ଭୁବନେଶ୍ବର: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍‌ ୨୭ଟି କାର୍ଯ୍ୟଦିବସ ରହିଛି। ଜୁଲାଇ ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ। ପୂର୍ବ ସରକାର ଚାରି ମାସିଆ କାମଚଳା ବଜେଟ୍‌ ଆଣିଥିଲେ। ଏହାର ଅବଧି ଜୁଲାଇ ୩୧ରେ ଶେଷ ହେଉଛି। ଯେହେତୁ ପୂର୍ଣ୍ଣାଙ୍ଗ ବଜେଟ୍‌ ପାରିତ ହେବାକୁ ବିଳମ୍ବ ହେବ, ତେଣୁ ଜୁଲାଇ ୩୦ ତାରିଖରେ ଲେଖାନୁଦାନ ପ୍ରସ୍ତାବ ଆସିବା ସହ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ।

Advertisment

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୨ ତାରିଖ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ। ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କିତ ଘୋଷଣା ହେବ। ଯଦି ଏକାଧିକ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରନ୍ତି ତେବେ ୨୪ ତାରିଖରେ ନିର୍ବାଚନ ହେବ। ୨୫ ତାରିଖରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିବେ। ନୂଆ ସରକାରର ଏହା ହେବ ପ୍ରଥମ ବଜେଟ୍। ଅଗଷ୍ଟ ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ବନ୍ଦ ରହିବ। ଏହି ସମୟରେ ବିଭିନ୍ନ କମିଟି ଓ ସଦସ୍ୟମାନେ ବଜେଟ୍‌ ଉପରେ ତର୍ଜମା କରିବେ। ପୁଣି ଅଗଷ୍ଟ ୨୦ ତାରିଖରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୧୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ।