ଭୁବନେଶ୍ବର: ଆସନ୍ତା ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅକ୍ଟୋବର ୪ ତାରିଖ ଯାଏ ଚାଲିବ। ଏଥିରେ ମୋଟ୍ ୮ଟି କାର୍ଯ୍ୟଦିବସ ରହିଛି। ଏହି ଅଧିବେଶନର ପ୍ରଥମ ଦିନରେ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ୩ ତାରିଖ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ।
ସାଧାରଣତଃ ବିଧାନସଭାର ଶୀତ ଅଧିବେଶନରେ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହୁଏ। କିନ୍ତୁ ଏବର୍ଷ ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେଉଥିବାରୁ ଏହାକୁ ନେଇ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷର ବଜେଟ୍ ଥିଲା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ସରକାର ସେଥିରେ ଅନେକ ନୂଆ ଘୋଷଣା କରିଥିଲେ। କିନ୍ତୁ କିଛି ଦିନ ହେଲା ଶାସକ ବିଜୁ ଜନତା ଦଳ ଆଗୁଆ ନିର୍ବାଚନ କରାଇବା ପାଇଁ ଯୋଜନା କରୁଥିବାର ଚର୍ଚ୍ଚା ଜୋର୍ ଧରିଛି। ଯଦିଓ ଏ ନେଇ ଠୋସ୍ ସୂଚନା କିଛି ନାହିଁ, ତେବେ ସରକାର ଓ ଶାସକ ଦଳର ହାବଭାବ ଦେଖିଲେ ଏମିତି ଅନୁମାନ କରାଯାଉଛି। ଏବେ ଅତିରିକ୍ତ ବଜେଟ୍ ଉପସ୍ଥାପନ ପାଇଁ ଘୋଷଣା ଏହି ପୂର୍ବାନୁମାନକୁ ଆହୁରି ବଳ ଯୋଗାଇଛି। ସରକାର ଆଗୁଆ ନିର୍ବାଚନ ପାଇଁ ଯୋଜନା କରୁଥିବାରୁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ବିଭିନ୍ନ ମହଲରେ ଆକଳନ କରାଯାଉଛି। ଯଦି ଆଗୁଆ ନିର୍ବାଚନ କରାଯାଏ, ତେବେ ଅଧିବେଶନ ପରେ ପରେ ହିଁ ବିଧାନସଭା ଭାଙ୍ଗିବାକୁ ସରକାର ସୁପାରିସ୍ କରିବେ ବୋଲି ଗୋଟିଏ ଗୋଷ୍ଠୀ ମତ ରଖୁଛନ୍ତି।
ତାହା ହେଲେ ଡିସେମ୍ବର ମାସରେ ଅନ୍ୟ ରାଜ୍ୟର ନିର୍ବାଚନ ସହ ଓଡ଼ିଶାର ନିର୍ବାଚନ ହୋଇପାରିବ। ତେବେ ଏ ସମ୍ପର୍କରେ କିଛି ସ୍ପଷ୍ଟ ଚିତ୍ର ମିଳି ନାହିଁ।
ବିଧାନସଭା କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୨ରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ। ୨୩ ଓ ୨୩ ତାରିଖରେ ଚତୁର୍ଥ ଶନିବାର ଓ ରବିବାର ପାଇଁ ବିଧାନସଭା ବନ୍ଦ ରହିବ। ପୁଣି ୨୯ ତାରିଖରେ ମହମ୍ମଦ ଜୟନ୍ତୀ, ଅକ୍ଟୋବର ୧ ତାରିଖରେ ରବିବାର ଓ ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଇଁ ଗୃହ କାର୍ଯ୍ୟ ଚାଲିବନି। ଅଧିବେଶନର ଶେଷ ଦିନ ଅର୍ଥାତ ୪ ତାରିଖରେ ବେସରକାରୀ କାର୍ଯ୍ୟ ଦିବସ ରହିଛି।