କରୋନା ପାଇଁ ବଦଳିଲା ଇତିହାସ : ୧୩ ଦିନରେ ସରିଲା ବିଧାନସଭା

କେଇମିନିଟ୍ ଆଲୋଚନାରେ ୨୦୨୦-୨୧ ବଜେଟ୍ ପାରିତ
ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ, ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ
ଲୋକସେବା ଭବନ ସମ୍ମେଳନ କକ୍ଷରେ ବିଧାନସଭା ବୈଠକ

ଭୁବନେଶ୍ବର : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ଅଧିବେଶନର ସବୁ କାର୍ଯ୍ୟଦିବସ ଭଳି ନିଜ ଲାଗି ଉଦ୍ଦିଷ୍ଟ ଆସନରେ ଆଜି ବସିନଥିଲେ। ମଞ୍ଚ ଉପରେ ସ୍ବତନ୍ତ୍ର ଭାବେ ବସିଥିଲେ ସତ, କିନ୍ତୁ ବାଚସ୍ପତିଙ୍କ ପୋଡିୟମ୍ ଭଳି ତାହା ଗରିମା ବଢାଉନଥିଲା। ଆଜି ଯେଉଁ ସ୍ଥାନରେ ବାଚସ୍ପତି ବସିଥିଲେ, ଅନ୍ୟଦିନରେ ସେହିସ୍ଥାନରେ କିଏ କିଏ ବସିଥିବେ, ତାର ହିସାବ ନାହିଁ। ବାଚସ୍ପତିଙ୍କ ଠିକ୍ ପଛପଟେ ବସିଥିଲେ ମାର୍ଶଲ ଓ ବିଧାନସଭା ସଚିବାଳୟର ଓଏସଡି।

ସେହିଭଳି ବାଚସ୍ପତିଙ୍କ ସାମ୍ନାରେ ସଚିବ ଓ ରିପୋର୍ଟର୍ସ ବସିଥିଲେ। କିନ୍ତୁ ବିଧାନସଭା ଭଳି ନୁହେଁ। ବିରୋଧୀ ଓ ସରକାରୀ ଦଳର ସଦସ୍ୟମାନେ ଆଜି ମୁହାଁମୁହିଁ ହୋଇ ବସିନଥିଲେ। ବରଂ ଏକ ସଭାସମିତିରେ ବସିବା ଭଳି ସେମାନଙ୍କୁ ଆସୀନ କରାଯାଇଥିଲା। ବିରୋଧୀ ଦଳ ନେତାଙ୍କ ପଛପାଖ ଆସନମାନଙ୍କରେ ବିରୋଧୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ଅନ୍ୟମନ୍ତ୍ରୀମାନଙ୍କ ପଛ ପାଖରେ ସରକାରୀ ଦଳ ସଭ୍ୟ, ଅନ୍ୟମନ୍ତ୍ରୀମାନେ ବସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଗୃହରେ ଉପସ୍ଥିତ ନଥିଲେ। ପାଖାପାଖି ଅଧାରୁ ଅଧିକ ସଦସ୍ୟ ବି।

ମାରାତ୍ମକ କରୋନା ଆଜି ବିଧାନସଭା ବୈଠକର ଚରିତ୍ରକୁ ଏଭଳି ଢଙ୍ଗରେ ବଦଳାଇ ଦେଇଥିଲା। ବିଧାନସଭା ବଦଳରେ ଲୋକସେବା ଭବନ (ପୂର୍ବରୁ ସଚିବାଳୟ) ସମ୍ମିଳନୀ କକ୍ଷରେ ଆଜି ବିଧାନସଭା ବଜେଟ୍ ଅଧିବେଶନର ଅସମାପ୍ତ ବୈଠକ କରିଥିଲେ ବାଚସ୍ପତି।

