ବିଧାନସଭା ସଚିବ ହୋଇପାରିବେନି ରିଟର୍ଣ୍ଣି ଅଫିସର

ତିନିଜଣ ଅଫିସରଙ୍କ ନାଁ ମାଗିଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର : ବିଧାନସଭା ସଚିବ ଅମୀୟ କୁମାର ଷଡଙ୍ଗୀ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ରିଟର୍ଣ୍ଣି ଅଫିସର ହୋଇପାରିବେ ନାହିଁ। ଆସନ୍ତା ମାର୍ଚ୍ଚ ମାସରେ ତାଙ୍କର କାର୍ଯ୍ୟକାଳ ସରୁଥିବା ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ଏ ପ୍ରକ୍ରିୟାରୁ ତାଙ୍କୁ ଦୂରେଇ ରଖିବା ଲାଗି ଜଣାଇଛନ୍ତି। ଏଥିସହିତ ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣି ଅଫିସର କିଏ ହେବ, ସେ ସଂକ୍ରାନ୍ତରେ ତିନି ଜଣ ଅଫିସରଙ୍କ ସଂପର୍କରେ ଜଣାଇବା ଲାଗି ରାଜ୍ୟ ସରକାରଙ୍କୁ ଆୟୋଗ ଜଣାଇଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଆଇଏଏସ୍‌ ଅଫିସର ହରିବଲ୍ଲଭ ମିଶ୍ର, ନିର୍ମଳ କୁମାର ମିଶ୍ର ଓ ପ୍ରଭାକର ପାଟିଲ୍‌ଙ୍କ ନାମ ନିର୍ବାଚନ ଆୟୋଗଙ୍କୁ ସୁପାରିସ କରିଥିବା ଜଣାପଡିଛି। ତେବେ ଏମାନଙ୍କ ମଧ୍ୟରୁ କାହାକୁ ଆୟୋଗ ଭରସା କରି ଏ ଦାୟିତ୍ୱ ଦେବେ ତାହା ଜଣାଇନାହାନ୍ତି। ସମ୍ଭବତଃ ଆସନ୍ତକାଲି ଏ ସଂକ୍ରାନ୍ତରେ ଆୟୋଗ ତାଙ୍କ ମତାମତ ଜଣାଇପାରନ୍ତି ବୋଲି ଆଶା କରାଯାଉଛି।

ଏଠାରେ ଉଲ୍ଲେଖଥାଉକି, ବିଧାନସଭା ସଚିବ ଶ୍ରୀ ଷଡ଼ଙ୍ଗୀ ଅବସର ପରେ ନେବା ପରେ ବି ରାଜ୍ୟ ସରକାର ତାଙ୍କ ଉପରୁ ବିଶ୍ୱାସ ତୁଟାଇନାହାନ୍ତି। ବିଧାନସଭାରେ ନୂଆ ସଚିବ ନିଯୁକ୍ତି ଦେବା ବଦଳରେ ତାଙ୍କ କାର୍ଯ୍ୟ ଅବଧିକୁ ବାରମ୍ବାର ବୃଦ୍ଧି କରାଯାଇଛି। ଆସନ୍ତା ମାର୍ଚ୍ଚ ମାସ ପରେ ଶ୍ରୀ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳକୁ ସରକାର ଆଉ ବଢାଇବେ ନା ନାହିଁ, ତାହାକୁ ନେଇ ମଧ୍ୟ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଲେଣି।

ସମ୍ବନ୍ଧିତ ଖବର