ଶ୍ରୀକାନ୍ତ ସାହୁ

କୋରାପୁଟ: ଅକଳରେ ଏବେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିହ୍ନ ହିକ୍‌କା ଓ ତାଙ୍କ ପତ୍ନୀ କୌଶଲ୍ୟା ହିକ୍‌କା। କାରଣ ଉଭୟ ନିର୍ବାଚନ ଲଢ଼ିବେ ନା ପରିବାରରୁ ଜଣେ କିଏ ଲଢ଼ିବେ। ସେହିପରି ଲକ୍ଷ୍ମୀପୁର ବିଧାନସଭା ଆସନରେ ଲଢ଼ିବେ ନା କୋରାପୁଟ ଲୋକସଭା ଆସନ‌ରୁ ପ୍ରାର୍ଥୀ ହେବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ହିକ୍‌କା ଦମ୍ପତି ଏବେ ଜନସଂପର୍କ ବଢ଼ାଉଥିବା ବେଳେ ଉଭୟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କିନ୍ତୁ ଚର୍ଚ୍ଚା ଥମୁନି।

Advertisment

ଥରେ ବିଧାୟକ (୨୦୦୯) ଓ ଥରେ ସାଂସଦ (୨୦୧୪) ହୋଇଥିବା ଝିହ୍ନ ପୁଣି ବିଧାନସଭା ନା ଲୋକସଭା ପ୍ରାର୍ଥୀ ହେବେ ଏପର୍ଯ୍ୟନ୍ତ ଦଳ ସ୍ପଷ୍ଟ କରିନି। ଅନ୍ୟପଟେ କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲକା, ଝିହ୍ନଙ୍କ ପତ୍ନୀ କୌଶଲ୍ୟା ହିକ୍‌କା, ବିଜେଡିର ହେବିୱେଟ୍‌ ନେତା ଜଗନ୍ନାଥ ସାରକା ମଧ୍ୟ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି। ସେହିପରି ବିଧାନସଭା ଆସନ ପାଇଁ ପ୍ରଭୁ ଜାନୀ, କୈଳାସ କୁଲେସିକା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲକାଙ୍କ ଭଳି ଅନେକ ଆଶାୟୀ ରହିଛନ୍ତି। ଯଦି ଆଗାମୀ ନିର୍ବାଚନରେ ଝିହ୍ନଙ୍କୁ ଦଳ ଟିକେଟ୍‌ ଦେବ ତେବେ କୌଶଲ୍ୟାଙ୍କୁ ଟିକେଟ ମିଳିବ କି ନାହିଁ ବୋଲି ସଂଶୟ ସୃଷ୍ଟି ହୋଇଛି।
ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପୂର୍ବେ ରାୟଗଡ ଜିଲ୍ଲାରେ ଥିଲା। ଏବେ କୋରାପୁଟ ଜିଲ୍ଲାରେ ଅଛି।

ଆସନଟି ବିଜେଡି ହାତରେ ରହିଛି। ଗତ ନିର୍ବାଚନରେ ଏହି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିବା କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମଧ୍ୟ ବିଜେଡିରେ ସାମିଲ ହୋଇସାରିଛନ୍ତି। ଏଣୁ ଏହି ଆସନକୁ ପୁଣି ଅକ୍ତିଆର କରିବା ସକାଶେ ବିଜେଡି ବେଶ ଆଶାବାଦୀ। ତେବେ ଗତ ପଞ୍ଚାୟତ ନିର୍ବାଚନ‌ର ଫଳାଫଳ ସାମାନ୍ୟ ଭିନ୍ନ ଥିଲା। ବିଜେଡି ଉପରେ ବି‌ରୋଧୀ ଦଳ କଂଗ୍ରେସ ସାମାନ୍ୟ ଭାରୀ ପଡ଼ିଥିଲା। ସେହିପରି ୨୦୧୯ ନିର୍ବାଚନରେ ମାତ୍ର ୨୩୯ ଭୋଟରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ପରାଜିତ ହୋଇଥିଲେ। ଏଥିପାଇଁ ଆଗାମୀ ନିର୍ବାଚନ ରୋଚକ ତଥା କଡ଼ା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ପ୍ରାର୍ଥୀ ଚୟନ କରିବା ବିଜେଡି ପାଇଁ ସେତେଟା ସହଜ ହେବ ନାହିଁ ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।