ଓଡ଼ିଶା ବିଧାନସଭା ଓ ରାଜନୈତିକ ଇତିହାସରେ କରୋନା କେବଳ ଏତିକି ଅଦଳବଦଳ କରିଥିଲା ତା ନୁହେଁ, ଆହୁରି କିଛି ଫର୍ଦ ଯୋଡି ଦେଇଥିଲା, ଯାହା ସବୁଦିନ ପାଇଁ ମନେ ରହିବ ଓ କରୋନାର ଭୟାବହତା କେତେ ଭୀଷଣ ଥିଲା ସେ ସଙ୍କେତ ଭବିଷ୍ୟତରେ ଯେ କୌଣସି ବ୍ୟକ୍ତି ପାଇଁ ଆଉ ଅବୁଝା ରହିବ ନାହିଁ।

ଅତି ଗୁରୁତ୍ବପୂର୍ଣ୍ଣ ବଜେଟ୍ ଅଧିବେଶନରେ କେବଳ ଏସସିଏସଟି ବିଭାଗକୁ ଛାଡି ଆଉ କୌଣସି ବିଭାଗର ଖର୍ଚ୍ଚ ଦାବି ଏଥର ଆଲୋଚନା ହୋଇପାରିଲା ନାହିଁ। ଗିଲୋଟିନରେ ପାସ୍ କରିଦେଲେ ବାଚସ୍ପତି। କେଇ ମିନିଟ୍ ମଧ୍ୟରେ ସାରିଦିଆଗଲା ବ୍ୟୟମଞ୍ଜୁରି ବିଲ୍ ଆଲୋଚନା। ୨୦୨୦-୨୧ ଆର୍ଥିକବର୍ଷର ବଜେଟ୍ ପାରିତ ହେବା କ୍ଷଣି ପ୍ରସ୍ତାବ ଆଣି ବିଧାନସଭାକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦିଆଗଲା।

ଏଥିସହିତ ୧ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ବରାଦ ଅର୍ଥ ଖର୍ଚ୍ଚ ଲାଗି ବିଧାନସଭା ଆଜି ସରକାରଙ୍କୁ ଅନୁମତି ଦେଇଛି ଓ ମୋଟ ୩୧ ଦିନ ପାଇଁ ଡକାଯାଇଥିବା ଏହି ବଜେଟ୍ ଅଧିବେଶନ ୧୩ଦିନରେ ଅଟକିଯାଇଛି। ଶେଷଦିନରେ ଆଜି ପାଖାପାଖି ୧ଘଣ୍ଟାରୁ ସାମାନ୍ୟ ଅଧିକ ସମୟ ଚାଲିଥିଲା ବୈଠକ।

ଆଜି ବୈଠକ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଥମେ ପ୍ରଶ୍ନକାଳକୁ ବାତିଲ୍ କରିଦେଇଥିଲେ। ପରେ ଆଜି ପାଇଁ ଥିବା ଖର୍ଚ୍ଚ ଦାବି ଗିଲୋଟିନ୍ ଅନ୍ତର୍ଭୁକ୍ତ ହେବ ବୋଲି ସୂଚନା ଦିଆଯାଇଥିଲା। ଏସସିଏସଟି ବିଭାଗ ଛାଡି ଅନ୍ୟ ବିଭାଗର ସବୁ ଖର୍ଚ୍ଚ ଦାବିକୁ ଗିଲୋଟିନ୍ ଦ୍ବାରା ଅନୁମୋଦନ କରିଥିଲେ ସଦସ୍ୟ। ଆଉ ତତକ୍ଷଣାତ୍ ବାଚସ୍ପତି ବିଧାନସଭା ବୈଠକକୁ ୧୫ମିନିଟ ପାଇଁ ମୁଲତବୀ କରିଥିଲେ।

ବୈଠକ ପୁଣି ଆରମ୍ଭ ହେବା କ୍ଷଣି ବ୍ୟୟମଞ୍ଜୁରି ବିଲ୍ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହା ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ଉତ୍ତର ପରେ ଏହା ପାରିତ ହୋଇଥିଲା। ବାଚସ୍ପତି ନିର୍ଦେଶ ଦେଇଥିଲେ ଯେ ଆଲୋଚନା ଛଳରେ ଯେତେ ସବୁ ପ୍ରସଙ୍ଗ ଉପରେ ଉଭୟ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି, େସସବୁ ଉପରେ ସରକାର ଦୃଷ୍ଟି ଦେବେ।

