ସହ ଆଲୋଚନା ହେବା ଉଚିତ। ଅହିଂସା ଶବ୍ଦର ସଂଜ୍ଞା ନିରୂପଣ କରାଯିବା ଉଚିତ। ତରବରିଆ ଭାବେ ଏହାକୁ ପାରିତ ନ କରି ଅଧିକ ଆଲୋଚନା ପାଇଁ ସମୟ ରଖାଯାଉ। ତେବେ ସଂକଳ୍ପ ଚିଠାର ଭାଷା ବୁଝିହେଉନାହିଁ ବୋଲି ସେ କହିଥିଲେ। ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ତାଙ୍କ ସହିତ ସ୍ୱର ମିଳାଇ କହିଥିଲେ ଯେ ସଂକଳ୍ପ ଚିଠା ବୁଝିହେଉନାହିଁ। ଯେଉଁମାନେ ଗାନ୍ଧୀଙ୍କୁ ହତ୍ୟା କରିଥିଲେ, ସେମାନେ ଅହିଂସା ପ୍ରସ୍ତାବକୁ ଯେ ଗ୍ରହଣ କରିବେ ସେ ଭାବିପାରୁନାହାନ୍ତି। ସଂକଳ୍ପ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବୁଝିହେଉନାହିଁ ବୋଲି କହିଥିଲେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ବିଜେଡି ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଏହି ସଂକଳ୍ପ ସ୍ୱାଗତଯୋଗ୍ୟ ବୋଲି କହିଥିଲେ।

ପୁନର୍ବାର ବିରୋଧୀ ଦଳ ନେତା ତାଙ୍କ ଆସନରେ ଛିଡ଼ା ହୋଇ ସଂକଳ୍ପ ଚିଠାର ଓଡ଼ିଆ ଅନୁବାଦ ଦାବି କରିଥିଲେ। ସେ କହିଲେ, ଇଂରାଜୀରେ ଥିବାରୁ ସମ୍ଭବତଃ ବିରୋଧୀଙ୍କ ସହିତ ସରକାରୀ ଦଳର ସଦସ୍ୟ ମଧ୍ୟ ଏହାକୁ ବୁଝିପାରୁନାହାନ୍ତି। ଏହାକୁ ଓଡ଼ିଆରେ ଅନୁବାଦ କରି ଉପସ୍ଥାପନ କରାଯାଉ। ଏ ନେଇ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ସହିତ ତାଙ୍କର କଥା କଟାକଟି ହୋଇଥିଲା। ବାଚସ୍ପତି କହିଲେ ଯେ ଗୃହର ପରମ୍ପରା ଅନୁଯାୟୀ ସଂକଳ୍ପ ଇଂରାଜୀରେ ଆସେ। ଏହାକୁ ଖଣ୍ଡନ କରି ବିରୋଧୀ ଦଳ ନେତା କହିଲେ ଯେ ଉଭୟ ବିଲ୍‌ ଓ ସଂକଳ୍ପ ଚିଠା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଆସିଥାଏ।

ଏଭଳି ବିବାଦୀୟ ପରିସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଂକଳ୍ପରେ ସାମାନ୍ୟ ସଂଶୋଧନ ପ୍ରସ୍ତାବ ଆଣିଥିଲେ। ଏ ନେଇ ଗୃହରେ ହଟ୍ଟଗୋଳ ଲାଗିଯାଇଥିଲା। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସଂକଳ୍ପ ପାରିତ ହୋଇଥିବା କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିରୋଧୀ ଦଳ ନେତା ସଂକଳ୍ପ ପାରିତ ହେଲେ ବି ସେଥିରେ ସଂଶୋଧନ ଅଣାଯିବ କହି ଗୃହ କାର୍ଯ୍ୟକୁ ବର୍ଜନ କରୁଥିବା କହିଥିଲେ। ସଙ୍ଗେ ସଙ୍ଗେ ତାଙ୍କ ସହିତ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଗୃହ କିଛି ସମୟ ଧରି ସ୍ତବ୍ଧ ହୋଇପଡ଼ିଥିଲା। ବାଚସ୍ପତି ବିରୋଧୀଙ୍କୁ ଗୃହକୁ ଫେରାଇ ଆଣିବା ନିମନ୍ତେ ସରକାରୀ ଦଳର ବରିଷ୍ଠ ମନ୍ତ୍ରୀମାନଙ୍କୁ ପଠାଇଥିଲେ। ଏଥିପାଇଁ ଗୃହକୁ ଦୁଇଥର ମୁଲତବୀ କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର