ଭୁବନେଶ୍ବର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଗୃହ ସ୍ବାଭାବିକ ଚାଲିପାରିନାହିଁ। ଛାତ୍ର ସଂସଦ ନିର୍ବାଚନ ଦାବିରେ କଂଗ୍ରେସ ବିଧାୟକମାନେ ଗର୍ଜନ ତର୍ଜନ କରି ଗୃହକୁ ଅଚଳ କରିଦେଇଥିଲେ। ସେହିଭଳି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇଥିଲା ବିଜେଡି। ଫଳରେ ପ୍ରଥମାର୍ଦ୍ଧରେ ଗୃହ ଆଦୌ ଚାଲିପାରି ନଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକପ୍ରସ୍ତାବ ଆଗତ କରିଥିଲେ। ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସ୍ବର୍ଗତ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଡାକିଥିଲେ। ଏହି ସମୟରେ କଂଗ୍ରେସ ବିଧାୟକମାନେ ଛାତ୍ର ସଂସଦ ନିର୍ବାଚନ ଦାବି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସେଠାରେ ନାରାବାଜି କଲେ। ବିଜେଡି ସଭ୍ୟମାନେ ମଧ୍ୟ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। ବିଜେଡି ସଭ୍ୟ ପ୍ରମିଳା ମଲ୍ଲିକ କିଛି କହୁଥିଲେ ବି କଂଗ୍ରେସ ସଭ୍ୟମାନଙ୍କ ହୋହଲ୍ଲା ଭିତରେ ଶୁଣାଯାଉ ନଥିଲା। ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଲେ।

Advertisment

ଘଣ୍ଟାଏ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। କଂଗ୍ରେସ ସଭ୍ୟମାନେ ପୁଣି ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ତାରା ବାହିନୀପତି ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ଟେବୁଲ୍ ବାଡ଼େଇଥିଲେ। ହୋହଲ୍ଲା ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ। ମନ୍ତ୍ରୀ କହିସାରିଲା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। ୪ଟା ବେଳେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ୧୯ ଜଣ ବିଧାୟକ ବିଭିନ୍ନ ସମସ୍ୟା ସମ୍ପର୍କରେ ଆବେଦନ ଉପସ୍ଥାପନ କରିଥିଲେ। ଷ୍ଟାଣ୍ଡିଂ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା।

ଗୃହ ବାହାରେ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଥିଲେ, ଛାତ୍ର କଂଗ୍ରେସ ନିର୍ବାଚନ ଚଳିତ ବର୍ଷ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତୁ। ରାଜ୍ୟ ଏବେ ଛାତ୍ରନେତା ଶୂନ୍ୟ ହୋଇଗଲାଣି। ବିଜେଡି ସରକାର ଏହାକୁ ବନ୍ଦ କରି ଛାତ୍ରଙ୍କ ପ୍ରତି ଅନ୍ୟାୟ କରିଥିଲେ। ସେଥି ପାଇଁ ଲୋକମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେଡି ବିଧାୟିକା ଶ୍ରୀମତୀ ମଲ୍ଲିକ କହିଥିଲେ, ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିଥିଲେ। ଘଟଣାରେ ସରକାର କହିଥିଲେ, ଜିଲ୍ଲାପାଳ ୧୫ ଦିନ ଭିତରେ ରିପୋର୍ଟ ଦେବେ। ହେଲେ ସେହି ରିପୋର୍ଟ କୁଆଡ଼େ ଗଲା ବୋଲି ଆଜି ପ୍ରଶ୍ନ କରିଥିଲୁ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ସ୍ବାଧିକାର ଭଙ୍ଗ ନୋଟିସ୍ ଉପରେ କି ପଦକ୍ଷେପ ନିଆଯାଇଛି, ତାହାର ଉତ୍ତର ମାଗିଥିଲୁ। ସେହିପରି ବିରୋଧୀ ଦଳ ନେତାଙ୍କୁ ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ। ଏହା ବିରୋଧୀ ଦଳ ନେତାଙ୍କ ପ୍ରତି ଅପମାନ ଥିଲା। ଏହାକୁ ଗୃହର ବିବରଣୀରୁ ବାଦ୍ ଦେବା ପାଇଁ କରାଯାଇଥିବା ଦାବିକୁ ପରୀକ୍ଷା କରିବେ ବୋଲି ବାଚସ୍ପତି କହିଥିଲେ। ଏ ସମ୍ପର୍କରେ କ’ଣ ଅଗ୍ରଗତି ହୋଇଛି ବୋଲି ବିଜେଡି ପଚାରିଥିଲା। କିନ୍ତୁ ସରକାର ଉତ୍ତର ଦେବାକୁ ଚାହୁନାହାନ୍ତି। ସେଥି ପାଇଁ ଗୃହ ମୁଲତବୀ କରୁଛନ୍ତି।