ବ୍ୟୟମଞ୍ଜୁରି ବିଲ୍ ପାରିତ ହେବା ପରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କରୋନା ପରିପ୍ରେକ୍ଷୀରେ ବୈଠକ ଅବଧିକୁ ସୀମିତ କରି ଆଜି ହଁ ଅନିର୍ଦିଷ୍ଟ କାଳ ପାଇଁ ଏହି ଅଧିବେଶନକୁ ମୁଲତବୀ କରିବା ଲାଗି ପ୍ରସ୍ତାବ ରଖିଥିଲେ। ସର୍ବସମ୍ମତ କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିଲା। ଏହା ଉପରେ ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ପ୍ରମୁଖ ମତ ରଖିଥିଲେ। ବାଚସ୍ପତି କରୋନା ପାଇଁ ସମଗ୍ର ରାଜ୍ୟର ବିଭିନ୍ନ ବର୍ଗର ଲୋକେ ଯେଉଁ ସାଧୁ ଉଦ୍ୟମ କରୁଛନ୍ତି ତାକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ବିଧାନସଭା ବୈଠକକୁ ଅନିର୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରିଥିଲେ। ବାଚସ୍ପତି କହିଥିଲେ ଯେ ବିଧାନସଭାର ଚଳିତବର୍ଷ ପାଇଁ ଯେଉଁ ଗୃହ କମିଟି ରହିଛି, ତାହା ପୂର୍ବଭଳି ରହିବ। ଏହାସହିତ ଅନ୍ୟ କମିଟି ସଂପର୍କରେ ନିଜ ରାୟ ଶୁଣାଇଥିଲେ।

ପୂର୍ବରୁ ୩୦ ପ୍ରତିଶତ ବିଧାୟକଙ୍କ ଉପସ୍ଥିତି ପାଇଁ ବିଧାୟକ ଦଳ ନେତାମାନଙ୍କୁ କୁହାଯାଇଥିଲା। ବିଧାୟକମାନେ ସାମାଜିକ ଦୂରତ୍ବ ରକ୍ଷା କରି ବସିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଜି ବୈଠକର ବିବରଣୀ ଶୁଣିବାକୁ ଅନୁମତି ଦିଆଯାଇନଥିଲା କି ଦର୍ଶକ ଗ୍ୟାଲେରି ବ୍ୟବସ୍ଥା ନଥିଲା। ଯେଉଁ ସବୁ ବିଧାୟକ ଆଜି ଯୋଗଦେଇଥିଲେ, ସେମାନଙ୍କ ପାଇଁ ଆଜିର ବୈଠକ ସବୁଦିନ ପାଇଁ ମନେ ରହିଥିବ।

ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ମଧ୍ୟରେ ଅର୍ଥ ବିଲକୁ ମିଶାଇ ମୋଟ ୩ଟି ବିଧେୟକ ଅନୁମୋଦନ ଲାଭ କରିଛି। ଓବିସି ସଂକ୍ରାନ୍ତ ସଂକଳ୍ପ ସର୍ବସମ୍ମତ ପାରିତ ହୋଇଥିବା ବେଳେ ୬୭ଟି ପେପର ଉପସ୍ଥାପିତ ହୋଇଛି ଏବଂ ୪ଟି ମୁଲତବୀ ପ୍ରସ୍ତାବ ଉପରେ ଆେଲାଚନା କରାଯାଇଥିଲା। ୧୩ଟି କାର୍ଯ୍ୟଦିବସ ମଧ୍ୟରେ ୬୨ଟି ନିବେଦନ ନିଆଯାଇଥିଲା।

ସମ୍ବନ୍ଧିତ ଖବର