୫ ବର୍ଷ ମଧ୍ୟରେ ଅଜଣା ଗାଡ଼ି ଧକ୍କାରେ ୪୯୪୭ଜଣଙ୍କ ମୃତ୍ୟୁ ଘଟିଛି: ମନ୍ତ୍ରୀ

ଭଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ କେତେ ବ୍ୟକ୍ତିଙ୍କର ଜୀବନ ଯାଇଛି ସେନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୋହନ ଚରଣ ମାଝୀ  ଗୃହରେ ଏହାର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ। ଗତ ୫ ବର୍ଷ ମଧ୍ୟରେ ସଡ଼କ ଦୁର୍ଘଟଣାରେ କେତେ ଜୀବନ ଯାଇଛି, କେଉଁ ବର୍ଷ କେତେ ବ୍ୟକ୍ତିଙ୍କୁ କେତେ ସୋଲାଟିୟମ ଅର୍ଥରାଶି ପ୍ରଦାନ କରାଯାଇଛି, ଏପରିକି ଅଜଣା ଗାଡ଼ି ଧକ୍କାରେ କେତେ ବ୍ୟକ୍ତିଙ୍କ ଜୀବନ ଯାଇଛି ସେନେଇ ଗୃହରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୋହନ ଚରଣ ମାଝୀ। ପରିବହନ ମନ୍ତ୍ରୀ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ।

ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୪୯୪୭। ସେହିଭଳି ସୋଲାସିୟମ ପାଣ୍ଠିର ସୁବିଧା ଗ୍ରହଣ କରିଥିବା ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ରେ ୨୯, ୨୦୨୦ରେ ୬୩, ୨୦୨୧ରେ ୧୬୪ ଓ ୨୦୨୨ ଜୁନ୍ ସୁଦ୍ଧା ୧୧୬ ଜଣଙ୍କୁ ସୋଲାସିୟମ ପାଣ୍ଠିର ସୁବିଧା ମିଳିଥିବା କୁହାଯାଇଛି।

ଏସବୁ ବାଦ୍ ଗତ ୫ ବର୍ଷ ମଧ୍ୟରେ ଗାଡ଼ି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇଛି। ୨୦୧୭ରେ ୧୦୮୫୫ଟି ଦୁର୍ଘଟଣା ହୋଇଥିବା ବେଳେ ୪୭୯୦ ଜଣ ମୃତ୍ୟୁବରଣ କରିଥିଲେ। ସେହିଭଳି ୨୦୧୮ରେ ୧୧୨୬୨ଟି ଦୁର୍ଘଟଣାରେ ୫୩୧୫ ଜଣ, ୨୦୧୯ରେ ୧୧୦୬୪ଟି ଦୁର୍ଘଟଣାରେ ୫୩୩୩, ୨୦୨୦ରେ ୯୮୧୭ଟି ଦୁର୍ଘଟଣାରେ ୪୭୩୮, ୨୦୨୧ରେ ୧୦୯୮୪ଟି ଦୁର୍ଘଟଣାରେ ୫୦୮୧ ଜଣଙ୍କର ପ୍ରାଣ ଯାଇଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । କରୋନା କାଳରେ ଏହି ସଂଖ୍ୟା କିଛି ମାତ୍ରାରେ କମିଥିଲେ ମଧ୍ୟ କରୋନା ପରେ ପୁଣିଥରେ ଏହି ସଂଖ୍ୟା ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର